ସାଗରକୁ ପତ୍ର
ସାଗରକୁ ପତ୍ର


ହେ ମୋର ପ୍ରିୟତମ! ପ୍ରାଣପ୍ରିୟ ! ପ୍ରିୟ ସଖା !ନୀଳ ପାରାବାର
ଅନ୍ତରୁ ଲେଖୁଛି ପ୍ରଣୟ ପତ୍ର ମୋ କର ହେ ସ୍ୱୀକାର ।
କେମିତି ଅଛ ମୋ ପ୍ରଣୟ ପୟୋଧି, ପ୍ରେମ ସିନ୍ଧୁ,ରତ୍ନାକର
ତୁମ ଦରଶନ ପାଇଁ ସଖା ସଦା ବ୍ୟାକୁଳିତ ମନ ମୋର ।
କେତେ ପ୍ରେୟସୀର ପ୍ରିୟତମ ତୁମେ,ବାନ୍ଧିଛ ହୃଦୟ ଡୋର
ରଖିଛ କି ମନେ ଏ ପ୍ରିୟତମାକୁ ହୃଦେ ଯା କରିଛ ଘର ?
ସ୍ମୃତି ସାଗର ରେ ବୁଡି ରହି ମୁଁ ଯେ ବିରହ ରେ ଲୁହ ଢାଳେ
ଜଣା ନାହିଁ ପୁଣି ଘଟିବ କି ସେ ଅପୂର୍ବ ସଂଯୋଗ କେବେ ?
ମନେ ଅଛି ମୋର ଆଜି ବି ଆମ ମିଳନର ପ୍ରଥମ ମୁହୂର୍ତ୍ତ
ଦୂରେ ବସି ନିରେଖୁଥିଲି ତୁମ ସୁନୀଳ କାୟାର ସୌନ୍ଦର୍ଯ୍ୟ ।
ଚୁପି ଚୁପି କରି ବିଚି ତୁମ ଆସି ଚୁମିଗଲା ମୋ ପୟର
ସ୍ୱର୍ଗୀୟ ପ୍ରେମର ଶୀତଳ ସ୍ପର୍ଶେ ଶିହରିତ ତନୁମନ ମୋର ।
ତେଜି ସବୁ ଲଜ୍ଜ୍ଯା ବଢିଗଲା ପାଦ ତୁମ ଅଭିମୁଖେ ପ୍ରିୟ
ପିନ୍ଧେଇଲ ମୋତିମୁକ୍ତା ସାଥେ ଅଭୀଷ୍ଟ ତୁମ ବାହୁ ଅଳଙ୍କାର ।
ଦୃଢ ଆଳିଙ୍ଗନେ ଅଚେତ ପ୍ରାୟ ମୁଁ ଭୁଲିଗଲି ସବୁକିଛି
କହିବାର ଥିଲା କେତେ କଥା ମୋର ରହିଗଲା ସବୁ ବାକି ।
ଅଧାରେ ରହିଲା ମିଳନ ଆମର ଅଧରେ ହୃହୟ କଥା
ଅଧାରେ ଅଧାରେ ଅଧୀର ମନ ଉପଷମ ପାଇଁ ଅଧୁରା ବ୍ୟଥା
ଅପେକ୍ଷି ବସିଛି ମିଳନ ସୁଯୋଗ ଅସୀମିତ ଆଶା ରଖି
ସପ୍ରେମେ ସମାପ୍ତ କରୁଛି ଲିଖନ ,ଇତି ତୁମ ଦୂରଦେଶୀ ସଖି ॥