ଶବ୍ଦଭେଦୀ
ଶବ୍ଦଭେଦୀ
ଶବ୍ଦ ବ୍ରହ୍ମ ଅଶେଷ ଶକ୍ତି ନିହତ ଥାଏ ତହିଁ
ଅସଂଖ୍ୟ ଶବ୍ଦ ବିନ୍ୟାସରେ ହୁଏ ପଦ ସମ୍ଭାର
ଭାବନାକୁ କରେ ତା' ଭାଷାରେ ରୂପାନ୍ତର
ତାର ପ୍ରଭାବରେ ପ୍ରଭାବିତ ହୋଇଥାଏ ମନ
ସୂକ୍ଷ୍ମ ମସ୍ତିସ୍କକୁ କରିଥାଏ ସେ କ୍ରିୟାଶୀଳ
ଶବ୍ଦ ଯେବେ ଭେଦ କରେ ହୃଦୟକୁ
ହୁଏ ଶବ୍ଦଭେଦୀ ତା'ର କ୍ରିୟା ପ୍ରତିକ୍ରିୟାରେ
ମଣିଷର ଜୀବନଧାରା ହୁଏ ପ୍ରବାହିତ
ଲକ୍ଷ୍ୟରେ ହେଉ ଅବା ଅଲକ୍ଷ୍ୟରେ ହେଉ
ଶବ୍ଦର ଭାବ ଚେତନାକୁ କରେ ଆନ୍ଦୋଳିତ
ପୂର୍ବେ ଅଯୋଧ୍ୟାର ମହାରାଜା ଦଶରଥ
ଶବ୍ଦଭେଦୀ ବାଣ ମାରି ଶ୍ରବଣ କୁମାରଙ୍କୁ
ଅଜାଣତରେ କରିଥିଲେ ବିନା ଦୋଷେ ହତ
ବୀର ଅର୍ଜୁନ ମଧ୍ୟ ଶବ୍ଦଭେଦୀ ବାଣର
ପ୍ରୟୋଗ ବିଧି ଜାଣି କରୁଥିଲେ ଉପଯୋଗ
ମୁଖରୁ ନିସୃତ ବାଣୀ ଶବ୍ଦଭେଦୀ ବାଣରୁ
କେବେ କେଉଁ ଗୁଣରେ ନୁହେଁ ତ କମ୍
ଅନ୍ଧର ପୁତ୍ର ଅନ୍ଧ କହି ଯାଜ୍ଞସେନୀ ପାଞ୍ଚାଳୀ
ଦୁର୍ଯ୍ୟୋଧନ ମନରେ ଭରି ଥିଲେ ଆକ୍ରୋଶ
ଯା'ର କାରଣ ହେଲା କୁରୁକ୍ଷେତ୍ରର ମହାଯୁଦ୍ଧ
ଶବ୍ଦରୁ ସ୍ଫୁରୁଥିବା ବଚନ ହୃଦୟକୁ ଛୁଏଁ
ମଧୁର ଆଳାପରେ ସୃଷ୍ଟି ହୋଇଥାଏ ସଦ୍ଭାବ
ମନ ମନକୁ କରେ ଆକର୍ଷଣ ହୁଏ ପ୍ରେମ
ଅଚିହ୍ନା ଅଜଣା ଜଣେ ବ୍ୟକ୍ତି ହୋଇ ସୁପରିଚିତ
ହୃଦୟର ନିକଟତମରେ ହୁଏ ଆପଣାର
ପବିତ୍ର ବନ୍ଧନେ ବାନ୍ଧି ହୋଇ ନାରୀ ଓ ପୁରୁଷ
କରନ୍ତି ସୃଷ୍ଟି ସଂରଚନା ଗଢ଼ିବାକୁ ଘର ସଂସାର
ଜୀବନ ହୁଏ ମଧୁମୟ ଜନମ ହୁଏ ସାର୍ଥକ
ଏ ଶବ୍ଦର ପଦ ହୁଏ ଯେବେ ରୁକ୍ଷ କର୍କଶ ପୂର୍ଣ୍ଣ
ଜଣେ ଅନ୍ୟକୁ କ୍ରୋଧରେ କଲେ ପ୍ରୟୋଗ
ଅବା କଟୁକ୍ତି କି ବିଦ୍ରୁପରେ କଲେ କୁତ୍ସାରଟନା
ତାର କୁପ୍ରଭାବ ହୃଦୟକୁ କରିଥାଏ କ୍ଷତାକ୍ତ
ହୁଏ ତା' ଶବ୍ଦଭେଦୀ ବାଣ କରେ ମର୍ମାହତ
ହିଂସା ପ୍ରତିହିଂସାର ହୁଏ ତା' ମୂଳଦୁଆ
ମାନସିକ ସ୍ତରରେ ଲାଗେ ଗଭୀର ଆଘାତ
ଉତ୍ତେଜିତ ହୋଇ ଜଣେ କରେ ହିଂସ୍ର ଆଚରଣ
ପ୍ରତିଟି ଶବ୍ଦ ଅବା ବାକ୍ୟ ହିଁ ଶବ୍ଦଭେଦୀ
କରିପାରେ ଜଣକୁ ମିତ୍ର କିମ୍ବା କରେ ଶତ୍ରୁ
ସଚେତନଶୀଳ ବ୍ୟକ୍ତି ସଦା ରହିଥାଏ ସଜାଗ
ବୁଝି ବିଚାରି କଥା କହେ ହୁଏ ଅନ୍ୟର ପ୍ରିୟ
ତାର ପରିଣାମ ନ ଚିନ୍ତି କହେ ଯେ କଥା
ସେ ଶବ୍ଦଭେଦୀ ଡାକି ଆଣେ ତାର ବରବାଦି।।
