STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ସବୁ ପ୍ରଭୁଙ୍କ ଇଚ୍ଛା

ସବୁ ପ୍ରଭୁଙ୍କ ଇଚ୍ଛା

1 min
310

       


ସର୍ବରୀ ସମାପ୍ତେ ଆସେ ନବୀନ ସୁପ୍ରଭାତ

ଅଂଶୁମାନ ଅଂଶରୁ ବିଚ୍ଛୁରିତ ହୁଏ ଉଜ୍ଜ୍ବଳ ରଶ୍ମି

ଉଦ୍ଭାସିତ ହୁଏ ସଚରାଚର ମହୀ

ରତ୍ନାକରର ରତ୍ନରେ ଝଲସି ନାଚେ ତରଙ୍ଗ

ରଙ୍ଗମୟ ହୁଏ ଜୀବନର ଆଶା ସ୍ବପ୍ନ

ଝରେ ସ୍ରୋତସ୍ଵିନୀ ପ୍ରବାହିତ ହୁଏ ଅମିୟଧାରା

ଭୂମିରୁ ଭୂମା ହସି ହସାଏ କରେ ଆଶିଷ ପ୍ରଦାନ

ବନେ ଉପବନେ ପ୍ରସ୍ଫୁଟିତ ହୁଏ ସୁମନ

ଅନୁପମ କମନୀୟ ତା' ରୂପ ଗୁଣର ସମ୍ଭାର

ଆକର୍ଷି ନେଇ ମନ ପ୍ରାଣକୁ କରେ ବିମୁଗ୍ଧ

ସୁରଭି ତାର ବିଞ୍ଚିଦିଏ ମଳୟର ହିଲ୍ଲୋଳେ

ଶିହରଣ ଖେଳେ ପ୍ରତିଟି ତନୁମନେ

ଆହା ! କି ସୁନ୍ଦର ମଧୁମୟ ବିଶ୍ଵ ବ୍ରହ୍ମାଣ୍ଡ

ଅବଲୋକନେ ତାର ସ୍ତବ୍ଧ ହୁଏ ଦୃଷ୍ଟି ଭଙ୍ଗି

କୋଟି କୋଟି ପ୍ରଣାମ ଜଣାଇ ହୃଦୟ କହେ

ଏ ଅନନ୍ତ ମହିମା ସବୁ ପ୍ରଭୁଙ୍କ ଇଚ୍ଛା

ଇଙ୍ଗିତେ ତାଙ୍କର ହୁଏ ଗତି ପ୍ରଗତି ଅଗ୍ରଗତି

ସ୍ତମ୍ଭିତ ହୋଇଯାଏ ଝଡ଼ ଝଞ୍ଜା ବତ୍ୟା ମହାବାତ୍ୟା

କ୍ଷଣ କ୍ଷଣକେ ନା ନା ରୂପ ହୁଏ ରୂପାନ୍ତରିତ

ବୁଝିବାକୁ ସୃଷ୍ଟିତତ୍ତ୍ଵ ସ୍ଥୂଳ ଜ୍ଞାନ ହୁଏନା ଯଥେଷ୍ଟ

ଯିଏ ଅନାଦି ଅବ୍ୟୟ ଅକ୍ଷୟ ଅବିନାଶୀ

ତାଙ୍କୁ ଜାଣିବା ତାଙ୍କର ସାନ୍ନିଧ୍ୟ ଲଭିବା ପାଇଁ

ଜନ୍ମ ଜନ୍ମର ଆୟୁଷ ମଧ୍ୟ ହୁଏ ନିଅଣ୍ଟ 

ସେ ଇଚ୍ଛାମୟ ସେ ମଙ୍ଗଳମୟ ପରମ କାରଣ

ତାଙ୍କ ଆଶ୍ରା ଆଶ୍ରିତରେ ସାରା ଜୀବଜଗତ

ବଳିୟାର ଭୂଜେ ଧରିଛନ୍ତି ସଭିଙ୍କ ଜୀବନ ଡୋରି

ଦେଇଛନ୍ତି ଭରି ଚେତନାରେ ଆତ୍ମଶକ୍ତି

ଭାବ ବିନିମୟ କରିବାକୁ ଗଢ଼ି ମଧୁର ସଂପର୍କ

ପିତା ମାତା ଆତ୍ମୀୟଜନ ବନ୍ଧୁ ପରିଜନ ମଧ୍ୟରେ

ପରିବାରଠାରୁ ସମାଜର ବଡ଼ଦାଣ୍ଡ ପର୍ଯ୍ୟନ୍ତ

ସରସ ସୁନ୍ଦର ଭାବରେ କାଟିବାକୁ ପ୍ରତି ମୁହୂର୍ତ୍ତ

ସୁକର୍ମରେ ଆସେ ଯେତେ ହସଖୁସି ଆନନ୍ଦ

ହୀନ ଆଚରଣରେ ଆଖିରୁ ନିଗିଡ଼ି ପଡ଼େ ଲୁହ

ସେ ପରଂବ୍ରହ୍ମ ପୁରୁଷୋତ୍ତମ ଜଗତର ସ୍ବାମୀ

ସେ କରୁଣା ବାରିଧି ସେ ଅନ୍ତର୍ଯ୍ୟାମୀ

ହୁଏ ଯେତେ ଜୀବନର ଆବର୍ତ୍ତନେ ବିବର୍ତ୍ତନେ

ସେ କର୍ତ୍ତା କାରକ ରକ୍ଷକ ସବୁ ପ୍ରଭୁଙ୍କ ଇଚ୍ଛା 

ତାଙ୍କ ବିନା ନାହିଁ ଗତି କି ମୁକ୍ତି ସେ ହିଁ ମହାଶକ୍ତି

ସେ କାରଣର କାରଣ ସବୁ ପ୍ରଭୁଙ୍କ ଇଚ୍ଛା...।।

    


Rate this content
Log in

Similar oriya poem from Abstract