ସ୍ୱାଧୀନତା
ସ୍ୱାଧୀନତା
ସ୍ୱାଧୀନତା
ଏକ ଶବ୍ଦ ନୁହେଁ
ଏକ ଆବେଗ କି ଭାବ ବି ନୁହେଁ
ନୁହେଁ ବି ଏକ ଆନମନା ବାଆଁରା ପକ୍ଷୀ ।।
ସ୍ୱାଧୀନତା ଏକ ଚେତନା
ଜନ୍ମ ହୁଏ ମନର ଜନ୍ମ ସାଥିରେ
କିଏ ବା ଭଲ ପାଏ ବନ୍ଧନ ଯେ !
ନା ତରୁ ନା ପଲ୍ଲବ ....!
ନା ପତ୍ର ନା ପାଦପ !
ସ୍ୱାଧୀନତା ତ ନୀଳପଣତ
ପୃଥିବୀର
ଗୋଲାପି ଅଧର ଅମ୍ବରର
ଏମିତି ଏକ ଶକ୍ତ ହାତ
ଯିଏ ପାରେ ନିଜ ସହ ସଂସାରର ପାହାଚ ହୋଇ !
ସେଇ ତ ସ୍ୱାଧୀନତା
ଯିଏ ଫୁଟେଇ ପାରେ ହସ
ଭୋକିଲା ପେଟରେ ଭଙ୍ଗାକଲମରେ
ଚିରାପଣତରେ ।।
ରଙ୍ଗାୟିତ କରେ
ମାଟି ପାଣି ଆଉ
ସ୍ୱପ୍ନ ଛୁଆଁ ଆଖି ।।
ଅଭିନବ
ଆଶିଷର ସୂର୍ଯ୍ୟ ଉଆଁ
ପ୍ରତିକ୍ଷଣ
ହି ସ୍ୱାଧୀନତା
ଉଡୁଥିବା ତ୍ରିରଙ୍ଗା ହାତ ଠାରି କହେ
କୁଟି ଖାଅ କାଟି ପିନ୍ଧ
କଲମ ର ଧାରରେ କାଟିଦିଅ
ସମସ୍ତ ଦ୍ୱେଷ ଦୋଷ
ମାଆର କାନିରୁ
ପୋଛିହେଉ କୁସଂସ୍କାର ଅନ୍ଧାର ଅନ୍ଧବିଶ୍ୱାସ
ଆଧୁନିକ ହେବା ମାନେ ଆଲୋକିତ ହେବା
ପଛରେ ନୁହେଁ କି ଆଗରେ
ସାଥିରେ
ପାଦ ମିଳେଇ ପାଦରେ ।।
ଏକୁଟିଆ ଥକି ପଡୁଥିବା
ସ୍ନେହ ଶ୍ରଦ୍ଧା ଆପଣାପଣକୁ
ଭରସା ଦେବା ସ୍ୱାଧୀନତା ।।
ବର୍ଷାର କୋମଳ ବିନ୍ଦୁ ଛୁଇଁ ଦେବା
ଭିଜେଇଦେବା ଏକ ଅଭୁଲା ଆଶାରେ
ଘାସଫୁଲ ଓ ପଦ୍ମ ସାଥି ହୋଇ
ଗୋଟିଏ ତପନେ ହସିବା
ହି ସ୍ୱାଧୀନତା ।।
ଏକ ପବନ ଏକ ହି ପାଣି ଏକ ଜ୍ୟୋତି ସଂସାର
ଏକ ହି ଘାଟ ଠିଆ ସବୁ ଜାତି
ଏକ ହି ଜୀବନଧାର ।।
ସବୁ ହାଣ୍ଡିରେ ଭାତ
ସବୁ ମଥାରେ ଛାତ
କେବଳ ସ୍ୱାଧୀନତା ନୁହେଁ
ଗାନ୍ଧୀ କାଳେ କହୁଥିଲେ
ନିର୍ଭୟ ହୃଦୟଟେ
କଥାକୁହା ହସଟେ
ଡରନଥିବା ଆଖି ହଳେ
ରାତିର ମଝି ପହରେ
ଆଲୁଅ ହେଇ ବୁଲିପାରେ
ତେବେ ହି ଆମେ ସ୍ୱାଧୀନ ।।
ହେଇଛେ କି ନା !
ଏ ଯାବତ
କିଏ ଜାଣେ
ପ୍ରଶ୍ନ ତ ଲୁଚିଛି
ତା ଠିକଣାକୁ କରି
ପ୍ରଶ୍ନମୁଣି