STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଶ୍ରୀମନ୍ଦିରେ ରୁକ୍ମିଣୀ ବିଭା

ଶ୍ରୀମନ୍ଦିରେ ରୁକ୍ମିଣୀ ବିଭା

3 mins
257


ଚକାଆଖି ଚକାନୟନ

ସିଏ ରାମ ସିଏ ଶ୍ରୀକୃଷ୍ଣ।

ତ୍ରେତୟା ହେଉକି ଦ୍ଵାପର

ମନେ ଅଛି ସବୁ ତାଙ୍କର।

ଅତୀତକୁ ମନେ ପକାନ୍ତି 

ଶ୍ରୀକ୍ଷେତ୍ରରେ ଲିଳା କରନ୍ତି ।


ଦ୍ବାପରେ ରୁକ୍ମିଣୀ ହରଣ

କାହାଣୀ ବଖାଣେ ପୁରାଣ।

ଶ୍ରୀମନ୍ଦିରେ ସେହି ଲିଳାଟି

ମହାପ୍ରଭୁ ପରା କରନ୍ତି।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ରେ

ରୁକ୍ମଣୀ ହରଣ ହୁଏରେ।


ବିଦର୍ଭ ର ରାଜ ଦୁଲଣୀ

ଭୀଷ୍ମକ ଦୁହିତା ରୁକ୍ମିଣୀ

କୃଷ୍ଣଙ୍କ ରୂପ ଗୁଣ କଥା

ଶୁଣି ମୋହିତ ସେ ବନିତା।

ମନେମନେ ପତି ରୂପରେ

ମନ ଦେଲେ କୃଷ୍ଣଙ୍କ ଠାରେ ।


ରୁକ୍ମିଣୀ ଙ୍କ ଭାଇ ମାନେ ତ

କୃଷ୍ଣଙ୍କ ଥିଲେ ଶତୃ ସେତ ।

ଭଗ୍ନି ମନ କଥା ଶୁଣିଣ

ରାଗେ କରିଲେ ଗରଜନ

ପ୍ରସ୍ତାବେ ରାଜି ହେଲେ ନାହିଁ

ଆନ ପ୍ରସ୍ତାବ ଦେଲେ ସେହି।


ଚେଦୀ ରାଜ୍ୟ ରାଜକୁମାର

ଶିଶୁପାଳ ନାମ ତାଙ୍କର।

ରୁକ୍ମିଣୀ ଙ୍କ ପାଣିଗ୍ରହଣ

ତାଙ୍କ ସାଥିରେ ଆୟୋଜନ,

ଭାଇମାନେ ମିଶି କରିଲେ

ଦିନବାର ସ୍ଥିର ଯେ କଲେ ।


ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ରେ

ଶିଶୁପାଳ ବର ବେଶ ରେ

ବିଦର୍ଭ ରେ ପ୍ରବେଶ କଲେ

ଜାଣି ରୁକ୍ମିଣୀ ଅଥୟ ହେଲେ ।

ମନ କଥା ଲେଖି ପତ୍ରେତ

ଦ୍ଵାରକା ପଠାଇଲେ ଦୂତ ।


ପ୍ରିତି ପ୍ରଣୟ ପ୍ରେମ ପତ୍ର

ଦୁଃଖ ଭରା କରୁଣ ଚିତ୍ର ।

ପଢି କୃଷ୍ଣ ଅଥୟ ହେଲେ

ଉଦ୍ଧାରିବା ଉପାୟ କଲେ ।

ବଳରାମ ଙ୍କ ସାଥିରେ

ଚଳିଲେ ସେ ବିଦର୍ଭ ପୁରେ ।


ଶିଶୁପାଳ ରୋଷଣୀ କରି

ମନେ କେତେ ସରାଗ ଭରି ।

ଆସୁଥିଲେ ବରବେଶରେ

ଝଲମଲ ଚଉଦିଗରେ ।

ରୁକ୍ମିଣୀ ଢାଳୁଥିଲେ ଲୁହ

ମନେ ଭରା ଅକୁହା କୋହ ।


ଗ୍ରାମଦେବୀ ମାଜଣା ପାଇଁ

ଶଖିମେଳେ ରୁକ୍ମିଣୀ ଯାଇ,

ମାଆଙ୍କ ଅରଚନା କଲେ

ପାଦେ ତାଙ୍କ ଶରଣ ଗଲେ ।

ଶିଶୁପାଳ ହାତୁ ମୁକତି

ପାଇଁ କଲେ ସେତ ମିନତି।


ମାଆ ହୋଇଲେ ସାହା ଜାଣ

ଲୁଚିଥିଲେ ତହିଁ ଶ୍ରୀକୃଷ୍ଣ।

ରୁକ୍ମିଣୀ ଙ୍କୁ ହରଣ କଲେ

ଘନଘୋଟା ଯୁଦ୍ଧ କରିଲେ ।

ଶିଶୁପାଳ ଯେ ପରାହତ

କରିଲେ ପାଦେ ମଥାନତ ।


ରୁକ୍ମିଣୀ ଙ୍କୁ ନେଇ ସାଥିରେ

ଦ୍ବାରକାକୁ କୁ କୃଷ୍ଣ ଫେରିଲେ।

ଆଡ଼ମ୍ବରେ ବିବାହ ନୀତି

ଉଛୁଳିଲା ମଙ୍ଗଳ ଗୀତି।

ଶ୍ରୀମନ୍ଦିରେ ସେହି ବିଧାନ

ମହାନନ୍ଦେ ହୁଏ ସମ୍ପର୍ଣ୍ଣ।


ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ରେ

ରୁକ୍ମିଣୀ ବିବାହ ଶ୍ରୀମନ୍ଦିରେ।

ମଦନମୋହନ ଶ୍ରୀକୃଷ୍ଣ

ଶ୍ରୀଦେବୀ ରୁକ୍ମିଣୀ ଯେ ଜାଣ।

ରୁକ୍ମିଣୀ ହରଣ ବିଧାନ

ମନ୍ଦିରେ ହୁଏ ଆୟୋଜନ।


ସକାଳ ଧୂପ ସରିଲେ ଟି

ଆରମ୍ଭ ହୋଇଥାଏ ନୀତି।

ପ୍ରଭୁଙ୍କ ଆଜ୍ଞାମାଳ ସେହି

ଶ୍ରୀଅଙ୍ଗୁ ପୂଜା ପଣ୍ଡା ନେଇ,

ଶ୍ରୀଦେବୀଙ୍କୁ ଯେ ଦେଇଥାନ୍ତି

ଯାତ୍ରା ସଙ୍କଳ୍ପ ଆରମ୍ଭନ୍ତି ।


ମହାଜନେ କରି ବହନ

ମାଆଙ୍କୁ ଯେ ନିଅନ୍ତି ଜାଣ ।

ସାତ ପାହାଚ ନିକଟ ରେ

ଫୁଲେ ସଜ୍ଜିତ ପାଲିଙ୍କି ରେ,

ମାଆଙ୍କୁ କରିଥାନ୍ତି ବିଜେ 

ବାଜା କାହାଳୀ ତହିଁ ବାଜେ ।


ବିମାନ ବଡୁ ମେଳ ହୋଇ

ପାଲିଙ୍କି ନେଇଥାନ୍ତି ବୋହି।

ଲକ୍ଷ୍ମୀ ମନ୍ଦିରେ ଯାଇ ଥାନ୍ତି

ପାଲିଙ୍କି ତହିଁ ରଖିଥାନ୍ତି।

ଭକତମାନେ ତହିଁ ଥାନ୍ତି

ଅପୂର୍ବ ଦୃଶ୍ୟ ଦେଖୁଥାନ୍ତି ।


ପାଲିଙ୍କି ରୁ ମହାଜନେ ତ

ହାତରେ ବୋହି ମାଆଙ୍କୁ ତ,

ମନ୍ଦିର ଜଗମୋହନରେ

ବସାନ୍ତି ଖଟଶେଜ ପରେ ।

ତାପରେ ପଞ୍ଚାମୃତେ ଜାଣ

ମାଆଙ୍କ ହୁଏ ମହାସ୍ନାନ।।


ବନକଲାଗି ସ୍ନାନ ପରେ

ବେଶ ହୁଅନ୍ତି ଅଳଙ୍କାରେ ।

ମାଜଣା ତାପରେ ହୁଅଇ

ଭୋଗ ତହିଁ ଲାଗି ହୁଅଇ।

ଲିଖନୀ ତାଳପତ୍ର ଧରି

ତଢ଼ାଉ କରଣ ଆସନ୍ତି ।


ଭିତର'ଛ ମହାପାତ୍ର 

ଧରି ଲିଖନୀ ତାଳପତ୍ର 

ଶ୍ରୀଦେବୀଙ୍କ ଶ୍ରୀ ହସ୍ତରେ

ଛୁଆଁଇ ଥାନ୍ତି ସେ ଭକ୍ତିରେ

ତଢ଼ାଉ କରଣ ଙ୍କୁ ପୁଣି

ତାହାକୁ ଫେରାନ୍ତି ସେ ଆଣି।


