ସବୁ ତୁଚ୍ଛ ଲାଗେ
ସବୁ ତୁଚ୍ଛ ଲାଗେ
ମରିଯାଏ ଯେବେ ଆତ୍ମା, ସୂର୍ଯ୍ୟ ବି ଆଲୋକ ଉଧାର ମାଗେ
ସମୟର ଜିହ୍ୱା ରୁଷିଗଲେ ଜୀବନର ଖାଦ୍ୟ ସବୁ ତୁଚ୍ଛ ଲାଗେ ।
ମରିବାର ଇଚ୍ଛା ଥାଇ ମଧ୍ଯ କାନ୍ଦି ଚାଲୁଥାଏ ଜୀବନର ସଙ୍ଗେ
ତ୍ୟାଗ ଯଦି ଲୁହ ପାଇଁ ହୁଏ ସେ ତ୍ଯାଗଫଳ ସବୁ ତୁଚ୍ଛ ଲାଗେ ।
ଉପବାସ ରହିବା ମଣିଷଟି ଏଠି ମନ୍ଦିରକୁ ଚାଲେ ଆଗେଆଗେ
ମନ ଯଦି ଖୋଜୁଥାଏ ଖାଦ୍ୟ, ବ୍ରତ ଉପବାସ ସବୁ ତୁଚ୍ଛ ଲାଗେ ।
ଛୁଆମାନଙ୍କ ଭଲ ନିଦ ପାଇଁ ମା' ପରା ଘରେ ରାତିରାତି ଜାଗେ
ଯା'ର ନାହିଁ ବାପା ସେ ଜାଣେ ତା' ପାଇଁ ସବୁ ସୁଖ ତୁଚ୍ଛ ଲାଗେ ।
ବଡ଼ ହେବା ସହଜ ନୁହଁଇ, କାନମୋଡ଼ା ଦ୍ୱାରା ହିଁ ସାନଜାଗେ
ଖାଦ୍ୟରେ ସରେନି କାର୍ଯ୍ୟ, ବିନା ରୋଜଗାରେ ସବୁ ତୁଚ୍ଛ ଲାଗେ ।
ସ୍ନେହର ଚକଲେଟ୍ ସହ ଅନୁଶାସନର କଲରା ପତର ମାଗେ
ଦାୟିତ୍ୱରେ ସମ୍ପୂର୍ଣ୍ଣତା ଲୋଡ଼ା ଅଧା ସିଝିଲେ ସବୁ ତୁଚ୍ଛ ଲାଗେ ।
ସବୁ ଆଖି ଲୁହେ ସବୁ ଛାତି କୋହରେ ଭର୍ତି ଯଦି ଏହି ଘରେ
ଧିକ୍କାର ସେ ତ୍ୟାଗର ପରିମାଣ, କର୍ତ୍ତବ୍ଯ ବି ସବୁ ତୁଚ୍ଛ ଲାଗେ ।
ଈଶ୍ବରଙ୍କ ଇଛାରେ ସମସ୍ତ ଜୀବନ ଚାହିଁଲେ ମିଳେନାହିଁ କିଛି
ବିଶ୍ବାସ-ତ୍ୟାଗ-ସତ୍ଯ-କର୍ତ୍ତବ୍ଯ-ଧୈର୍ଯ୍ୟ ଆଦି ସବୁ ତୁଚ୍ଛ ଲାଗେ।।