ଉର୍ମିଳା
ଉର୍ମିଳା
ମିଥିଳାର ରାଜନନ୍ଦିନୀ
ରାଜ ଉଆସରେ ବନ୍ଦିନୀ
ନିୟତି ରଚିଲା ଏମିତି ବିଧାନ
ନିଦ୍ରା ହୋଇଲା ସଙ୍ଗିନୀ ।।
ଦେଖିଥିଲା ମନ ନୟନ
ପ୍ରଣୟର କେତେ ସପନ
ଉଜାଗର ରାତି ସୀମାହୀନ ପ୍ରୀତି
ପତି ସଙ୍ଗେ ରତି ମଗନ ।।
ସାଧିଲା ମନ୍ଥରା ମନ୍ତ୍ରଣା
ହୃଦୟେ ଅନେକ ଯନ୍ତ୍ରଣା
କବିଶ୍ରେଷ୍ଠ ଅବା କାବ୍ୟ ଶିରୋମଣି
ପାରିବେନି କରି ବର୍ଣ୍ଣନା ।।
ଚଉଦ ଚଉଦ ବରଷ
ତନ୍ଦ୍ରା କରିଲା ଗିରାସ
ପୂଜି ପାରିଲାନି ମଜ୍ଜି ପାରିଲାନି
ଖୋଜି ପାରିଲାନି ହରଷ ।।
ଯାଇନାହିଁ ସ୍ବାମୀ ଶରଣ
ନିଦକୁ କରିଛି ବରଣ
ସେଇ ତ୍ୟାଗ ପାଇଁ ଲଙ୍କାଗଡେ ହେଲା
ରାବଣ ପୁତ୍ରର ମରଣ ।।
କି ଲାଭ ରହିଲା ତ୍ୟାଗର?
ବର୍ଷ ବର୍ଷ ନିଦ୍ରା ଯୋଗର
ଧୂପକାଠି ସମ ମହକାଇ ଗଲା
ଜାଳି ଜାଳି ନିଜ ଅନ୍ତର ।।
ପୁରାଣେ ଉର୍ମିଳା ଚରିତ୍ର
ସତରେ ଲାଗଇ ବିଚିତ୍ର
ତ୍ୟାଗ ମୂର୍ତ୍ତି ହୋଇ ନିରବ ରହିଲେ
ଯଶ ରଖିଗଲେ ସୌମିତ୍ର ।।