STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ସେଇ ପରିଚିତ ଗାଆଁ

ସେଇ ପରିଚିତ ଗାଆଁ

2 mins
7


ସେଇ ପିଲାଦିନ ସ୍ମୃତି ଉଜ୍ଜୀବିତ

ପ୍ରାୟ ଦୀର୍ଘ ଦିନ ପରେ

ଯେବେ ପାଦ ପଡ଼େ ଗାଆଁ ମାଟି ବକ୍ଷେ

ପୁଲକ ଜାଗେ ହୃଦରେ

ଗାଆଁ ଘର ଠାରୁ କ୍ରମଶଃ ଦୂରେଇ

ଜୀବନ ଜୀବିକା ଧାରେ

ଗାଁ ର ଶାନ୍ତ ଓ ସରଳ ପରିବେଶ

ପ୍ରାୟ ଭିନ୍ନ ସହରରେ

ଗାଁ ମାଟିର ସୁଗନ୍ଧ ଓ ପିଲାଦିନ

ମହକ ଆସେ ହୃଦରୁ

ପିଲାଦିନର ସେ ଅଭୁଲା ମୂହୁର୍ତ୍ତ

ଭୁଲି ହୁଏନି ମନରୁ

ଯେବେ ଉଜ୍ଜୀବିତ ହୁଏ ସେହି ସ୍ମୃତି

ଓଠରେ ଫୁଟଇ ହସ

ଖାଲି ପାଦ ଧାରେ ବିଲ ବଣ ବୁଲା

ଜୀବନ ଥିଲା ସରସ

ଗାଆଁର ସେ ଗଛ ତଳ, ଗଳି କନ୍ଦି 

ପ୍ରାୟ ଚିର ପରିଚିତ

କେତେ ଖେଳ ହାରି ପୁଣି ହୁଏ ଜିତା 

ସୁଖଦ ସେହି ମୁହୂର୍ତ୍ତ


ଗାଆଁର ମାଟି କାଦୁଅ ରାସ୍ତା ଘାଟ 

ଆଉ ନାହିଁ ପୂର୍ବ ପରି

ଭୌଗଳିକ ମାନଚିତ୍ର ବଦଳିବା

ପ୍ରତ୍ୟୟ ବି ସର୍ବୋପରି

ଘରକୁ ଘର ଲାଗି ଲାଗି ରହିବା

ପ୍ରାୟତଃ ବିଲୋପ ପ୍ରଥା

ରାସ୍ତା କଡ ଜମି ବାସ ଉପଯୋଗୀ 

ସବୁ ବିପରୀତ କଥା

ପିଲାଦିନ ସାଙ୍ଗ ସାଥୀ ଭେଟ ପରେ

ଚିହ୍ନି ନ ଚିହ୍ନିଲା ଭାବ

ସବୁରି ହାତରେ ମୋବାଇଲ୍ ସହ

ଲୋପ ପୂର୍ବ ସଦ୍ ଭାବ

ବିଲ ବଣ ପୋଖରୀ ପଡିଆ ପ୍ରାୟ

ଶୂନ୍ୟତା ବାତାବରଣ

ପୂର୍ବ ପରି ନାହିଁ ସେହି ନିତ୍ୟକର୍ମ 

ଖୋଲା ଜାଗା ବି ବାରଣ

ଗାଆଁ ମୁଣ୍ଡ ଗଛ ଛାଇ ତଳ ଖାଲି

ନାହିଁ ଗହଳ ଚହଳ

ପିଲାଦିନ ବିତିଥିବା ଦୃଶ୍ୟ ଲୋପ

ନାହିଁ ପିଲାଙ୍କର ଖେଳ


ଆଜିକାଲି ପିଲାଙ୍କର ମୋବାଇଲ୍ 

ମୋବାଇଲ୍ ସହ ଖେଳ

ଆମ ପିଲାଦିନ ଖେଳରେ ଖେଳରେ

ଦିନ ରାତି ସାଙ୍ଗ ମେଳ

ଖରାରେ ବୁଲାବୁଲି ଥିଲା ମନା

ପୁଣି ଘର ଲୋକ ପାଟି 

ସବୁ ବାରଣ ସତ୍ତ୍ୱେ ଖରା ବେଳରେ 

ମେଳି ଯେଉଁଠି ସେଇଠି 

ପଡ଼ିଆରେ ଗୁଡ଼ି ଉଡେଇବା ଦୃଶ୍ୟ

ହେଉନି ଦୃଷ୍ଟି ଗୋଚର

