ଶୀତଳ ଷଷ୍ଠି
ଶୀତଳ ଷଷ୍ଠି
ହିମବନ୍ତ ପୁରେ ଆଜି ବାଜେ ଶୁଭ ଶଙ୍ଖ l
ଯୋଡ଼ିନାଗରା,ମଙ୍ଗଳ ମହୁରୀ, ଟମକ ll
ଜାତକ ସୁଝିଛି, ଜେମା ଲାଖି, ବର ଶିବ l
ରାଜଜୋଟକ ଯୋଗରେ ସୃଜିଛି ଦଇବ ll
ଗ୍ରହ ବିପ୍ର ଆସି ଗଣି ଦେଇଛନ୍ତି କୋଷ୍ଠୀ l
ଶୁଭ ବାହା ଲଗ୍ନ ଅଛି ଜ୍ୟେଷ୍ଠ ଶୁକ୍ଳ ଷଷ୍ଠି ll
କେତେକାଳ ତପକରି ହିମାଳୟ ଜେମା l
ମହାଯୋଗୀ ଶିବ ପତି ଲଭିଛନ୍ତି ଉମା ll
ସ୍ଥିର ହୋଇ ଅଛି କରି ବହୁ କଟା କଟି l
ଜ୍ୱାଇଁ ନେବ ଯଉତୁକ ଷଣ୍ଢ ପାଞ୍ଚଗୋଟି ll
ଦିଅଁ,ଜାଇ,ମଙ୍ଗୁଳା ମା' ମଙ୍ଗଳା ପୂଜନ l
କନ୍ୟାମଙ୍ଗୁଳାର ଵିଧି ହେଲା ସମାପନ ll
ମଇନାଦେବୀଙ୍କ ପାଦ ତଳେ ଲାଗୁନାହିଁ l
ଉମା କାନ୍ଦୁଛନ୍ତି ଖାଲି ହୋଇ କଇଁ କଇଁ ll
ହନୁ ଗଲେ କଇଳାଶ ବର ଧରା ହୋଇ l
ଫେରି ଅଇଲେଣି ଏବେ ବରକୁ ବନ୍ଦାଇ ll
ଡଂ ଡଂ ଡମ୍ବରୁ ନାଦ ଦାଣ୍ଡରେ ଶୁଭିଲା l
ବାଣ,ରୋଷଣିର ସାଥେ ଜ୍ୱାଇଁ ପହଞ୍ଚିଲା ll
ମଇନା ଚାଲିଲେ ସଙ୍ଗେ ଧରି ପୁରନାରୀ l
ବନ୍ଦାପନା କରି ଗଲେ ଅର୍ଘ୍ୟ ଥାଳି ଧରି ll
ଜ୍ୱାଇଁ ଦେଖି ମଇନାଙ୍କ ଉଡ଼ିଗଲା ହୋସ l
ଜ୍ୱାଇଁ ହୋଇଅଛି ଭଷ୍ମବୋଳି ବରବେଶ ll
ଗଳାରେ ପକାଇ ଅଛି ମୁଣ୍ଡ,ସାପ ମାଳା l
ମୃଗ ଚର୍ମ ଲେଙ୍ଗୁଟିରେ ଦିଶୁଛି ଲଙ୍ଗଳା ll
ଆରୋହି ଆସିଛି ଗୋଟେ ମସ୍ତବଡ଼ ହଡ଼ା l
ଜଟା ଜୁଟେ ବିମଣ୍ଡିତ ଚନ୍ଦ୍ରଶୋଭା ଚୁଡ଼ା ll
ସଙ୍ଗେ ଛନ୍ତି ବରଯାତ୍ରୀ ଭୁତ,ପ୍ରେତ ଗଣ l
କିଳି କିଳା ଶବଦରେ କମ୍ପେ ତ୍ରି ଭୁବନ ll
ମେନାଙ୍କ ସନ୍ଦେହ ଏହି ଅଟଇ କି ଜ୍ୱାଇଁ !
ଯାହାକୁ ବରିଛି ତପେ ମୋ କଲ୍ୟାଣମୟୀ ll
ଅପତ ମଙ୍ଗୁଳା ବରେ କାହୁଁ ଏ ଆଇଲା l
ଏହାଅଟେ ସବୁ ସେଇ ନାରଦର ପାଲା ll
ଝିଅ ପଛେ ରହୁ ମୋର ସର୍ବଦା କୁଆଁରୀ l
ଯାଉ ଏହି ବର ସିଧା ବୃଷଭରେ ଫେରି ll
ଏକାଳେ ମିଳିଲେ ଆସି ଶ୍ରୀନାରଦ ମୁନି l
ମଇନାଙ୍କୁ ବୁଝାଇ କହିଲେ ଗୂଢ଼ ବାଣୀ ll
ଶୁଣ ମେନା ହିମବନ୍ତି ପୂର୍ବେ ସତୀ ଥିଲା l
ଦକ୍ଷ ଯଜ୍ଞାନଳେ ଝାସି ପ୍ରାଣ ଵିସର୍ଜିଲା ll
ପରେ ଜନମିଲା ପୁଣି ହିମାଳୟେ ଆସି l
ଯୁଗେଯୁଗେ ଉମା ତୁମ୍ଭ ଶଙ୍କର ପ୍ରେୟସୀ ll
ନିଃସନ୍ଦେହେ ଏ ବିବାହ କର ସମାପନ l
ଏତେ କହି ମହାମୁନୀ ହେଲେ ଅନ୍ତର୍ଧ୍ୟାନ ll
ଆଶ୍ୱସ୍ତ ହୋଇଲେ ହିମବନ୍ତ ମେନାରାଣୀ l
ହସ୍ତ ଗଣ୍ଠି ପଡ଼ି ଗଲା ଶୁଭ ବେଳା ଜାଣି ll
ଶୀତଳଷଷ୍ଠି ସେ ଦିନ ହେଲା ତହୁଁ ଖ୍ୟାତ l
ନମସ୍ତେ ହର ଗୋଉରୀ ମେନା ହିମବନ୍ତ ll
