STORYMIRROR

Amarendra Chaudhuri Ojha

Comedy

3  

Amarendra Chaudhuri Ojha

Comedy

ସାବିତ୍ରୀ

ସାବିତ୍ରୀ

1 min
27.2K


ସାବିତ୍ରୀ

ମୋହ ନାହିଁ ମୋର ଦୀର୍ଘକାଳ ବଞ୍ଚିବାକୁ

ଭୋଗିବାକୁ ସଂସାର ଯନ୍ତ୍ରଣା ।

ଶୁଣିବାକୁ ଇଛା ନାହିଁ ନିସ୍ତବ୍ଧ ରାତ୍ରିରେ

ବହଳ ଅନ୍ଧାରରେ ନିର୍ଭୟାର କାରୁଣ୍ୟ ଚିତ୍କାର ।

ଦାନ ମାଝି ପରି ବିନା ଆମ୍ବୁଲାନ୍ସରେ ତୋ ଶବକୁ

କାନ୍ଧରେ କାନ୍ଧେଇ ମଶାଣି ନେଇ ଯିବାର ଶକ୍ତି ନାହିଁ ମୋର ।

ନିଜେ ଜଙ୍ଗଲ କାଟି ସଫା କରି ବର୍ଷାର ଆଶା ରଖୁଥିବା

ଓ ପ୍ରଚଣ୍ଡ ରୌଦ୍ରତାପ ପାଇଁ ରବିଙ୍କୁ ଦୋଷାରପ  କରୁଥିବା

ଲୋକଙ୍କ ସହ ସାମିଲ ହୋଇ ମୁଁ

ଘେରାଉ କରି ପାରିବିନି ନନ୍ଦପୁରରେ ଥିବା

ଆମ ବିଦ୍ୟୁତ କାର୍ଯ୍ୟାଳୟକୁ ବିଦ୍ୟୁତ କାଟ ପାଇଁ ।

ଦିନଟିଏ ବି ନିଜ ଘର ପଛ ପଟ ଅଳିଆ ସଫା ନ କରି 

ସ୍ୱଚ୍ଛ ଭାରତର ଭାଷଣବାଜି କରୁଥିବା ଲୋକମାନଙ୍କୁ

ମୁଁ କହି ପାରିବିନି ବନ୍ଦ୍ କର ଏ ସବୁ ପ୍ରହସନ ।

ପ୍ରଧାନମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରି ମୁଁ

ପ୍ରତୀକ୍ଷା କରି ପାରିବିନି ଯେ

ଉଷୁନା ଧାନ ଦିନେ ଗଜା ହେବ

ବିଦେଶରୁ କଳା ଧନ ଫେରି ଆସିବ 

ଭାରତ ପୁଣି ସୁନାର ଦେଶ ହେବ 

ରବର ରାସ୍ତାରେ ମୁଁ ଅଡ଼ି ଗାଡି ଚଢ଼ି

ବୁଲିବି ସହର-ସହର... ?

ତଥାପି କେଜାଣି କାହିଁକି 

ସବୁ ନାରୀଙ୍କ ପରି ତୁ ପ୍ରଯତ୍ନ କରୁ

ମୋ ଆୟୁଷର ଅବଧି ବଢ଼େଇବାରେ

ତୋ ହାତର ସାବିତ୍ରୀ ବ୍ରତ ଖଣ୍ଡକରେ 

ସାତ ଗଣ୍ଠି ଦେଇ ମୋ ଆୟୁଷକୁ

ଯୁଗଯୁଗ ପାଇଁ ସେଇ ଗଣ୍ଠିରେ

ଆବଦ୍ଧ କରି ରଖିବାକୁ ଶୁଭ ମନାସୁ ।

ତୋର ମୋ ପ୍ରତି ଥିବା ସ୍ନେହ, ମମତା ଓ

ଭଲ ପାଇବାର ମୋହ ଦେଖି ମୁଁ ବିମୋହିତ ହୁଏ ।

ମନରେ ଜାଗି ଉଠେ ଆଦିମ କାମନା ।

ଇଛା ହୁଏ ଜୀଇ ଯିବାକୁ ତୋ ସହ ଜନ୍ମ ଜନ୍ମାନ୍ତର ପାଇଁ ।

ସେଥିପାଇଁ ବୋଧେ

ଯେବେ ତୁ ମୋ ପାଦ ଛୁଇଁ ଆଶୀର୍ବାଦ ମାଗୁ 

ଅନାୟଷେ ମୋ ମୁହଁରୁ ବାହାରି ଆସେ ବାକ୍ୟଟିଏ

ଈଶ୍ୱର ତୋ ଇଚ୍ଛା ପୂର୍ଣ୍ଣ କରନ୍ତୁ ।

 

କବି- ଅମରେନ୍ଦ୍ର ଚୌଧୁରୀ ଓଝା

ବାଇବାଳ, ପୀରହାଟ ବଜାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy