ଶୀତ ଆମ ମିତ
ଶୀତ ଆମ ମିତ
ହେମନ୍ତ ଋତୁରେ ପ୍ରକୃତି ସୁନ୍ଦରୀ ହାରା ଭରା ମନୋମୟ,
ରୂପେ ବିଭାସିତ ହୋଇ ଧାନକ୍ଷେତ ହୋଇ ଉଠିଛି ଅଥୟ;
କାହିଁ ଥିଲା ଲୁଚି ଶୀତ,
ସହସା ଧରା ରେ ପ୍ରବେଶ ହୋଇଲା ଗାଇ ଗାଇ ପ୍ରେମ ଗୀତ ।।
ତା ପ୍ରେମ କୁହୁଡି କାକର ଜାଲରେ ବାନ୍ଧିଲା ଜୀବ ଜଗତ,
ପରାହତ ସର୍ବେ ତା ଶୀତଳ ପ୍ରେମେ ରାତିସାରା ଛଟପଟ;
ସକାଳ କଅଁଳ ଖରା,
କାକର ଦେହରେ ପଡି ଚକମକ ଲାଗଇ ଆହାକି ତୋରା ।।
ଷୋରିଷ ଫୁଲର ହଳଦୀଆ ଦେହ ଉପରେ କାକର ବିନ୍ଦୁ,
ସୂରୁଯ କଅଁଳ ପରଶେ ଝଟେକେ ହୀରା ମୋତି ସୁଧା ବିଧୂ;
ପାଚିଲା ଧାନର ମେଣ୍ଟା,
ଫଳମୂଳ ଭରା ଶୀତ ସକାଳରେ ଗୁରୁ ବାର ଲକ୍ଷ୍ମୀ ପୂଜା ।।
ଶୀତେ ସଉଖିନ ପୋଷାକେ ଧନାଢ୍ୟ ବ୍ୟକ୍ତି ସଜବାଜ ହେଲେ,
ଗରୀବ ବାପୁଡା ଉହ୍ମେଇ ନିଆଁ ରେ ରାତି ବସି କାଟୁଥିଲେ;
ସବୁଠି ଶୀତର ଦାଉ,
ଏଡେ ସେ ନିର୍ଦୟ ଶୀତ ନଛାଡଇ ଧନୀ କି ଗରୀବ ହେଉ ।।
ତାର ପରାଭବେ ହାରିଯାଇ ସର୍ବେ ଶରଣ ମାଗିଲେ ଯାଇ,
ଶୀତ ତୁ ଆମର ମିତ ବୋଲି କହି ତାହାକୁ ଆଦରି ନେଇ;
କରିଲେଣି ବଣଭୋଜି,
ଶୀତ ଆମ ମିତ ତାପାଇଁ ଜଗତ ଆନନ୍ଦରେ ଗଲେ ମଜି ।।
ଶୀତ ହେଲା ଆରେ ମିତର ଭାଇ ସେ ବାଟରେ କାଠ କଣ୍ଢେଇ,
ଉଷୁମ ଟାଣୁଛି ଗୀତ ଗାଉଅଛି ଶୀତ କୁ ପିଠିରେ ବୋହି;
ନେବାକୁ ଆସିଛି ପରା,
ସକାଳ ର ସୂର୍ଯ୍ୟ ଆହାକି ସୌନ୍ଦର୍ଯ୍ୟ କୁହୁଡି ଭିତରେ ଖରା ।।