ସେମାନେ କୁହନ୍ତି
ସେମାନେ କୁହନ୍ତି
ଢ଼ିଙ୍କି ଚକି ଶୀଳ ଚୁଲି କିନ୍ତୁ ଏବେ
କାମରେ ଲାଗୁନାହାନ୍ତି
ଏକାଠି ହୋଇ ସେ ତାଆସ ଖେଳରେ
ଟାଇମ୍ ପାଶ୍ କରୁଥାନ୍ତି।
ଢ଼ିଙ୍କିଶାଳଠାରୁ ଢେଙ୍କାନାଳ ଯାଏ
ଗପ ତାଙ୍କ ବ୍ୟାପୁଥାଏ
ଆଜିକା ସ୍ତ୍ରୀଙ୍କ ଗୁଣ କୀର୍ତ୍ତିମାନ
ବର୍ଣ୍ଣନା ସେଠାରେ ହୁଏ।
ବେଳଥିଲା ଢ଼ିଙ୍କି ଘରେଘରେ ଥାଏ
ସ୍ଵତନ୍ତ୍ର ସ୍ଥାନଟି ନେଇ
ଧାନ ଚୂଡା ଚୂନା କୁଟା ହେଉଥିଲା
ଆଜି କିନ୍ତୁ ତାହା ନାହିଁ।
ଢ଼ିଙ୍କି କୁଟା ଚୂଡା ଚାଉଳ ଚୂନାରେ
ଯେଉଁ ଭିଟାମିନ୍ ଥିଲା
ଆଜି କିନ୍ତୁ କଳ କୁଟିଦେଲା ସିନା
ସେ ଶକ୍ତି କୋଉ ମିଳିଲା?
ଢ଼ିଙ୍କି କୁଟୁଥିଲେ ସ୍ତ୍ରୀ ମାନଙ୍କର
ବ୍ୟାୟାମ ବି ହେଉଥିଲା
ଆଜି କିନ୍ତୁ ସ୍ତ୍ରୀ ଲୋକଙ୍କର ଆଣ୍ଠୁ
ଗଣ୍ଠି ରୋଗ ବାହାରିଲା।
ଚୂଡାକୁଟା ଢ଼ିଙ୍କି ପାହାର ଶୁଭିଲେ
ରାତି ପାହିଯାଉଥିଲା
ଆଜି କିନ୍ତୁ କଳ ଧାନ ଚୂଡା କୁଟେ
ସ୍ତ୍ରୀଟି ଟିଭି ଦେଖିଲା।
ଚକି ପେଶା ଅଟା ଆହା କେତେ ମିଠା
କଳ ପେଶାରେ ତ ନାହିଁ
ଶୀଳରେ ବାଟିବା ବାଟଣର ଭାବ
ଗ୍ରାଇଣ୍ଡର ଦିଏ ନାହିଁ।
କାଠ ଘଷି ଜାଳ ଚୂଲୀ ରୋଷେଇର
ମାଟି ହାଣ୍ଡି ସ୍ଵାଦ ଭଳି
ଗ୍ୟାସ୍ ସିଲିଣ୍ଡର୍ ଷ୍ଟିଲ ଡିସ୍ ଡେକ୍ଚି
ସମାନ ହେବେ କିପରି ?
