ଶିଶୁ
ଶିଶୁ
ଫୁଲଟିଏ ହୋଇ ଦେଶ ବଗିଚାରେ
ଫୁଟିଛ ଅତି ଯତନେ
ପାଖୁଡା କୋମଳ ମହକ ସୁଗନ୍ଧ
ଚହଟିବ କୋଣେ କୋଣେ I
ନିର୍ମଳ ଆକାଶେ ତାରାପୁଞ୍ଜି ହୋଇ
ଦିଶ କେଡେ ଶୋଭାବନ
ମିଞ୍ଜି ମିଞ୍ଜି ରଶ୍ମି ବିଛୁରିତ ହେବ
ପଡିବ ସାରା ଭୁବନ I
ସାଗର ବୁକୁରେ ଶାମୁକାଟି ତୁମେ
ମୁକ୍ତା ତହିଁ ଭରପୁର
ଆଜି ନ ହେଲେ ବି ଝଟକିବ ଦିନେ
ଗଳାରେ ହୋଇଣ ହାର I
ଛନ୍ଦ ଓ କପଟ ନାହିଁ ମନେ ସ୍ଥାନ
ଟିକି ଟିକି ରାଗ ରୋଷ
ପେଟ ପୁରି ଯାଏ ଶୋଷ ମେଣ୍ଟି ଯାଏ
ଦେଖି ଖିଲି ଖିଲି ହସ I
ଆଗତ ଭବିଷ୍ୟ ତୁମେ ଏ ଦେଶର
ତୁମେ ହେବ ନାଗରିକ
ବଡ ହୋଇ ଦିନେ ଭଲ କାମ କରି
ରଖିବ ଦେଶର ଟେକ I
କିଏ ବୈଜ୍ଞାନିକ କେ ହେବ କୃଷକ
ମନରେ ଭାବି ସମାନ
କର୍ମ ମାତ୍ର ସର୍ବ ଦେଶ ପାଇଁ ହିତ
କେହି ନୁହଁ ବଡ ସାନ I
