ପ୍ରାର୍ଥୀ ର ପ୍ରାର୍ଥନା
ପ୍ରାର୍ଥୀ ର ପ୍ରାର୍ଥନା
________ (ରାଗ- ବଙ୍ଗଳାଶ୍ରୀ)_____________
ଏ ଜଗତେ ଯେ ଜନମ ହୋଇଛି
ମରଣ ଯେ ସୁନିଶ୍ଚିତ ।
ତଥାପି ମନ୍ୟୁଷ ଜାଣିପାରୁ ନାହିଁ
ଆସିଛି କାହିଁକି ସେତ ।। ।।୧।।
ବିଶ୍ଵ ବ୍ୟାପି ଯେତେ ଜୀବ ଅଛନ୍ତି ତ'
ରସ ରଙ୍ଗେ ଭବେ ଲିପ୍ତ ।
ମଣିଷ ଯେ ଏକ ଉନ୍ନତ ଜୀବନ
କରିପାରେ ପ୍ରାୟଶ୍ଚିତ ।। ।।୨।।
ପ୍ରାର୍ଥୀ ଟିଏ ସିନା ପ୍ରାର୍ଥନା କରଇ
ମାଗେ ସୁଖ ଅପ୍ରମିତ ।
ଜାଣି ପାରେ ନାହିଁ ପ୍ରାର୍ଥନା କରେ କି
ଯାଚନା କରେ ସେ ଭୁକ୍ତ ।। ।।୩।।
ପ୍ରାର୍ଥନା କଅଣ ଜାଣିଛୁ କିରେ ତୁ
ମାଗୁ ଭଉତିକ ସୁଖ ।
ଲୋଭ ମୋହ ମାୟେ କେତେ ଦିନ ଥିବୁ
ହୋଇ ପୁଣି ଗଜ ମୂର୍ଖ ।। ।।୪।।
ଯାଚନା କରୁ ତୁ ଯାଚିଲା ବାଲା କୁ
ଯେ ଅଛି ସବୁ ତ ଦେଇ ।
ଜାଣି ନପାରି ତୁ କଅଣ କରୁଛୁ
ମାଗୁ ବାର ବାର ସେଇ ।। ।।୫।।
ନ ମାଗିବା ଆଗୁ ସବୁ ସେ ଦେଇଛି
ବସି ଅଛୁ ଯେଉଁ ରଥେ ।
ପିଣ୍ଡେ ପ୍ରାଣ ଥୋଇ କର୍ମ ତୋତେ ଛାଡି
ଚାଲି ଥାଏ ତୋର ସାଥେ ।। ।।୬।।
ମାତୃ ଗର୍ଭେ ସ୍ଥାନ ପୁଣି ସ୍ତନେ ପାନ
ଅମୃତ ତୁଲ୍ୟ ସେ ରସ ।
ମାଗିଥିଲୁ କିରେ ପ୍ରାର୍ଥୀ ଟିଏ ହୋଇ
ଯାଚିଣ ଦିଅନ୍ତି ଈଶ ।। ।।୭।।
ଛତ୍ର ଛାୟା ପାଇଁ ପିତାଙ୍କୁ ଦିଅନ୍ତି
କିଛି କରନ୍ତିନି ଊଣା ।
ପିତାର ପିତୃତ୍ୱ ସ୍ବର୍ଗ ଠାରୁ ଉଚ୍ଚା
ହୁଅନା ତୁ ବାଟ ବଣା ।। ।।୮।।
ପେଟ ପୋଷିବାକୁ ଦାନା ତୋତେ ଦେଲେ
କନା ପୁଣି ପିନ୍ଧିବାକୁ ।
ଯେମନ୍ତ ହେଲେବି ଗୁଜୁରାଣ ମେଣ୍ଟେ
ହରି ନାମ ଜପିବାକୁ ।। ।।୯।।
ମସ୍ତକ ରେ ଜ୍ଞାନ ଶରୀର ରେ ବଳ
ଦେଇଛନ୍ତି ମାପିଚୁପି ।
ତଥାପି କହୁ ତୁ' କିସ ଦେଇଅଛ
ନିଶ୍ଵ ବୋଲି ମହାପାପୀ ।। ।।୧୦।।
ଧନେ ମନ ଥୋଇ ରମିବା ପାଇଁ ଟି
କରୁ ଅପ୍ରମିତ ଚେଷ୍ଟା ।
ବୃଥା ହେଲେ ଚେଷ୍ଟା ହୋଇ ପଥ ଭ୍ରଷ୍ଟ
ନ ଚିହ୍ନୁ ଜଗତ ସ୍ରଷ୍ଟା ।। ।।୧୧।।
ତେଣୁ ରେ କୁମର ଏ କଥା ବିଚାରି
ଅସଲ ପ୍ରାର୍ଥନା ଜାଣ ।
ସୁପ୍ରାର୍ଥୀ ହୋଇ ତୁ ପ୍ରାର୍ଥନା ଯେ କର
ନ ମାଗି ତୁ ଧନ ଜନ ।। ।।୧୨।।
ପିଲାଦିନେ କେତେ ପ୍ରାର୍ଥନା କରୁତୁ
କହିବାକୁ ସଦା ସତ୍ୟ ।
କେଡେ ପାପୀ ଟିଏ ନିଜ ତୁଣ୍ଡ କଥା
ଭୁଲି ଯାଉ ନିତ୍ଯ ନିତ୍ଯ ।। ।।୧୩।।
ଅମୃତ ସନ୍ତାନ ଈଶ୍ଵର ଙ୍କ ତୁହି
ଜାଣି ଆତ୍ମ ତତ୍ତ୍ଵ କଥା ।
ନିଜକୁ ତୁ ଚିହ୍ନି ଜାଳି ଦୀପ ବହ୍ନି
ପ୍ରସନ୍ନ କରି ତୋ ମଥା ।। ।।୧୪।।
ହେ ଜଗତର ଈଶ କରୁଣା ବାରିଧି
ଏତିକି ଶିଖାଅ ମୋତେ ।
ସତ୍ୟ ପଥେ ରହି ଧର୍ମ ପଥେ ଚାଲି
ଯାଉ ଏ ପ୍ରାଣ ଜଗତେ ।। ।।୧୫।।
*********
By-Prakash
