ରଥ ବାହୁଡ଼ା
ରଥ ବାହୁଡ଼ା
________(ରାଗ -ବଙ୍ଗଳାଶ୍ରୀ)____________
କମଳ ଲୋଚନ ସେ କଳା ସାଆନ୍ତ
ଫେରୁଛନ୍ତି ଆଜି ଘରେ ।
କରେ ମୁଁ ପ୍ରଣାମ ମୋ ମନ ଭିତରୁ
ଯୋଡ଼ି ଦେଇ ଦୁଇ କରେ ।। ।।୧।।
ଖଣ୍ଡୁଆ ପାଟ କୁ ପରିଧାନ କରି
ଆହେ ପ୍ରଭୁ ପିତବାସ ।
ଖଗପତି ତୁମ୍ଭେ ଭକ୍ତ ମାନସରେ
କରୁଛ ନିତ୍ୟ ନିବାସ ।। ।।୨।।
ଗାଢ଼ ନିଦ୍ରା ଭରୁଁ ଉଠିଣ ଆସିଛି
ଛାଡି ମୋହ ମାୟା ଦ୍ୱେଷ ।
ଗାରିମା କିବାତ ଗାଇ ମୁଁ ପାରିବି
ଅଟେ ତୁମ୍ଭ ନିତ୍ୟ ଦାସ ।। ।। ୩।।
ଘଡ ଘଡ କରି ରଥେ ଆଜି ତୁମ୍ଭେ
ଫେରିବ ବଡ଼ ଦେଉଳ ।
ଘର୍ମ ଦୁଃଖ ନାହିଁ ଭକତ ମନରେ
ହୋଇଛି ଭାବ ବିହ୍ୱଳ ।। ।।୪।।
ଉଇଁ ଆସୁଥିବେ ବିବସ୍ୱାନ ଯେବେ
ସୁନେଲି ପୂର୍ବ ଆକାଶେ ।
ଉଇଁ ଆସୁଥିବ ଭକ୍ତ ହୃଦୟ ଯେ
ତୁମ୍ଭ ଭକ୍ତିର ପ୍ରକାଶେ ।। ।।୫।।
ଚଞ୍ଚଳା ମନରେ ଛନକା ପଶିଛି
ଫେରିବକି ନାହିଁ ଶ୍ୟାମା ।
ଚାହାଣୀ ମଣ୍ଡପେ ଚାହିଁ ରହିଥିବେ
ସିନ୍ଧୁ ସୂତା ରାଜଜେମା ।। ।।୬।।
ଛାଡି ଯାଇଥିଲ ଦେଉଳେ ଏକାକି
କରିଥିଲେ କିବା ଦୋଷ ।
ଛପନ ଭୋଗ କି ରନ୍ଧନ କରିବେ
ଉତ୍ତର ଦିଅ ହେ ଈଶ ।। ।।୭।।
ଜଡ ହୋଇଥିବ ଶ୍ରୀମନ୍ଦିର ନିଶ୍ଚେ
ହରାଇ ପ୍ରଭୁଙ୍କୁ ତା'ର ।
ଜୀବନ ଆସିବ ମିଳନ ହୋଇବ
ଦେଖିବ ସାରା ସଂସାର ।। ।।୮।।
ଝରି ପଡ଼ିବକି ଝିପଝିପି ବର୍ଷା
ଟାଣିଲା ବେଳେ ତୋ ରଥ ।
ଝାଡି ଦେବ ସତେ କରୁଣା ବରଷା
ପୂର୍ଣ୍ଣ ହେବ ମନୋରଥ ।। ।।୯।।
ନିଅଁଟିଆ ପ୍ରଭୁ କରିବ ନାହିଁ ହେ
କରୁଣା ବରଷା ତବ।
ନିଅଁଟିଆ ଭକ୍ତ ହେବେ ନାହିଁ ଯେବେ
ପୁରୀ ବଡ଼ଦାଣ୍ଡେ ତବ ।। ।।୧୦।।
ଟାହିଆ ହଲାଇ ବାମନ ବେଶରେ
ରଥେ ଚଢ଼ିବ ସାମନ୍ତ ।
ଟାଣୁଥିବେ ରଥ ଡାକୁଥିବେ ଭକ୍ତ
ଜୟ ଜୟ ଜଗନ୍ନାଥ ।। ।।୧୧।।
ଠକି ଆସିଥିଲ ସାଗର ଦୁଲ୍ହଣୀ
