ହେ ଜଗନ୍ନାଥ
ହେ ଜଗନ୍ନାଥ
(ରାଗ- ବଙ୍ଗଳାଶ୍ରୀ)
ବିଶ୍ଵ ବାସି ଆଜି ଚାହିଁ ରହିଛନ୍ତି
ଦେଖିବେ ବୋଲି ତୋ ଯାତ ।
ବରଷକେ ଥରେ ରଥେ ବିଜେ ହୋଇ
ପତିତ ପାବନ ନାଥ ।। ।।୧।।
ବିଜେ ପହଣ୍ଡିରେ ରଥୋପରେ ବସି
ଆହେ ଜଗତର ସାଇଁ ।
ବଡ଼ ଦାଣ୍ଡେ ଧୂଳି ଉଡ଼ାଇ ଆସିବ
କରୁଣା ଜାଲ ବିଛେଇ ।। ।।୨।।
ବାମନ ରୂପରେ ରଥେ ତୋତେ ଦେଖି
ଭକତେ ମୋହିବେ ମନ ।
ବାରେ ଥରେ ଦେଖି ନୟନ ଯୁଗଳ
ଧନ୍ୟ ହେବ ମନ ପ୍ରାଣ ।। ।।୩।।
ବାଜୁଥିବ ଘଣ୍ଟ ଶଙ୍ଖ ମୃଦଙ୍ଗ ଯେ
ପଡୁଥିବ ହରିବୋଲ ।
ବାସି ଆସୁଥିବ ଚନ୍ଦନ କର୍ପୁର
ସୁଗନ୍ଧେ ହେବେ ପାଗଳ ।। ।।୪।।
ବିଶ୍ଵ ବାସୀଙ୍କୁ ତୁ ଦର୍ଶନ ଦେଉଛୁ
ଆହେ ମୋର ପରଂବ୍ରହ୍ମ ।
ବଳିଛି ଏ ମନେ ରଥେ ଦେଖିବାକୁ
ତୋର ସେହି ଦାରୁ ବ୍ରହ୍ମ ।। ।।୫।।
ବଳିଲେ କି ହେବ ଯାଇ ପରେ ନାହିଁ
ଟାଣିବାକୁ ତୋର ରଥ ।
ବାମନ ବେଶ ରେ ଦେଖିପାରିବିନି
ଆହେ ଜଗତର ନାଥ ।। ।।୬।।
ବାର୍ଦ୍ଧକ୍ୟ କାଳରେ କି କରିପାରିବି
ମରଣ ସଜ୍ଜା ରେ ଶୋଇ ।
ବିଜେ ହେବୁ ତୁହି ନନ୍ଦିଘୋଷ ରଥେ
ଭାଇ ଭଉଣୀଙ୍କୁ ନେଇ ।। ।।୭।।
ବଳ ନାହିଁ ଆଜି ଏ କ୍ଷୀଣ ଶରୀରେ
ନାହିଁ ପୁଣି ଯଉବନ ।
ବରଣ କରିବି ମରଣ କୁ ମୁହିଁ
ଶେଷ ହେବ ତନୁ ମନ ।। ।।୮।।
ବଳ ସିନା ନାହିଁ ମନ ମୋର ଅଛି
ମନେ କରିବି ଦର୍ଶନ ।
ବିଜେ କରିବକି ମୋ ମନ ରଥରେ
ହେ ପ୍ରଭୁ ଚକା ନୟନ ।। ।।୯।।
ବସି ରହିଥିବ ପ୍ରାଣ ଥିବା ଯାଏଁ
ସ୍ମରଣ ରଥରେ ମୋର ।
ବାହୁଡି ଆସିବ ବଡ଼ ଦେଉଳ କୁ
ସରିଲେ ଖେଳ ମୋହର ।। ।।୧୦।।
ବଳିଆ ସାଙ୍ଗରେ କାଳିଆ ହେ ତୁମ୍ଭେ
ବିରାଜିବ ସେହି ରଥେ ।
ବିସ୍ମରଣ ପ୍ରଭୁ କରିବ ନାହିଁ ହେ
ଭଉଣୀ ଆଣିବ ସାଥେ ।। ।।୧୧।।
ବିରାଜିବ ନିଶ୍ଚେ ଆୟୁଧ ସାଙ୍ଗରେ
ମୋର ଏହି କ୍ଷୁଦ୍ର ରଥେ ।
ବାମନ ବେଶ କୁ ଦର୍ଶନ କରିବି
ଚିର ଆନନ୍ଦ ର ସାଥେ ।। ।।୧୨।।
ବଢାଇ ଥିବ ହେ ମହାବାହୁ ତୁମ୍ଭ
ସାରା ଜଗତର ହିତେ ।
ବନ୍ଦୁଥିବି ମନେ ସେ ପଦ୍ମ ପୟର
ସାକ୍ଷୀ ରୁହ ତୁମେ ମିତେ ।। ।।୧୩।।
ବାନ୍ଧି ରଖିଥିବି ଭକ୍ତି ର ରୁଜ୍ଜୁ ରେ
ସ୍ମରଣ ରଥକୁ ମୋର ।
ବାସନା କାମନା ବଡ଼ଦାଣ୍ଡେ ରଖି
ଗଡାଇବୁ ରଥ ତୋର ।। ।।୧୪।।
ବିଶ୍ଵ ବ୍ୟାପି ତୁମ ଲୀଳା ର ପ୍ରସାର
ଚାଲିଥାଉ ନିତି ନିତି ।
ବିଷୟ ଚିନ୍ତାକୁ ନଷ୍ଟ କରୁଥାଅ
ଦେଇ ସଦା ହୃଦେ ଭକ୍ତି ।। ।।୧୫।।
*********
ରଚୟିତା - ପ୍ରକାଶ
