ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ଶ୍ରାବଣ ବରଷା ଆସିଛି ଲାଜେଇ ଶ୍ରାବଣୀ ଭିଜୁଛି
ଅତୀତ ସ୍ମୃତି ଖୋଜି ପ୍ରିୟକୁ ଚିଠି ଲେଖୁଛି
ଝରଝର ଏଇ ଶ୍ରାବଣ ଟୋପାରେ ରାତିଦିନ ବିତୁଛି
ଲାଜବର୍ଣ୍ଣା ତାର ଆଖି ଦୁଇ ଋତୁବର୍ଣ୍ଣା ସାଜ ସାଜିଛି
ଚାଉଳ ମୁଠାଏ ଥୋଇଦେଇ ଦୂର ଆକାଶକୁ ଚାଁହୁଛି
ଆସିବୁ ଶ୍ରାବଣ ମେଘ ସଵାରୀରେ ଫୁଲରେ ସଜାଇଛି
କେତେ ଋତୁ ଆସି ଗଲାଣି ଚାଲି ଅଳକା ନଈରେ
ଅଳତା ପାଦରେ ଶ୍ରାବଣୀ ସିନ୍ଦୁର ଖୋଜୁଛି
ପରଦେଶୀ ପ୍ରିୟ ଦେଶାନ୍ତର ପ୍ରିୟା ମନ ଉପବନ
ଖାଲି ଖାଲି ଲାଗୁଛି ଶ୍ରାବଣ ଧାରା ଛୁଟିଛି
ମୁଁ ମେଘ ତୁମେ ବରଷା ଗଜଲ ଶ୍ରାବଣୀ କହୁଛି
ତୁମେ କଳା ମେଘ ମୁଁ ସବୁଜ ପାଟ ପିନ୍ଧିଛି
ସାଧବ ବୋହୁଟା ଏଡିକି ନହୁଲି ଛଇ ଛବେଲି
ଆଖି ମିଟିକାରେ ନାଲି ପାଟ ଯାହା ପିନ୍ଧିଛି
ଶ୍ରାବଣୀ ଆଖିର ସବୁଜ ପଲକ ଶ୍ରାବଣେ ନାଚୁଛି
ଆଖିରୁ ଆରମ୍ଭ ପାଦର ଛମ ଛମ ହୋଇ ଶୁଭୁଛି
ଶ୍ରାବଣ ଭିଜି ଓ ଭିଜାଇ ଏକ ସ୍ୱର ଲୟ ଧରିଛି
ପାଗଳିନୀ ଆଜି ଶ୍ରାବଣୀ ସତେକି ମହୁଲି ପିଇଛି
ନହୁଲି ସାଜି ମଖମଲ୍ଲୀ ବେଶେ ବଉଦକୁ ଚାହିଁଛି
ଶ୍ରାବଣୀ ଲେଖୁଛି ପୃଷ୍ଠାଏ ନୂଆ ଶ୍ରାବଣ ବହିରେ
ବରଷକୁ ବରଷ କେତେ ଯେ ବିତୁଛି
ଲେଖିରଖିଲେ ମନ ହୃଦୟରେ ପଢିବ କିଏ କହୁଛି
ମନ କଥା ଜାଣେ ଶ୍ରାବଣ ବୋଲି ବରଷକେ ଆସୁଛି
ନାଚି ନଚେଇ ଶ୍ରାବଣୀ ଭିଜେଇ ଲେଉଟି ଚାହିଁଛି
ଜୀବନ ଗଣିତ କରି ସମାହିତ ପ୍ରକୃତି ପୁରୁଷ ହସୁଛି ।
