ସାବିତ୍ରୀଙ୍କ ପ୍ରାର୍ଥନା
ସାବିତ୍ରୀଙ୍କ ପ୍ରାର୍ଥନା
କରୁଛି ମିନତି ଆହେ ଜନ୍ତୁପତି
ଅଭାଗିନୀ କଥା ମାନ l
ଆହେ ଦଣ୍ତଧର ନ ନିଅ ମୋହର
ପ୍ରାଣପତିଙ୍କର ପ୍ରାଣ l
ମୁଁ ଅଟେ ସାବିତ୍ରୀ ପିତା ଅଶ୍ଵପତି
ସତୀ ମୁଁ ଅବଳା ନାରୀ l
ଅଳ୍ପାୟୁ ପତିଙ୍କୁ ସତ୍ୟେ ବରିଥିଲି
ନ ମାନି ମନା କାହାରି l
ସତ୍ୟ ମୋର କିମ୍ବା ହୋଇବ ଅସତ୍ୟ
ସତୀ ବାକ୍ୟ ଜନ୍ତୁରାଣ l
ବିଶ୍ୱାସ ସିନା ମୋ ସୂର୍ଯ୍ୟପୁତ୍ରେ ଥିଲା
ନାମ ଯାହାଙ୍କର ଯମ l
କାଳ ରୂପେ ତୁମ୍ଭେ ମହାକାଳ ପ୍ରଭୁ
ଆହେ ନ୍ୟାୟ ଦଣ୍ଡଧାରୀ l
ସମ ଭାବେ ତୁମେ ଶମନ ବୋଲାଅ
ପାଞ୍ଚ ମୋ ସତ୍ୟ ବିଚାରି l
ଲାଞ୍ଚ କଥା ବୋଲି ପାଞ୍ଚ ନ କରିବ
ନେବ ଯେବେ ପତି ମୋର l
ପତି ପ୍ରାଣ ଧରି ଯିବ ସତୀନାରୀ
ନିଶ୍ଚେ ସଂଯମନି ପୁର l
ତୁମେ ପରା ଧାତା ହେ ବିଶ୍ଵବିଧାତା
ଗତି ମୁକ୍ତି ଜୀବଙ୍କର l
ହେ ଦେବ କୃତାନ୍ତ ଛାୟାଦେବୀ ସୂତ
ଘେନ ପ୍ରଣତି ମୋହର l
ତୁମ୍ଭେ ବ୍ରହ୍ମଜ୍ଞାନୀ ପରମ ସଂଯମୀ
ବ୍ରହ୍ମାରେ ସମ୍ଭବ ଯେଣୁ l
ଆହେ କଇତବ୍ୟ କର ହେ କର୍ତ୍ତବ୍ୟ
ଗୁହାରୀ କରୁଛି ତେଣୁ l
ଆତ୍ମାରାମ ପ୍ରଭୁ ସର୍ବଜ୍ଞାତା ତୁମ୍ଭେ
ତୁମେ ପ୍ରଭୁ ପୁଣ୍ୟମିତ୍ର l
ସତୀର ମିନତୀ ଘେନ ଜନ୍ତୁପତି
ନୁହେଁ ମୁହିଁ ଅପବିତ୍ର l
ସତୀର ମହିମା ଅଲଂଘ୍ୟ ଦ୍ରାଘିମା
ଯମ କାହୁଁ ଯିବେ ବଳି l
ପତି ସତ୍ୟବାନ ଫେରାଇଲେ ପ୍ରାଣ
ମତି ଗଲା ତାଙ୍କ ଟଳି l
ଶ୍ୱଶୁର ଦ୍ୟୁମତସେନ ତାହାଙ୍କର
ଫେରିପାଇ ହୃତ ରାଜ୍ୟ l
ଲଭିଲେ ନୟନ ଶହେକ ନନ୍ଦନ
ସୁଖେ କଲେ ରାଜକାର୍ଯ୍ୟ l
ଏମନ୍ତେ ଅଟଇ ସତୀର ମହିମା
ବଶ ହେଲେ ଜନ୍ତୁପତି l
ଯୁଗେ ଯୁଗେ ସତୀ ପତିବ୍ରତା ନାରୀ
ପୁଜା ପାଇବେ ସାବିତ୍ରୀ l