ଘଣ୍ଟା ଘଣ୍ଟା ବୁଡ଼ି ପୋଖରୀ ପାଣିରେ

ବିରଳ ସେଇ ଦୃଶ୍ୟର

ପାଣି ଶୁଖି ଯାଇଥିବା ପୋଖରୀରେ

କାଦ ଚିପି ମାଛ ଧରା 

କାଠି କୁଟା ଦ୍ଵାରା ମାଛ ପୋଡ଼ି ଖିଆ 

ମଜା ଥିଲା ବି ନିଆରା

କଷି ଆମ୍ବ ତୋଳି ଲୁଣ ଲଙ୍କା ସହ

ତୋଟା ଭିତରେ ଖାଇବା

ସଞ୍ଜ ନଇଁ ଆସେ ଯେବେ ସୁନା ପିଲା

କ୍ରମେ ଘର ମୁହାଁ ହେବା 


ପୂର୍ବର ସେ ରାସ୍ତା ଘାଟ ଆଉ ଘର 

କ୍ରମେ ଯାଇଛି ବଦଳି

ପକ୍କା ରାସ୍ତା କଡେ ଠିଆ କୋଠା ଘର

କିନ୍ତୁ ନାହିଁ ପିଲା ମେଳି

ପ୍ରାୟ ଗାଆଁ ସାରା କଂକ୍ରିଟ ଜଙ୍ଗଲ

ଲୁପ୍ତ ସବୁଜ ବଳୟ 

ପରଷ୍ପର ପ୍ରତି ନାହିଁ ପ୍ରେମ ଭାବ

ନାହିଁ ଭାବ ବିନିମୟ

ବିଦ୍ୟୁତ୍ ଓ ଜଳ ଯୋଗାଣ ସୁବିଧା

ପ୍ରାୟତଃ ହାତ ପାଆନ୍ତା 

ନୂତନ ସୁବିଧା ହୋଇଛି ଅବଶ୍ୟ

ନାହିଁ ପୂର୍ବ ସରଳତା 

ଲୋପ ପ୍ରାୟ ଗାଆଁ ନୀତି ପରମ୍ପରା

ବିକାଶର ଆଢ଼ୁଆଳେ 

ଆଧୁନିକତାର ଛାପ ପ୍ରାୟ ସ୍ପଷ୍ଟ

ସଞ୍ଜ ହେଉ ବା ସକାଳେ

ବିଦ୍ୟାଳୟ ଠାରୁ ଗାଆଁ ସ୍ଵର୍ଗଦ୍ଵାର

ସବୁଠି ପରିବର୍ତ୍ତନ

ବିଜୁଳି ଆଲୋକ ଧାରେ ଆଲୋକିତ

ପ୍ରତି ଅନ୍ଧାରୁଆ ସ୍ଥାନ

ବିଦ୍ୟାଳୟ କାନ୍ଥ କହେ ଦଣ୍ଡ ମୁକ୍ତ

ପିଲାଙ୍କର ଭୟ ଶୁନ୍ୟ 

ଗୁରୁ ଶିଷ୍ୟ ସମ୍ପର୍କର ସେତୁ ଭଗ୍ନ

ସହଜରେ ଅନୁମାନ


ଜୀବନ ଯୁଦ୍ଧରେ ସଂଗ୍ରାମ ଧାରାରେ

ବହୁ ଦିନ ରହି ଦୂରେ

ପିଲାଦିନ ସ୍ମୃତି ସହ ଥିଲା ପ୍ରାଣ

ସମୟର ଧାରେ ଧାରେ 

ଅଚାନକ ଗାଆଁ ଅଭିମୁଖେ ଯାତ୍ରା 

ମନରେ ବି ଆବେଗତା

ଦୃଶ୍ୟ ସବୁ ଆପେ ଯାଇଛି ବଦଳି

ହୃଦେ ଜାତ ନୈରାଶ୍ୟତା


ସେଇ ପରିଚିତ ଗାଆଁର ଅତୀତ 

ପୁଣି ସେଇ ପିଲାଦିନ

ସେଇ ପିଲାଦିନେ ଥିଲା ହସ ଖୁସି

ଖୁସି ଥିଲା ସେ' ଜୀବନ

ଗାଆଁ ପରିବେଶ ବଦଳି ଯାଇଛି

ମାତ୍ର ସ୍ମୃତି ହୃଦୟରେ

ପିଲାଦିନ ସ୍ମୃତି ରହିଛି ରହିବ

ଥାଇ ମରଣ ଶଯ୍ୟାରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract