ଶୀତରାଣୀ ମନକଥା
ଶୀତରାଣୀ ମନକଥା
ଅସ୍ଥିର ତୁମର ମନ ଛୋଟରୁ ହୋଇ ବି ବଡ
ବର୍ତ୍ତମାନ ସବୁକିଛି ଭାବୁଛ କେମିତି ,
ଅବିଚଳ ମୋର ସ୍ଥିତି ସମ୍ପୂର୍ଣ୍ଣ ମୁଁ ଚିରନ୍ତନୀ
ଡାକ ତୁମେ ଶୀତରାଣୀ ମୁଁ ପରା ପ୍ରକୃତି ।
ଜଳେ ଯେବେ ତାପେ ଦେହ ପ୍ରଚଣ୍ଡ ସୂର୍ଯ୍ଯ କିରଣେ
କୁହ ତୁମେ ଋତୁ ନାମ ହେଉଅଛି ଗ୍ରୀଷ୍ମ ,
ମୃଦୁମନ୍ଦ ବହୁଥିଲେ ମଳୟ ଶାନ୍ତ ସମୀର
ଉଲ୍ଲସେ ପ୍ରାଣକୁ ତୁମ ମଧୁର ବସନ୍ତ ।
ବରଷିଲେ ଝରଝର କଳାମେଘ ନଦୀନାଳେ
ପୂରେ ଜଳ ଉପୁଜଇ କ୍ଷେତରେ ଫସଲ ,
କୂପିତ ମୋ ମନ ହେଲେ ସୃଷ୍ଟିହୁଏ ଝଡଝଞ୍ଜା
ବନ୍ଯା ବିଭୀଷିକା କରେ ମଣିଷକୁ ବିକଳ ।
ଭାବିପାର ତୁମେ ଭିନ୍ନ ଏକ ମୁଁ ଅଟେ ଅଭିନ୍ନ
ସକ୍ରିୟ ମୁଁ ଅହରହ ସଜଗ ରହିଛି
ସମ୍ବେଦନା ଏକାତ୍ମତା ସମଭାବ ସହିଷ୍ଣୁତା
ସଞ୍ଚରୁ ଜୀବନ ମାତ୍ରେ ଏତିିକି ଚାହୁଁଛି ।