ସ୍ୱାର୍ଥ ସର୍ବସ୍ବ ମଣିଷ
ସ୍ୱାର୍ଥ ସର୍ବସ୍ବ ମଣିଷ
ପ୍ରହଳିକାମୟ ଜୀବନ ରାସ୍ତା ରେ
କେମିତି ଚାଲିବି କୁହ
ସ୍ୱାର୍ଥନ୍ୱେଷୀ ଏଇ ଦୁନିଆକୁ ଦେଖି
ନିଃଶବ୍ଦେ ଝରାଏ ଲୁହ |
ଏଠି ସ୍ୱାର୍ଥପାଇଁ ସବୁ ହିଁ ସମ୍ଭବ
ଧଳା ହୋଇଯାଏ କଳା
ମଣିଷ ଭିତର ସ୍ୱାର୍ଥ ରାକ୍ଷସ ଟା
କରିଦିଏ ବୁଦ୍ଧିବଣା |
ସ୍ୱାର୍ଥ ପାଇଁ ପିତା ପିତୃତ୍ୱ କୁ ଭୁଲେ
ମାଆ କରିଦିଏ ପର
ଭଗ୍ନୀ କୁ ସୁରକ୍ଷା ଦେବା ପରିବର୍ତ୍ତେ
ଭାଇ କରେ ବଳାତ୍କାର |
ପ୍ରେମିକା ମନରେ ଆଶା ଶତପୁଷ୍ପ
ଫୁଟାଇ ପ୍ରେମିକ ଶେଷେ
ସ୍ୱାର୍ଥପର ଭାବେ ପ୍ରତାରକ ସାଜେ
ସମ୍ପର୍କ କୁ ଭୁଲି ବସେ |
ନ୍ୟାୟ ଭିକ୍ଷା ପାଇଁ ପ୍ରେମିକ ଦୁଆରେ
ଅବା ଅଦାଲତେ ଯୁଝେ
ଜୀବନ ଯୁଦ୍ଧରେ ହାରିଯାଏ ଯେବେ
ଜୀବନ ହାରଇ ଲାଜେ |
ବନ୍ଧୁ କରେ ଏଠି ବିଶ୍ୱାସଘାତକ
ସ୍ୱାର୍ଥ କୁ କରେ ସର୍ବସ୍ୱ
ସ୍ୱାର୍ଥ ପାଇଁ ବନ୍ଧୁ ଜୀବନ ନେବାକୁ
କରେନାହିଁ କୁଣ୍ଠାବୋଧ |
ମଣିଷ ଶରୀର ପ୍ରତ୍ୟେକ ଅଙ୍ଗକୁ
ସ୍ୱାର୍ଥ ହିଁ ବସିଛି ମାଡି
ସ୍ଵାଚ୍ଛନ୍ଦ ରେ ସିଏ କବଳିତ କରେ
ମଣିଷ ପାରୁନି ଛାଡି |
ପ୍ରତିକ୍ଷଣେ ନର ପ୍ରକୃତି ବଦଳେ
ଏଣ୍ଡୁଅ ପରିକା ଦିଶେ
ସରଳ ପଣରେ ସୁଯୋଗ ଆଳରେ
ଜଣେ ହିଁ ଅନ୍ୟକୁ ଶୋଷେ |
ଦେଖ ନା, କେମିତି ପ୍ରେମିକା ରୁ ସ୍ତ୍ରୀ
ହେବା ଅଭିନୟ କରେ
ସ୍ୱାର୍ଥବଶେ ମାରି ସ୍ୱାମୀକୁ ଶୁଆଏ
ରେଳ ଧାରଣା ମଝିରେ |
ମିଛେ ମିଛେ ଖାଲି ବିଧବା ହେବାର
ଛଳନା ସେ କରିଥାଏ
ଦୋଷମୁକ୍ତି ପାଇଁ ନେତା ମନ୍ତ୍ରୀଙ୍କର
ଅନୁଗତା ସାଜିଥାଏ |
ଦୋଷ କରି ଦୋଷୀ ପାଏନାହିଁ ଦଣ୍ଡ
ତେଲିଆ ମୁଣ୍ଡରେ ତେଲ
ବିନା ଦୋଷେ କେତେ ନିରୀହ ମଣିଷ
ଯାଏ ତୁଚ୍ଛାଟାରେ ଜେଲ |
ଏତେ କଳୁଷିତ ଶାସନ ବ୍ୟବସ୍ଥା
ହସିବାକୁ ଏଠି ଡର
ତାରିବା ଲୋକ ତ ମାରିବା ଶିଖାଏ
ବେଧଡକ ହୁଏ ଚୋର |
ବଡ ବଡିଆଙ୍କ ଭିତିରି କଥାକୁ
କା'ଆଗେ କହିବା କୁହ
ଦେଖି ଶୁଣି ସବୁ ଛାତିଫାଟିଯାଏ
ବଞ୍ଚିବା ଟା ଦୁର୍ବିସହ |
କେବେ ରାମରାଜ୍ୟ ପ୍ରତିଷ୍ଠା ହୋଇବ
ଭାବି ଭାବି ଦିନଯାଏ
ସ୍ୱାର୍ଥନ୍ବେଷୀ ଏହି ମଣିଷ ଯେପରି
ସଦଜ୍ଞାନ ଫେରିପାଏ |
ଏହି ଅଭିଳାଷ ମୋର ହେ ଶ୍ରୀରାମ
ଅଯୋଧ୍ୟା ରେ ଥାଇ ଦେଖ
ପାପକ୍ଳିଷ୍ଟ ଏହି ମାୟା ସଂସାର କୁ
ଘଣ୍ଟ ଘୋଡାଇ କି ରଖ ||