STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଶ୍ରୀମନ୍ଦିରେ ହନୁମାନ ଜୟନ୍ତୀ

ଶ୍ରୀମନ୍ଦିରେ ହନୁମାନ ଜୟନ୍ତୀ

3 mins
405


ପଣା ସଂକ୍ରାନ୍ତି କଥାଟି

ଶୁଣ ବାରେ ମନ ଦେଇଟି ।

ବିଷୁବ ରେଖାକୁ ସେଦିନ

ସୂରୁଜ କରନ୍ତି ଚଳନ।

ସେ ଲାଗି ତ ସେହି ଦିନଟି

ବୋଲାଏ ବିଷୁବ ସଂକ୍ରାନ୍ତି।


ବରଷ ଆରମ୍ଭ ହୁଅଇ

ନୂଆ ରଙ୍ଗରେ ତ ରଙ୍ଗେଇ ।

ମଠ ମନ୍ଦିରରେ ଗହଳ

ମଣିମା ମଣିମା ଚହଳ ।

ଭକତେ ମାଗନ୍ତି ଆଶିଷ

ଭଲରେ କଟୁ ଏ ବରଷ ।।


ପଣା ସଂକ୍ରାନ୍ତି ଗହଳି 

ଶ୍ରୀମନ୍ଦିର ପଡେ ଉଛୁଳି।

ବର୍ଷର ପହିଲି ଦିନ ଲୋ

କେତେ ନୂଆ ଆଶା ମନେ ଲୋ।

ଭକ୍ତମାନେ ଦୀପ ଜାଳନ୍ତି

କରୁଣା କଣାଏ ମାଗନ୍ତି।


ହନୁମାନଙ୍କର ଜୟନ୍ତୀ

ପବିତ୍ର ଏ ପଣା ସଂକ୍ରାନ୍ତି ।

ଶ୍ରୀମନ୍ଦିରେ ହୁଏ ପାଳନ

ନୀତି କ୍ରାନ୍ତି ପୂଜା ବିଧାନ।

ଭାବ ଭକ୍ତିରେ ଅରଚନା 

ବେଢ଼ା ସାରା ଯେ ଆରାଧନା।।


ମଙ୍ଗଳାଳତି ଅବକାଶ

ସକାଳ ଧୂପ ହେଲେ ଶେଷ,

ମନ୍ଦିର ଦକ୍ଷିଣ ଘରୁ ଟି

ହନୁମାନ ମୂର୍ତ୍ତି ଆସନ୍ତି।

ରତ୍ନ ସିଂହାସନେ ବିଜେ ଟି

ପୂଜା ଅରଚନା ହୁଅନ୍ତି ।।


ମହାପ୍ରଭୁଙ୍କ ଆଜ୍ଞାମାଳ

ପ୍ରାପ୍ତ ହୁଅନ୍ତି ହନୁମାନ ।

ମୁକ୍ତି ମଣ୍ଡପ ନିକଟରେ

ବିମାନ ଥାଏ ଯେ ସେଠାରେ।

ବିମାନେ ହନୁମାନ ବିଜେ

କାହାଳୀ ଘଣ୍ଟ ଘଣ୍ଟା ବାଜେ।



ବିମାନରେ ପ୍ରଭୁ ଯାଆନ୍ତି 

ସାଥେ ଆଜ୍ଞାମାଳ ଘେନନ୍ତି ।

ବିମାନ ବଡୁ ସେବକେ ତ

ବିମାନ ବୋହିଥାନ୍ତି ସେତ।

ଚାରିଦ୍ବାରେ ବିମାନ ଯାନ୍ତି

ବେଢ଼ା ପରିକ୍ରମା କରନ୍ତି ।


ବିମାନେ ହନୁମାନ ମୂର୍ତ୍ତି

ଦ୍ବାର ହନୁମାନେ ଭେଟନ୍ତି।

ସିଂହଦ୍ବାର ଗୁମୁଟ ଘର