ହୃଦପ୍ରିୟ କମଳିନୀ ।
ଠାଣିରେ ଖୋଜିଲ ପ୍ରକୃତ ଭକତ
ଦେହ ମନ ସବୁ କିଣି ।। ।।୧୨।।
ଡର ଲାଗେ ମୋତେ କୋପ ଭରେ ଥିବେ
ଲକ୍ଷ୍ମୀ ମାଆ ସାଆନ୍ତାଣୀ ।
ଡର କି ନଲାଗେ ଲୀଳାମୟ ପ୍ରଭୁ
କୋଟି ଓଡ଼ିଆ ର ମଣି ।। ।।୧୩।।
ଢାଳି ଦେଲ ସିନା କରୁଣା ବରଷା
ଭକତ ପ୍ରାଣ ଜୀବନେ ।
ଢାଳିବ କିପରି ରସିକ ନାଗର
ପ୍ରେମ ସ୍ନେହ ପତ୍ନି ମନେ ।। ।।୧୪।।
ନାଗର ବୋଲିକି ନଥାଏ ଯେ ଡର
ରସିକିଆ ପ୍ରଭୁ ମୋର ।
ନାଥ ଅଟେ ତୁମ୍ଭେ ସାରା ଜଗତର
ନିତ୍ୟ ଦାସ ମୁଁ ତୁମ୍ଭର ।। ।।୧୫।।
ତରିବାକୁ ଭବ ସାଗରୁ କାଳିଆ
ମନେ କରିଛୁ ନିବାସ ।
ତାରଣ କରିବୁ ମୋ ପ୍ରାଣ ଜୀବନ
ଦେବୁନି ଆଉ ନିଃଶ୍ୱାସ ।। ।।୧୬।।
ଥରେ ତୁ କାଳିଆ ଦେରେ ସୁଯୋଗ
ଟାଣିବାକୁ ନନ୍ଦିଘୋଷ ।
ଥରେ ମୋର ମନ ଥରେ ମୋର ପ୍ରାଣ
ନହେଉ ଶେଷ ବିଶ୍ୱାସ ।। ।।୧୭।।
ଦରିଆ ରେ ଭାସି ଆସିତୁ କାଳିଆ
ଲଗାଇ ଅଛୁ କି ଲୀଳା ।
ଦାମୋଦର ତୋତେ ବୁଝି କେ ପାରିବ
ହେତୁ କାର ଅଛି ଭଲା ।। ।।୧୮।।
ଧନ୍ୟ ତୁ କାଳିଆ ଧନ୍ୟ ତୋର ଲୀଳା
ଦେବତା ସାରା ବିଶ୍ଵର ।
ଧରି ରଖିଅଛୁ ଏ ସାରା ସୃଷ୍ଟି କୁ
ନଚିନ୍ତି ଏହା ନଶ୍ଵର ।। ।।୧୯।।
ନନ୍ଦିଘୋଷ ଯେବେ ବଡ଼ଦାଣ୍ଡେ ଥିବ
ବଡ଼ ଦେଉଳର ମୁଖେ ।
ନନ୍ଦର ନନ୍ଦନ ହେ କଳା ସାଆନ୍ତ
ଫେରୁଥିବ କେଡେ ସୁଖେ ।। ।।୨୦।।
ପ୍ରସନ୍ନ ବଦନ ସେ ଚକାନୟନ
କଳାବଦନ କୁ ଦେଖି ।
ପାସୋରି ଯିବିକି ମୋ ସାରା ଦୁଃଖ କୁ
ରଙ୍ଗ ଅଧର କୁ ଦେଖି ।। ।।୨୧।।
ଫଣିରାଜ ପରି ରଥ ଦଉଡ଼ି କୁ
ବାସୁକି ନାମେ ବୋଲାଅ ।
ଫେରୁଥିବା ସେହି ତାଳଧ୍ଵଜ ରଥେ
ବଡ ଭାଇ ଙ୍କୁ ଦେଖାଅ ।। ।।୨୨।।
ବଡ଼ ରୋଚକ ସେ ଦୃଶ୍ୟ ହୋଇଥିବ
ହଳଦୀ ମୁଖୀ ର ବେଶ ।
ବସି ଫେରୁଥିବେ ଦର୍ପଦଳନ ରେ
ଲାଗିବ କେଡେ ସନ୍ତୋଷ ।। ।।୨୩।।
