STORYMIRROR

Prahallad Sahoo

Drama Classics Inspirational

4  

Prahallad Sahoo

Drama Classics Inspirational

ଶୈଶବ-କୈଶୋର-ବାର୍ଦ୍ଧକ୍ଯ

ଶୈଶବ-କୈଶୋର-ବାର୍ଦ୍ଧକ୍ଯ

1 min
406

ଆରେ ମନ, 

ବହିଗଲା ପାଣି - ଫେରି ଆସିବନି 

ଧନୁରୁ ନିର୍ଗତ ତୀର - ଫେରିବନି  

ମୁଖ ନିଶୃତ ବାଣୀ - ଧରି ପାରିବୁନି 

ଯେମିତି ସମୟ ପଛକୁ ଫେରେନାହିଁ

ଏମାନେ ବି କେବେ ଫେରନ୍ତି ନାହିଁ।


ତଥାପି ଅମୃତମୟ ସେ ଅତୀତର ଶୈଶବ

ନା କେବେ ବିଫଳତାର ଭୟରେ ଜର୍ଜରିତ 

ନା କେବେ ସଫଳତାର ଖୁସିରେ ରୋମାଞ୍ଚିତ!


ତଥାପି ଅମୃତମୟ ସେ ବର୍ତ୍ତମାନର କୈଶୋର

ନା କେବେ ଭବିଷ୍ୟତର ବୋଝରେ ମର୍ମାହତ 

ନା ତା' ହାତ ମୁଠାରେ ବର୍ତ୍ତମାନ ଅବହେଳିତ! 


ତଥାପି ଅମୃତମୟ ସେ ଅସ୍ବୀକାରୀ ବାର୍ଦ୍ଧକ୍ଯ

ନା କେବେ ପରିପକ୍ବ ହେବାରେ କ୍ଷୋଭ

ନା କେବେ କର୍ତ୍ତବ୍ୟ ତାଡନାରେ ଗଣିଛି ବୟସ!


ବୟସର ଚକ୍ରବ୍ୟୁହ ଭିତରେ ଉତ୍ପୀଡିତ 

ଶୈଶବ - କୈଶୋର - ବାର୍ଦ୍ଧକ୍ଯ

ମୋହ, ମାୟା, ହିଂସା, ଦ୍ବେଷ, 

କାମନା, ବାସନା, କ୍ରୋଧ 

ସପ୍ତରଥିଙ୍କ ତାଡ଼ନାରେ ସଦା ବିବସ।


ଜୀବନଟା ଅହେତୁକ ସୁଖ ଓ ଦୁଃଖର ସମାହାର

ବେଳେବେଳେ ଗ୍ରୀଷ୍ମର ଝାଞ୍ଜି ପବନରେ ସ୍ବେଦାକ୍ତ

ବେଳେବେଳେ ହାଡଭଙ୍ଗା ଶୀତ ପ୍ରକୋପରେ କମ୍ପିତ;

ବେଳେବେଳେ ବର୍ଷାର ରିମଝିମ ଶବ୍ଦରେ ଆନ୍ଦୋଳିତ 

ବେଳେବେଳେ ବସନ୍ତର ମୃଦୁ ମଳୟରେ ଶିହରିତ।


ଜରା-ବ୍ଯାଧି-ମୃତ୍ଯୁ,

  ଶୈଶବ-କୈଶୋର-ବାର୍ଦ୍ଧକ୍ଯକୁ ବି ଗ୍ରାସେ। 

ଶୈଶବ - ସହଜ ଅଙ୍କୁରିତ ବୀଜଟିଏ ଭଳି ବାସେ,

କୈଶୋର- ସ୍ନିଗ୍ଧ ସକାଳର କଅଁଳ ଖରା ପରିହସେ

ଜୀବନ ଜିଇଁବା ଦୁଃସହ ଲାଗେ ପରିପକ୍ବ ବୟସେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama