ସୌଭାଗ୍ୟବତୀ ସେ କହ୍ନେଇ ମାଆ
ସୌଭାଗ୍ୟବତୀ ସେ କହ୍ନେଇ ମାଆ
ଦର୍ଶନ ଆକାଂକ୍ଷା, କେତେ ଯେ ପ୍ରତୀକ୍ଷା,
ଅନ୍ତ ହେଲା କାଲି ଦେଉଳେ ତୋର,
ଆଖିର ମିଳନ, ଥିଲା ତୋ ମଳିନ,
ଅପରିଚିତ ର ତୋ ବ୍ୟବହାର ।
ଯେବେ ଯାଏ ଜଗା ତୋ ବଡ଼ ଦେଉଳେ,
ପୁଣି ମୁଁ ଆସିବି କହିକି ଫେରେ,
ତୋ ମୁରୁକି ହସ ବାଙ୍କ ଚାହାଣୀକୁ,
ଯେତେ ଦେଖେ ଇଚ୍ଛା ଆହୁରି ଥରେ।
ଯେତେ ଭିଡ଼ ଥାଉ, ମୋ ଆଡ଼କୁ ଚାହୁଁ,
ଯେଣେ ଯାଏ ତେଣେ ତୋ ଚକାଆଖି,
ଲୋକ ଗହଳିରେ, ଲୁଚିଯାଏ ଯେବେ,
ବ୍ୟସ୍ତ ହେଇପଡୁ ମୋତେ ନଦେଖି ।
ମୋ ଉଦ୍ଦେଶ୍ୟେ କିଛି, କଥା କହୁ ବୋଧେ,
ବାରି ହୁଏ ତୋର ରଙ୍ଗାଅଧରୁ
ବୁଝିପାରେ ହେଲେ, ଶୁଭେନି ସେ କଥା,
ଜୟ ଜଗନ୍ନାଥ ଧ୍ବନି ଯୋଗୁଁ ରୁ ।
ରତ୍ନସିଂହାସନୁ ଓହ୍ଲେଇ ମୋ ପାଶେ,
ଆସିବାକୁ ଚାହୁଁ କଳା କହ୍ନେଇ,
ହେଲେ ପଣ୍ଡା ତୋତେ, ବାରଣ କରନ୍ତି,
ପୂଜା ନୀତି,ବେଶ, ନୈବେଦ୍ୟ ପାଇଁ।
ଭୁଲିଯାଏ ଯେତେ ସମ୍ପର୍କ,କାମନା,
ମୋତେ ଭାବୁ ଏତେ ନିଜର ଜାଣି,
ଫେରିବାକୁ ଇଚ୍ଛା ହୁଏନି ସେଲାଗି,
ବଢିଯାଏ ମୋର ପୁରୀ ରହଣି ।
ହେଲେ ମୁଁ ଚକିତ, କାଲି ଜଗନ୍ନାଥ,
ଦେଖାଦେଲୁ ହେଲେ ଅଚିହ୍ନା ପରି,
ଦୀର୍ଘ ଦିନ ମୋତେ ଦେଉଳେ ନଦେଖି,
ପାଶୋରି କି ଦେଲୁ ରେ ଦୁଃଖହାରୀ ।
କାରଣ ପଚାରି ଫେରିଲି ଦୁଃଖରେ,
ରାତିରେ କହିଲୁ ସପନେ ଆସି,
ମୋ କୁନି ମାଆକୁ ସଙ୍ଗେ ନଆଣିଲ,
ସେଥିପାଇଁ ରାଗେ ଥିଲି ମୁଁ ରୁଷି ।
କୁନି ମା' ମୋ ପାଇଁ, ଯଶୋମତୀ ଭଳି,
କାହ୍ନା ଡାକ ତାର ଶ୍ରେଷ୍ଠ ଏ ଜନ୍ମେ,
ତା ଲାଗି ତୁମଠି, ଏତେ ଭାବ ମୋର,
ସାଥେ ସେ ନଥିଲେ ଅଚିହ୍ନା ତୁମେ ।
ସକାଳୁ କହିଲି, କୁନି ଆଗେ ସବୁ,
କହିଥିଲା ଜଗା ସପନେ ଯାହା,
ଲୁହ ଧାରେ ମୁହେଁ, ଖୁସି ର ସମ୍ଭାର,
ସୌଭାଗ୍ୟବତୀ ସେ କହ୍ନେଇ ମାଆ ।