ସ୍ବର୍ଗଠାରୁ ବଳି ଗାଁ ମୋର
ସ୍ବର୍ଗଠାରୁ ବଳି ଗାଁ ମୋର
(ବାପଘର, ମାମୁଁଘର, ଶାଶୁଘର- ଗାଁ ତ ଗାଁ,ଏକ ପ୍ରକାର ସବୁ ଗାଁ
ସବୁବେଳେ ମନେପଡେ ତାର ସ୍ନେହ,ସରାଗ ଗାଁ ନୁହେଁ, ସେ ସ୍ୱୟଂ ମାଆ )
ଅମୃତ ପିଆଇ ଗଢିଛି ଯିଏ ମୋ ଆତମା,ପରାଣ, ଶରୀର
ଇଛାହୁଏ ପଦେକଥା କହେଁ ତାର ମାଟି,ପାଣି, ପବନର
ସେନେହ ସରାଗ ସର ସରକି ଦୁଧଭାତ ଗୋଳା ହାତର
କାକରା, ନୈବେଦ୍ୟ, କ୍ଷୀରି ଓ ଖେଚେଡ଼ି ପୂଜାଦିନ ପଧିପର
ଧୂପ,ମନ୍ଦାର, ଝୁଣା, ଦୀପେ ଶୋଭା ମଙ୍ଗଳା ମା'ଙ୍କବେଢାର
ସୀତାନାନୀ ଘର କ୍ଷୀର,ଛେନା ଆଉ ବାସନା ସେ ଘୋଳଦହିର
ପାରୁଆ ଖୁଡି,କୁଳିଆବୋଉ ସାଥେ ମନଖୋଲା ଗପଆସର
ନଈପଠା,ଧାନ କିଆରୀ ଭିତରେ କାଦୁଅ ନସର ପସର
ବାଁଶବାଡ଼ି, ଆମ୍ବତୋଟା, କ୍ଷେତ, ଖନ୍ଦାଶାଳ ଆଉ ତୁଠର
ଶିଳ, ଶିଳୁପୁଆ, ଢ଼ିଙ୍କିରେ ପେଷି ନେସିହେଇଥିବା ସ୍ନେହର
ନଡ଼ିଆ ବାହାଙ୍ଗା, ଜାଳକାଠ ହାଣି ବିଣ୍ଡି ପଡ଼ିଥିବା ହାତର
କୋଳରେ ବସାଇ ଖୋଇ ଦେଇଥିବା ଭାତ ଆଉ ମାଛବେସର
ଓଳି ତଳ ଝିପି ଝିପି ବରଷlକୁ ବେଙ୍ଗୁଲିର କେଁ -କଟର
ଖେଳ ଆଉ ଉଠା ସିନେମାଯେ ଭଲ ଥିଲେ ବଉଳ ଓ ମକର
ବାହାଘର ସାହି ଡାଲି, ଭାତ, କ୍ଷୀରି ଘଣ୍ଟା ଘଣ୍ଟି ଖଲି ପତର
କେମିତି ବଖାଣ କରିବିଯେ ନେଇ ସୀମିତ ମୋ ଜ୍ଞାନଭଣ୍ଡାର,
ସ୍ୱର୍ଗଠାରୁ ବଳି ପବିତ୍ର ତା' ଭୂମି ପ୍ରାଣକୁ କରଇ ଆତୁର
ଅତି ଆପଣାର ଗାଁ ମାଟି ଆଜି ମନକୁ କରଇ ବିଭୋର l