ଭକତ ମନରେ କେତେ ଯେ ଉଲ୍ଲାସ
କିବା ବାଖାଣିବି ମୁହିଁ ।
ଭାଇ ଭଉଣୀଙ୍କୁ ସଙ୍ଗେ ଘେନୁଥିବ
ସବୁ ଭକତ ଙ୍କୁ ଚାହିଁ ।। ।।୨୪।।
ମୋ ରାଣ କାଳିଆ ଦେଉଛି ରେ ତୋତେ
ଲଗାଇବୁ ତୋର ଡୋରି ।
ମାଉସୀ ମାଆ ଠୁଁ ସ୍ନେହ ପ୍ରେମ ପାଇ
ଯିବୁ ନାହିଁ ଟି ପାସୋରି ।। ।।୨୫।।
ଯଶ ଅପଯଶେ ଅଛି କାର ବଶ
ଏ ମାୟା ସଂସାରେ ତୋର ।
ଯଶୋଦା ର ବାଳ ଆହେ ହୃଷୀକେଶ
ବାହୁଡ଼ିବା ଦିନେ ସାର ।। ।।୨୬।।
ରମା ପତି ଆହେ ମୟୂର ଚୁଳିଆ
ରାଧା ରମଣ ମାଧବ ।
ରଙ୍ଗ ମଞ୍ଚର ଏ ଦୁନିଆଁ ବୁକୁରେ
ତୁମେ ହିଁ ସତ୍ୟ କେଶବ ।। ।।୨୭।।
ଲୋଭ କିବା ରଖି ଏ ଦୃଶ୍ୟ ଜଗତେ
କେ କିଛି ନେଇଛି ବୋହି ।
ଲଭିବା କୁ ଚିନ୍ତି ତୋ ଛନ୍ଦା ଚରଣ
ବାହୁଡ଼ିବା ଛାଡି ମହି ।। ।।୨୮।।
ଲକ୍ଷ୍ମୀ ପତି ଆହେ କରୁଣା ସାଗର
ଭକ୍ତ ଜନ ମନ ବନ୍ଧୁ ।
ଲଭିବେ ଭକତ ତୋ ହୃଦ କନ୍ଦର
କୃପା କର କୃପାସିନ୍ଧୁ ।। ।।୨୯।।
ଶରଧା ରେ ଭକ୍ତ ଟାଣୁଥିବେ ରଥ
ଶ୍ରୀମନ୍ଦିର ଅଭିମୁଖେ ।
ଶ୍ରୀମନ୍ଦିର ପୁଣି ପୂର୍ଣ୍ଣ ହୋଇଯିବ
ଶୀରି ଚାହିଁ ଥିବେ ସୁଖେ ।। ।।୩୦।।
ଷୋଳ କଳା ଭରା ସେ କଳା ସାଆନ୍ତ
ଦେଇଥିଲେ ଦିନେ କଥା ।
ଷଡ ଐଶ୍ୱର୍ଯ୍ୟର ଗନ୍ତାଘର ସେହି
ବୁଝିଲେ ପତ୍ନି ର ବ୍ୟଥା ।। ।।୩୧।।
ସରସ ବଦନେ ଅପେକ୍ଷା ର ଅନ୍ତ
ହୋଇବ ମାଆ ର ମୋର ।
ସରସୀ ରେ ଯେହ୍ନେ ଫୁଟଇ କମଳ
ଉଦୟ ରେ ଦିବାକର ।। ।।୩୨।।
ହେରା ପଞ୍ଚମୀରେ କୋପ ଭରେ ପରା
ଭାଙ୍ଗିଥିଲେ ରଥ ପହି ।
ହରିପ୍ରିୟା ଙ୍କୁ ତ ବଚନ ଦେଲ ଯେ
ଫେରିବା ନିଶ୍ଚିତ କହି ।। ।।୩୩।।
କ୍ଷମା ର ସାଗର କ୍ଷମା ଟି ମାଗିଲ
ନ ନେଲ ମାଆ ଙ୍କୁ ବୋଲି ।
କ୍ଷୀର ଚୋରା ଆହେ ପତିତପାବନ
ସବୁ କଥା ଯିବେ ଭୁଲି ।। ।।୩୪।।
**************
ରଚୟିତା - ପ୍ରକାଶ
