ଶୀତ ଓ ସ୍ମୃତି
ଶୀତ ଓ ସ୍ମୃତି
ଶୀତ ଯେବେ ପୌଷ ମାସରେ
ପାଦ ଚ଼ପି ଚ଼ାପି
ଏଘର ସେ ପିଣ୍ଡା ହୁଏ
ଦଲକାଏ ଶୀତଳ ମୃଦୁ ଶିହରଣ
ଖେଳିଯାଏ ହାଡ଼ ଭିତର
ରକ୍ତ କଣିକା ଯାଏ
ଗରୀବ ବିଚରା
ଯାକିଯୁକି ହୋଇ କୁଡ଼ିଆ ଘରେ
ନଡ଼ା ଛପର ତଳେ ରହିଯାଏ
କନ୍ଥା ଘୋଡ଼େଇ ହୋଇ ତ କେବେ
ଖଜୁରୀ ପାଲର ପଟିଆ ଘୋଡ଼େଇ ।
ମୋର କିଛି ମନେହୁଏ
ଶୀତକୁ ଆମେ ପୋଡ଼ିଦେଉ
ମକର ହୋଲର ନିଆଁରେ
ହାରିଯାଏ ଶୀତ
ମୋ ଆଇର ନିଳ-ସାଗୁଆ
ଆଣ୍ଠୁଟେକା ଲୁଗା ତଳେ ।
ସନ୍ଧ୍ୟା ଯେବେ ବଢ଼ି ବଢ଼ି ଯାଏ
ଗାଁ ଦାଣ୍ଡ ଜନ ଶୂନ୍ୟ ହୋଇ
ଆକାଶରେ ତାରା ଦେଖାଦେଲେ
ଶୀତର ପ୍ରକୋପ ସହି ନ ପାରି
ବିଲୁଆଙ୍କ ରଡ଼ି ରହି ରହି
ପାଚିଲା ଧାନ କିଆରିରେ ଶୁଭେ
ଆଉ ମଞ୍ଚା ଉପରେ ଜଗିଥିବା ଜଗୁଆଳ
ହୁସିଆର ହୋଇ ମଞ୍ଚା ତଳେ
ଟିକେ ନିଆଁ ଲଗେଇ ଦିଏ ।