ପୂଜିତ ଫତେ ମହାବୀର।

ଗୁମୁଟେ ତାଙ୍କୁ ଭେଟିଥାନ୍ତି

ଆଜ୍ଞାମାଳ ଯେ ଦେଇଥାନ୍ତି।


ତପସ୍ବୀ ହନୁମାନ ସେତ

ପଦ୍ମାସନେ ସେ ଉପବିଷ୍ଟ।

ଅଷ୍ଟଭୂଜ ସେହି ମୂରତି

ଉତ୍ତର ଦ୍ଵାରେ ବିରାଜନ୍ତି।

ଆଜ୍ଞାମାଳ ହୁଏ ଅର୍ପଣ

ଭାବ ଭକତି ସମର୍ପଣ।


ବୀର ବିକ୍ରମ ହନୁମାନ

ପୁଣି ସେ ସଙ୍କଟ ମୋଚନ ।

ପଶ୍ଚିମ ଦ୍ଵାରେ ବିରାଜନ୍ତି 

ସଙ୍କଟୁ ପାରି ସେ କରନ୍ତି।

ଆଜ୍ଞାମାଳ ହୁଏ ଅର୍ପଣ

ଆଗକୁ ଚଳନ୍ତି ବିମାନ।


ଦକ୍ଷିଣ ଦ୍ବାରର ରକ୍ଷକ

କାନ ପତା ହନୁମାନ ତ।

ତାଙ୍କ ଯୋଗୁ ସିନ୍ଧୁ ଗର୍ଜନ

ଶୁଭେ ନାହିଁ ମନ୍ଦିରେ ଜାଣ।

ବିମାନେ ହନୁମାନ ମୂର୍ତ୍ତି 

ଆଜ୍ଞାମାଳ ତାଙ୍କୁ ଦିଅନ୍ତି।


ରଘୁନାଥ ମନ୍ଦିର ତହିଁ

ଦକ୍ଷିଣ ଦ୍ବାରେ ଅଛି ରହି।

ବାର ଭାଇ ହନୁମାନ ଟି

ସେ ମନ୍ଦିରେ ପୂଜା ପାଆନ୍ତି।

 ଆଜ୍ଞାମାଳ ତାଙ୍କୁ ଅରପି

ବଡ଼ଦାଣ୍ଡେ ଦିଅଁ ଚଳନ୍ତି।


ଜଗନ୍ନାଥ ବଲ୍ଲଭ ମଠ

ହନୁମାନ ଯାଆନ୍ତି ସେତ।

ଘଣ୍ଟ ଘଣ୍ଟା ଉଛୁଳୁଥାଏ

ଛତ୍ରି ତରାସ ଆଗେ ଯାଏ ।

ମଠରେ ଛନ୍ତି ମହାବୀର

କରନ୍ତି ପୂଜା ଉପଚାର।।


ମଠରୁ ବିମାନ ଚଳନ୍ତି

ସାଗର କୂଳକୁ ଯାଆନ୍ତି।

ଚକ୍ର ତୀର୍ଥରୁ କିଛି ଦୂରେ

ଛନ୍ତି ମହାବୀର ସେଠାରେ।

ଦରିଆ ମହାବୀର ସେତ

ଆଜ୍ଞାମାଳ ହୁଏ ଅର୍ପିତ।


ଫେରିବା ବାଟରେ ବିମାନ

ମଠ ମନ୍ଦିର ମାନେ ପୁଣ,

ହନୁମାନଙ୍କୁ ଆବାହନ 

ପନ୍ଥି ଭୋଗ ଯେ ଅରପଣ।

ତାପରେ ଠାକୁର ଫେରନ୍ତି

ଦକ୍ଷିଣ ଘରକୁ ଚଳନ୍ତି।।


ପଣା ସଂକ୍ରାନ୍ତି ଦିବସ

ସକାଳ ଭୋଗ ହେଲେ ଶେଷ,

ମହାପ୍ରଭୁଙ୍କ ମହାସ୍ନାନ

ପଞ୍ଚାମୃତରେ ତନୁବନ।

ମନ୍ତ୍ରରେ ଚତୁର୍ଦ୍ଧା ମୂରତି

ସ୍ନାହାନ ସେତ କରିଥାନ୍ତି।।


ସ୍ନାନ ପରେ ଦିଅଁ ମାନେ ଟି

ନୂଆ ପାଟ ବସ୍ତ୍ର ପିନ୍ଧନ୍ତି ।

ଘଟୁଆରୀ ଘରୁ ଆସଇ

ବାସ ଚନ୍ଦନ ଘୋରା ହୋଇ।

ସର୍ବାଙ୍ଗରେ ବାସ ଚନ୍ଦନ

ସେବକେ କରନ୍ତି ଲେପନ ।।


ଚନ୍ଦନ ଲେପନ ପରେ ଟି

ଅଳଙ୍କାର ଛଅ ମୂରତି,

ଦିଅଁମାନେ ପିନ୍ଧି ଥାଆନ୍ତି

ନୂଆ ରଙ୍ଗେ ବେଶ ହୁଅନ୍ତି।

ବେଶ ପରେ ପାଣି ପଡଇ

ଟେରା ପଡି ଭୋଗ ଲାଗଇ ।।


ମୁଦିରସ୍ତ ଆସି ଯେ ଥା'ନ୍ତି

ପୂଜା ଅରଚନା କରନ୍ତି।

ଧୂପ ଦୀପ କର୍ପୁରାଳତୀ

ବନ୍ଦାପନା ସେ କରିଥାନ୍ତି।

ନୈବେଦ୍ୟ କରନ୍ତି ଅର୍ପଣ

ଛନ୍ଦାପୟରେ ସମର୍ପଣ।।


ପୂଜାପଣ୍ଡା ରୋଷ ପାଇକ

ଗରାବଡୁ ପତ୍ରୀ ସେବକ,

ବଳି ଅନ୍ନ ପ୍ରସାଦ ନେଇ

ମନ୍ଦିର ଚାରି ପାଖେ ସେହି,

ଦିଗବଳି ଦେଇ ଥାଆନ୍ତି

ଶେଷ ହୁଏ ସଂକ୍ରାନ୍ତି ନୀତି ।।


ପଣା ସଂକ୍ରାନ୍ତି ମନ ମୋହେ

ଚଉଦିଗେ ଉତ୍ସବ ହୁଏ ।

ଦେବୀ ପୀଠ ମାନ ଉଛୁଳେ

ଦିନ ସାରା ଭକ୍ତ ଗହଳେ।

ହୋମ ଯଜ୍ଞ ପୂଜା ଅର୍ଚ୍ଚନା

ଅଗ୍ନି ଦେବଙ୍କ ଆରାଧନା।।


ଦଣ୍ଡ ବ୍ରତୀ ଦାଣ୍ଡେ ଆସନ୍ତି

ଦଣ୍ଡ ଧରି ନାଚ କରନ୍ତି।

ପୂଜନ୍ତି ସେ ଶିବ ପାର୍ବତୀ

ତାଙ୍କ ଜୟ ଗାନ କରନ୍ତି।

ମାସେ କାଳ ବ୍ରତ ପାଳନ୍ତି

ସଂକ୍ରାନ୍ତିରେ ଶେଷ କରନ୍ତି।।


ଝାମୁଯାତ୍ରା ହୁଏ ସେଦିନ

ଝାମୁ ଚାଲନ୍ତି ଭକ୍ତ ମାନ।

ମନରେ ରଖି ଭାବ ଭକ୍ତି

ଜଳନ୍ତା ନିଆଁରେ ଚାଲନ୍ତି।

ଜୟ ହେ ଜୟ ମାତୃଶକ୍ତି

ପାଦର ହୁଏ ନାହିଁ କ୍ଷତି।।


ପଣା ସଂକ୍ରାନ୍ତି ଦିନ ସେତ

ବସନ୍ତ ଋତୁ ହୁଏ ଅନ୍ତ।

ଆରମ୍ଭ ହୁଅଇ ଗ୍ରୀଷମ

ପ୍ରଚଣ୍ଡ ନିଦାଘ ବିଷମ ।

ଶରୀରେ ଜଳାଭାବ ସେତ

ଆଖି ତରାଟେ ଅଂଶୁଘାତ।।


ପଣା ପାଣି ଛତୁଆ ସେତ

ଦେହ ପାଇଁ ଅଟଇ ହିତ।

ପଣା ସଂକ୍ରାନ୍ତି ଦିନ ସେହି

ପ୍ରଭୁଙ୍କୁ ଅର୍ପଣ ହୁଅଇ।

ଜଳ ଶୁଷ୍କତା ଦୂର ହୁଏ

ପଣା ପାଣି ଯେ ନିତି ପିଏ ।


ପ୍ରଚଣ୍ଡ ହୁଏ ରୌଦ୍ରତାପ

ଉଣା ହେବାକୁ ଖରା କୋପ,

ପାଣି ପିଇବା ଭାରି ଭଲ

ଲୋକେ କରନ୍ତି ଦାନ ଜଳ ।

ସ୍ଥାନେ ସ୍ଥାନେ ସେଇଥିପାଇଁ 

ଜଳ ଛତ୍ରମାନ ଖୋଲଇ ।


ପଣା ସଂକ୍ରାନ୍ତି ଦିନ ସେତ

ଚଉରା ଉପରେ ସବୁତ,

ବସନ୍ତରା ଘଡ଼ି ବସଇ

ଟୋପା ଟୋପା ପାଣି ଝରଇ ।

ବୃନ୍ଦାବତୀ ଜଳ ପାଆନ୍ତି

ଖରାରେ ସତେଜ ରୁହନ୍ତି।।


ପଣା ସଂକ୍ରାନ୍ତି ନୂଆ ବର୍ଷ 

ନୂଆ ପାଞ୍ଜିର ପରକାଶ।

ପର୍ବପର୍ବାଣୀ ତିଥି କଥା

ପାଞ୍ଜିରେ ହୋଇଥାଏ ଲେଖା ।

ସାରା ବର୍ଷର ଭଲ ମନ୍ଦ 

ମନରେ ଭରେ ନୂଆ ଛନ୍ଦ ।।


ନୂଆ ବର୍ଷର ଆବାହନ

ହୁଅଇ ଭଜନ କୀର୍ତ୍ତନ।

ସ୍ନେହ ଶରଧା ବଣ୍ଟା ବଣ୍ଟି

ଉଛୁଳଇ ଭାବ ଭକତି।

ଗତି ମୁକତି ସୁଖ ଶାନ୍ତି

ସଭିଏ ପ୍ରାର୍ଥନା କରନ୍ତି।।


ମିଛ ମାୟା ସଂସାରେ ଏଇ

ମିଛେ ମଣିଷ ହୁଏ ବାଇ ।

ନିଜର ବୋଲି ଭାବେ ଯାହା

ଅବେଳେ ହୁଅନ୍ତିନି ସାହା ।

ନିଜର ଏକା ଜଗନ୍ନାଥ 

ଡାକିଲେ ଶୁଣିଥାନ୍ତି ଡାକ।


ପ୍ରଭୁଙ୍କ ପ୍ରତି ରଖି ମନ

କରିଲେ ତାଙ୍କୁ ମନେ ଧ୍ଯାନ

ଅମା ଅନ୍ଧାର ଦେଇ ଟାଳି

ବିପଦ ସବୁ ଯାଏ ଟଳି ।

ସବୁ ସକାଳ ଲାଗେ ନୂଆ

ବତାନ୍ତି ପ୍ରଭୁ ନୂଆ ରାହା ।


ପ୍ରାର୍ଥନା କରେ ଆଜି ପ୍ରଭୁ

କରି ଦିଅହେ ପାରି ଭବୁ।

ତୁମରି ପାଦ ଧ୍ଯାୟୀ ଧ୍ଯାୟୀ

ପଣା ସଂକ୍ରାନ୍ତି କଥା ଗାଇ

ପାଦେ କରୁଛି ପ୍ରଣିପାତ

ହେ ମହାପ୍ରଭୁ ଜଗନ୍ନାଥ।।































Rate this content
Log in

Similar oriya poem from Classics