ଶ୍ରୀରାମଙ୍କ ପାଦ ଧୌତ
ଶ୍ରୀରାମଙ୍କ ପାଦ ଧୌତ
(ରାଗ... ଆଶାବରୀ )
ନଦୀ କୂଳେ ଡ଼ଙ୍ଗା ଧରି ରହିଛି କୈବର୍ତ୍ତ
ଏ ପାରି ସେପାରି ଡ଼ଙ୍ଗା କରେ ଯାତାୟତ
ଶ୍ରୀରାମଙ୍କ ବନବାସ ପୂର୍ବର କାହାଣୀ
ବିଶ୍ୱାମିତ୍ର ଋଷିଙ୍କ ଠୁ ପ୍ରାୟ ଅଛି ଜାଣି
ଶ୍ରୀରାମଙ୍କ ପାଦପଦ୍ମ ପଥର ଦେହରେ
କିପରି ସମ୍ଭବ ଏକ ରମଣୀ ରୂପରେ !
ଏହିକଥା ଉଜ୍ଜୀବିତ କୈବର୍ତ୍ତ ପ୍ରାଣରେ
ଶ୍ରୀରାମ ଦର୍ଶନ ଆଶା ଜାଗ୍ରତ ହୃଦରେ
ଶ୍ରୀରାମଙ୍କ ପାଦ ଧୂଳି ପଡ଼ିବ ଡଙ୍ଗାରେ
ଡଙ୍ଗା ରୁ ରମଣୀ ପୁଣି ନ ହେଉ ଅଚିରେ
ଶୁଣି ଅଛି ବିଶ୍ଵାମିତ୍ର ଋଷିଙ୍କ ବୟାନ
ଶ୍ରୀରାମ ଶରୀର ରଙ୍ଗ ହିଁ ଶ୍ୟାମଳ ବର୍ଣ୍ଣ
ଶ୍ରୀରାମଙ୍କ ଦରଶନ ଯଦିଓ ସମ୍ଭବ
ପ୍ରଥମେ ପାଦକୁ ଧୌତ ଅବଶ୍ୟ ହୋଇବ
ପାଷାଣ ଦେହରୁ ନାରୀ ହୋଇଛି ସମ୍ଭବ
କିଏ ଜାଣେ ପାଦ ପଡ଼ି କଅଣ ଘଟିବ!
ଶ୍ରୀରାମଙ୍କ ବନବାସ ସାଥେ ପତ୍ନୀ ଭ୍ରାତା
ବିଧିର ବିଧାନ କେବେ ହେବ କି ଅନ୍ୟଥା !
କାଳ କ୍ରମେ ପହଞ୍ଚିଲେ ନଦୀର କୂଳରେ
କୈବର୍ତ୍ତ ସାଥିରେ ଡ଼ଙ୍ଗା ପ୍ରସ୍ତୁତି ପଥରେ
ନଦୀ ପାର ହେବା କଥା ଶୁଭିଲା କର୍ଣ୍ଣରେ
ଦେଖିଲା କୈବର୍ତ୍ତ ପ୍ରଭୁ ଅତି ନିକଟରେ
ହାତ ଯୋଡ଼ି ନିବେଦନ କରିଲା କୈବର୍ତ୍ତ
ବଢ଼ାଇ ଦିଅନ୍ତୁ ପାଦ ଧୋଇବି ତ୍ଵରିତ
ଅନ୍ତର୍ଯ୍ୟାମୀ ନାରାୟଣ ନର ରୂପେ ରହି
ଭକ୍ତର ହୃଦୟ କଥା ଜାଣି ଗଲେ ତହିଁ
କୈବର୍ତ୍ତ କୁ ମନ ଭୁଲା କଥା ସୂତ୍ର ଧାରେ
ପାଦକୁ ଧୋଇବା କଥା ଏଡାଇଲେ ଧିରେ
ନିର୍ବିକାର ହୃଦୟରେ ପୁଣି ଜଣାଏ କୈବର୍ତ୍ତ
ପ୍ରାର୍ଥନା କରୁଛି ପ୍ରଭୁ ହେଉ ସହମତ
ଭାବଗ୍ରାହୀ ଭକତର ଭକ୍ତି ଭାବ ଜାଣି
ପୟର ବଢ଼ାଇ ଦେଲେ ପ୍ରଭୁ ରଘୁମଣି
ଆନନ୍ଦର ଅଶ୍ରୁ ସହ ନଦୀ ଜଳ ଧାରେ
ଶ୍ରୀରାମ ପ୍ରଭୁଙ୍କ ପାଦ ଧୌତ ହେଲା ଧିରେ
ସନ୍ଦେହର କୁହେଳିକା ଘୁଞ୍ଚି ଗଲା ଦୂରେ
ଡଙ୍ଗାରେ ବସାଇ ଖୁସି କୈବର୍ତ୍ତ ପ୍ରାଣରେ
ବିଫଳତା ଅନୁମେୟ ଦ୍ଵନ୍ଦ ସନ୍ଦେହରେ
ସଫଳ ଜୀବନ ପଥ ମାତ୍ର ବିଶ୍ଵାସରେ