ତଢ଼ାଉ କରଣ ତାପରେ

ଯତନେ ତାଳ ପତ୍ରପରେ,

ରୁକ୍ମିଣୀ ଙ୍କ ମନକଥା ଟି

ଚିଟାଉ ରେ ସେ ଲେଖି ଥାନ୍ତି।

ଭିତର'ଛ ମହାପାତ୍ର ଟି

ଚିଟାଉରେ ମୁଦ ଦିଅନ୍ତି।


ମନ୍ଦିର ଦକ୍ଷିଣ ଘରେଟି

ମଦନମୋହନ ଦିଅଁଟି,

କିସୁନ୍ଦର ବେଶ ହୁଅନ୍ତି

ରତନ ବେଦୀକୁ ଆସନ୍ତି।

ଦେଉଳ ଦ୍ବାର ବନ୍ଦ ରହେ

ତହିଁ ଆଲଟ ଲାଗି ହୁଏ ।


ସେବକ ଜଣେ ସାଜି ବିପ୍ର

ଆଣନ୍ତି ମାଆଙ୍କର ପତ୍ର।

ଲକ୍ଷ୍ମୀ ମନ୍ଦିରୁ ଶ୍ରୀମନ୍ଦିର

ଆସନ୍ତି ଯେବେ ଧରି ପତ୍ର,

ଘଣ୍ଟ ଘଣ୍ଟା ଯେ ବାଜୁଥାଏ

ଛତ୍ରି ତରାସ ଆଗେ ଯାଏ ।


ଜୟବିଜୟ ଦ୍ବାରରେଟି

ଚିଟାଉ ଧରି ସେ ବିପ୍ର ଟି,

ପହଞ୍ଚନ୍ତି ଆସି ଯେବେ ତ

ପୂଜାପଣ୍ଡା ଖୁଣ୍ଟିଆ ସେତ

ରୁକ୍ମିଣୀ କୃଷ୍ଣ ଙ୍କ କଥାଟି 

ବଚନିକା ସେ କରିଥାନ୍ତି ।


ମହାପ୍ରଭୁ ଙ୍କ ଆଜ୍ଞାମାଳ

ଘେନନ୍ତି ମଦନମୋହନ।

ସାତ ପାହାଚ ତଳେ ଯାନ୍ତି

ରଥରେ ବିଜେ କରିଥାନ୍ତି।

ବିମାନ ବଡୁ ରଥବାହି

ପ୍ରଭୁ ଙ୍କୁ ନେଇଥାନ୍ତି ବୋହି।


ବିମଳା ମନ୍ଦିର ନିକଟେ

ପ୍ରଭୁଙ୍କ ରଥଯେ ଅଟକେ।

ଲକ୍ଷ୍ମୀ ଙ୍କ ମନ୍ଦିରୁ ରୁକ୍ମିଣୀ 

ଶ୍ରୀଦେବୀ ରୂପେ ଜେମାମଣୀ,

ଗ୍ରାମଦେବତୀ ପୂଜା ପାଇଁ

ବିମଳା ପୀଠେ ଥାନ୍ତି ଯାଇ ।‌


ପାଲିଙ୍କି ବିଜେ ମାଆ ହୋଇ

ଶଖି ମାନଙ୍କୁ ସାଥେ ନେଇ,

ବିମଳା ମନ୍ଦିରେ ଯାଆନ୍ତି

ମାଆଙ୍କୁ ମାଜଣା କରନ୍ତି।

ଗ୍ରାମ ଦେବତୀ ରୂପରେଟି

ବିମଳା ଯେ ପୂଜା ହୁଅନ୍ତି।


ବିମଳା ଙ୍କ ଆଜ୍ଞାମାଳ ଟି

ଶ୍ରୀଦେବୀ ଙ୍କୁ ପଣ୍ଡା ଦିଅନ୍ତି।

ଦେବୀଙ୍କୁ ଦେବୀ ପ୍ରଣମନ୍ତି 

ଦେବୀ ଦେଉଳୁ ବାହାରନ୍ତି ।

ମଦନମୋହନ ଶ୍ରୀକୃଷ୍ଣ

କରନ୍ତି ରୁକ୍ମିଣୀ ହରଣ।


ରୁକ୍ମିଣୀ ଙ୍କ ଭାଇଯେ ତହିଁ

କୃଷ୍ଣଙ୍କ ରଥ ଅଟକାଇ,

ଘୋର ସମର କରିଥାନ୍ତି

ପ୍ରଭୁଙ୍କ ଅସ୍ତ୍ରେ ସେ ହାରନ୍ତି।

ଦୃତ ଗତିରେ କୃଷ୍ଣ ରଥ

ଆଗକୁ ଗଡୁଥାଏ ସେତ ।


ମା ସରସ୍ଵତୀ ଙ୍କ ମନ୍ଦିର 

ଆଗରେ ଶିଶୁପାଳ ବୀର,

ରଥକୁ ସେତ ଅଟକାନ୍ତି

କୃଷ୍ଣଙ୍କ ସାଥେ ସେ ଲଢନ୍ତି।

ସମରରେ ସେ ହାରିଯାନ୍ତି

କୃଷ୍ଣ ତାଙ୍କୁ ରଥେ ବାନ୍ଧନ୍ତି।


ଦକ୍ଷିଣ ଘରୁ ବଳରାମ

ଆସି ଦେଖନ୍ତି ଏସଙ୍ଗ୍ରାମ।

ଭଉଣୀ କଥା ରଖି ସେତ

ଶିଶୁପାଳେ କରନ୍ତି ମୁକ୍ତ।

ବଳରାମ ଫେରି ଯାଆନ୍ତି

ରୁକ୍ମିଣୀ କୃଷ୍ଣ ଆଗେ ଯାନ୍ତି।


ମଦନମୋହନ ଶ୍ରୀକୃଷ୍ଣ

ଶ୍ରୀଦେବୀ ଯେ ରୁକ୍ମିଣୀ ଜାଣ,

ବିବାହ ମଣ୍ଡପେ ଯାଆନ୍ତି

ପୂଜା ଅର୍ଚ୍ଚନା ହୋଇଥାନ୍ତି।

ବିଭାଘର ତାପରେ ହୁଏ

ଆକାଶୁ ପୁଷ୍ପ ବୃଷ୍ଟି ହୁଏ ।


ଏକାଦଶୀ ବାସୀ ଦିନଟି

ପାଲିଙ୍କି ରେ ଦେବଦମ୍ପତି,

କ୍ଷେତ୍ର ପରିକ୍ରମା କରନ୍ତି

ଭକ୍ତେ ଦରଶନ ଦିଅନ୍ତି।

ମଠ ମନ୍ଦିର ସେ ବୁଲନ୍ତି

ପନ୍ଥି ଭୋଗ ଲାଗି ହୁଅନ୍ତି।


ସରିଲେ ମଧ୍ୟାହ୍ନ ଧୂପ ଟି

ମନ୍ଦିର ରେ ଦେବ ଦମ୍ପତି,

ଚନ୍ଦନ ଲାଗି ଯେ ହୁଅନ୍ତି 

ପୂଜା ଅର୍ଚ୍ଚନା ହୋଇଥାନ୍ତି।

ତାପରେ ଆଳତି ଅର୍ପଣ 

ଆଜ୍ଞା ମାଳ ହୁଏ ପ୍ରଦାନ।


ଝୁଲଣ ମଣ୍ଡପ ତଳେ ଟି

ସଜ ହୋଇଥାଏ ପାଲିଙ୍କି।

ଶ୍ରୀଦେବୀ ମଦନମୋହନ

ବିଜେ କରାନ୍ତି ମହାଜନ ।

ବେଢ଼ା ପରିକ୍ରମା କରନ୍ତି

ଶ୍ରୀନଅରେ ବିଜେ ହୁଅନ୍ତି।


ରାଜପରିବାର ମହିଳା

କରନ୍ତି ପୂଜା ଅରଚନା।

ଦେବଦମ୍ପତି ଙ୍କ ପାଦେ ଟି

ଭେଟି ସେ ଅର୍ପଣ କରନ୍ତି।

ସୁଆର ପିଠା ଗଢିଥାନ୍ତି

ତହିଁଯେ ଲାଗି ହୋଇଥାନ୍ତି।


ଶ୍ରୀନଅରୁ ପାଲିଙ୍କି ବାହାରେ

ବୁଲିଥାନ୍ତି ସାରା ଶ୍ରୀକ୍ଷେତ୍ରେ।

ଅପୂର୍ବ ଶୋଭାଯାତ୍ରା ସେହି

ଦର୍ଶନେ ମନ ନିଏ ମୋହି।

ବୁଲିବୁଲି ମଠ ମନ୍ଦିର

ପାଲିଙ୍କି ଫେରେ ଶ୍ରୀମନ୍ଦିର।


ରୁକ୍ମିଣୀ ବିବାହ ଉତ୍ସବ 

ଦୁଇଦିନ ହୁଏ ପରବ ।

ବର୍ଷକେ ଥରେ ଏହି ଲୀଳା

ଦର୍ଶନେ ଉଣା ପ୍ରାଣ ଜ୍ବଳା।

ଦେବ ଦମ୍ପତି ଦରଶନ

ଭକତେ ହୋଇଥାନ୍ତି ଧନ୍ୟ।


ମାନବୀୟ ଲୀଳା ପାଇଁତ

ଖ୍ୟାତ ପ୍ରଭୁ ଶ୍ରୀ ଜଗନ୍ନାଥ।

ଚାରିଯୁଗ ଲିଳା କରନ୍ତି

ପୂଣ୍ୟ ର ରେଣୁ ବିତରନ୍ତି।

କଣାଏ ରେଣୁ କରି ପାନ

ଜୀବନ ହୋଇଥାଏ ଧନ୍ୟ।




Rate this content
Log in

Similar oriya poem from Classics