ଯୁଗ ବଦଳିଛି ସଂସ୍କୃତି ହଜୁଛି
ମଣିଷ ବୁଦ୍ଧି ଖଞ୍ଜୁଛି
କେମିକାଲ ଖାଇ ଏସି ଘରେ ରହି
ବିଭିନ୍ନ ରୋଗ କିଣୁଛି।
ଢ଼ିଙ୍କି ଚକି ଶୀଳ ଚୂଲୀ ପୁଣି ସେଠି
ଭୁଟୁଭାଟ୍ ହେଉଥାନ୍ତି
ମୋବାଇଲ ଧରି ମଣିଷ ସମାଜ
ବନ୍ଧୁ ବେଭାର ଭୁଲନ୍ତି।
ବାହାଘର ଗୁଆ ମରିବା ନିମନ୍ତା
ଫୋନ୍ ଫୋନ୍ରେ ହୁଏ
ବାହାଘର ବେଳେ କାହିଁକି ଆମକୁ
ଅକାରଣେ ଖୋଜାଯାଏ।
ଢ଼ିଙ୍କି ଚକି ଚୂଲୀ ମଙ୍ଗୁଳା ନହେଲେ
ବାହାଘର ହେବ ନାହିଁ
ବିଧିବିଧାନଟା ଲୋକ ଦେଖାଣିଆ
ପରିହାସ ଲାଗୁ ଥାଇ।
ବେଳ ଥିଲା ଝିଅ ଶାଶୁ ଘର ଗଲେ
ଆମକୁ ସାଥୀରେ ନିଏ
ଆଜି କିନ୍ତୁ ନୂଆନୂଆ ଚିଜ ନିଏ
ଆମକୁ ସେ ଭୁଲି ଯାଏ।
କିଛି କଥା ନାହିଁ ଯାଅ ହେ ଆଗେଇ
ମଙ୍ଗଳରେ ଜାଗା କିଣ
ଚଳିବକି ନାହିଁ କ'ଣ ଆମକୁ
ଦେଲେ ଟିକେ ସନମାନ।
ନାରୀଟି ଅଟନ୍ତି ପରା ଗୃହ ଲକ୍ଷ୍ମୀ
ଘର କରଣା ତା'ହାତେ
ପବିତ୍ର ସିଞ୍ଚିବା ଦାଣ୍ଡ ପହଁରିବା
ପାଇଟି ବୁଝଇ କେତେ।
ଆଜି କିନ୍ତୁ ନାରୀ ଗୋବର ଛୁଉଁନି
ଡାକ୍ତର ମନା କରିଛି
ଶାଶୁ ଶ୍ୱଶୁର ଓ ସ୍ଵାମୀ ସେବା କଲେ
ଜୀବାଣୁ ତାକୁ ଡେଉଁଛି।
ପରକୀୟା ପ୍ରୀତି ମୋବାଇଲ ଚାଟିଂ
ସଭିଙ୍କୁ ବାଇଆ କରେ
ଶାଢୀ ଶଙ୍ଖା ଦୂରେ ଥୋଇ ନାଇଟି ଓ
ଫେସନରେ କାମ ଚଳେ।
ବିଦେଶିନୀ ମୁଣ୍ଡେ ଓଢ଼ଣୀ ଦିଶୁଛି
ଆମ ସଂସ୍କୃତିକୁ ମାନି
ବବ୍କଟ୍ ଚୂଳ ଉଡେ ଫରଫର
ବା଼ଃବାଃରେ ତୁ ଓଡିଆଣୀ।
ଏମାନଙ୍କ କଥା ଶୁଣି ଯେବେ ମୁହିଁ
ଖୁସିରେ ତାଳି ମାରିଲି
ପିଠିରେ ମୋ ଝାଡୁପ୍ରହାର ଶବ୍ଦଟା
ତାକୁ ବି ଶୁଣିପାରିଲି।
କ'ଣ ପାଇଁକି ଝାଡୁରେ ପିଟିଲ
କୁହ ମୋତେ କୁନା ବୋଉ
କୁନାବୋଉ କୁହେ ମୋ ଭଳି ପାଗଳ
ଦେଖିନି ସେ କେବେ ଆଉ।
ସତ କଥା ଶୁଣି ସମର୍ଥନ କଲେ
ସ୍ତ୍ରୀଠୁଁ ଝାଡୁ ଖାଇବ
ସ୍ତ୍ରୀଭକ୍ତ ହୋଇ ତାକୁ ପ୍ରଶଂସିଲେ
ଘରଣୀ ପ୍ରସନ୍ନ ହେବ।
କାଳୀବାନ୍ଦରୀଟି ହେଉ ପଛେ ସିଏ
ସୁନ୍ଦରୀ ତାକୁ କହିବ
ସ୍ତ୍ରୀବୋଲକରା ଏ ମୂର୍ଖ କହୁଛି
ତେବେ ଯାଇ ସୁଖୀ ହେବ।
