ବସନ୍ତ ମଳୟ
ବସନ୍ତ ମଳୟ
1 min
389
ହେମ କୋଳେ ଥିଲା ନିଶ୍ଚିନ୍ତେ ଶୋଇ
ବସନ୍ତ ଆସନ୍ତେ ଉଠିଲା ଚେଇଁ
ବହଇ ମଳୟ ସେ ଧିର ଧିର
କେବେ ଧିର ପୁଣି କେବେ ପ୍ରଖର I
ଛୁଇଁ ଯାଏ ବନ ନଈ ପର୍ବତ
ସକାଳ ଛୁଆଁଟା ଲାଗଇ ଶୀତ
ମିଠା ଲାଗେ ଛୁଆଁ ହେଲେ ଦିନାନ୍ତ
ମଧ୍ୟାହ୍ନ ସମୟେ ଖଣ୍ଡିଆ ଭୁତ I
କୋଇଲି ଗାଅଇ ବନସ୍ତେ ଗୀତ
ହଳଦୀ ବସନ୍ତ ସାଥେ ସେ ମିତ
ଉପବନୁ ନେଇ ଆସେ ସୁଗନ୍ଧ
ପରସି ଦିଅଇ ନଜାଣେ ଛନ୍ଦ I
ପାଦପେ ପତ୍ରକ ଖେଳଇ ଦୋଳି
ରସାଳ ବଉଳ ଥାଏଟି ଝୁଲି
ସୁରଭି ତାହାର କି ମୁଗ୍ଧକର
ବାତୁଲ ପରାୟେ ଘୁରେ ଭ୍ରମର I
ବସନ୍ତ ମଳୟ ଛୁଇଁଲେ ଦେହ
ମନେ ପ୍ରୀତିରସ ଉଠଇ ଦାହ
ପ୍ରେମ ଚଡେଇଟି ବାନ୍ଧଇ ବସା
ସତେକି ଲାଗିଛି ମହୁଲି ନିଶା I
