ଅହଙ୍କାର
ଅହଙ୍କାର
_______ (ରାଗ- ବଙ୍ଗଳାଶ୍ରୀ)________
କାମ କ୍ରୋଧ ନାମେ ଷଡ ରୀପୁ ଯେଉଁ
ମନେ କରିଥାଏ ବାସ ।
ଅହଙ୍କାର ଏକ ପରମ ଶତ୍ରୁ ଯେ
ମନ୍ୟୁଷ କୁ କରେ ଗ୍ରାସ ।। ।।୧।।
ପୁତ୍ରଟିଏ ହେଲେ ପିତା ଗର୍ବ କରେ
ରଖିବ ଜାତି ର ଯଶ ।
ଅହଂକାରୀ ଯଦି ପୁତ୍ର ଟି ହୋଇବ
କରିଥାଏ ସର୍ବନାଶ ।। ।।୨।।
ପୁରାଣ ପୁରୁଣା ନୁହେଁ ବୋଲି ମୁଁ ତ
କହୁନାହିଁ ଏହି କଥା ।
ଶିଖାଏ ଜଗତେ ନୂଆଁ ନୂଆଁ କଥା
ହୋଇ ପୁଣି ନବ ଜନ୍ମିତା ।। ।।୩।।
ଗର୍ବ ଅହଙ୍କାରେ କେତେ କେତେ ବୀର
କେତେ ପୁଣି ମହାଜନ ।
ଅଛି କିରେ ଦର୍ପ ସେ ମିଥ୍ୟାହଙ୍କାର
ଦେଇଛି କାଳେ ପ୍ରମାଣ ।। ।।୪।।
ନେବି ନାହିଁ ରେ ଯେ ରାମାୟଣ କାଳେ
ଭରତଙ୍କ ଅହଙ୍କାର ।
ନେଲେ ନାହିଁ ରାଜ୍ୟ ହୋଇଗଲେ ପୂଜ୍ୟ
ପୁଣ୍ୟ ଭକ୍ତି ଅହଙ୍କାର ।। ।।୫।।
ସେହି ଯୁଗେ ପୁଣି ମହା ପରାକ୍ରମୀ
ଦଶଶିର ର କାହାଣୀ ।
ନ ଫେରାଇବା ର ଅହଙ୍କାରେ ପୁଣି
ଛାଡ଼ିଲା କଷ୍ଟେ ଧରଣୀ ।। ।।୬।।
ଆଉ ଏକ ଯୁଗେ ମହାଭାରତ ରେ
ଦେବି ନାହିଁ ରେ ସମର ।
ଶିଖାଇଲା କେତେ ଛୋଟ ବଡ଼ କଥା
ମହାମାନୀ ଅହଙ୍କାର ।। ।।୭।।
କାଳ ବଳ ଯାଏ ସମୟ ଚକ୍ରରେ
ଘୁରୁଛି ପୁଣ୍ୟ ର ଅଖେ ।
ତଥାପି ମନ୍ୟୁଷ ଅହଙ୍କାର ଭରେ
ଯାଏ ଶମଶାନ ପାଖେ ।। ।।୮।।
ଅଛନ୍ତି କେତେକ ଶୁପ୍ତ ଅହଙ୍କାରେ
ଜାଣନ୍ତିନି କିଛି ସେତ ।
ମୁଁ କିଛି କହୁନି ଡେଙ୍ଗୁରା ପିଟନ୍ତି
କରି ପୁଣି ଛାତି ସ୍ଫୀତ ।। ।।୯।।
କରେ କରେ ବୋଲି ଭାବି ଭାବି ତୁହି
କର୍ତ୍ତା ର ନାମ ବୋଲାଉ ।
ଆତ୍ମା ବିନା ତୁହି କିପରି କରୁଛୁ
ଚିର ନିଦ୍ରା ଭରେ ଶୋଉ ।। ।।୧୦।।
ଶରୀର ରେ ଆତ୍ମା ପିଣ୍ଡରେ ଯେ ପ୍ରାଣ
ବୋଲାଏ ଶିବ ସୁନ୍ଦର ।
ଶିବ ଚାଲିଗଲେ ଶବ କି କରିବ
କରୁ ମିଥ୍ୟା ଅହଙ୍କାର ।। ।।୧୧।।
ଯାହା କରୁଛି ମୁଁ ଈଶ୍ଵର କୃପାରେ
ନ କରେ ମୁଁ ନିଜେ କହି ।
ଏହି କଥା ଭାବେ ସେ ଯେଉଁ ମନ୍ୟୁଷ
ଅହଙ୍କାର ଶୂନ୍ୟ ସେହି ।। ।।୧୨।।
ଅହଙ୍କାର ଶୂନ୍ୟ ମନ୍ୟୁଷ ଟେ ହୋଇ
ଚାଲିଲେ ଜୀବନ ପଥ ।
ପ୍ରିୟ ହେଇଯିବୁ ଏ ସାରା ଜଗତେ
ଗଡ଼ାଇ ବିଜୟ ରଥ ।। ।।୧୩।।
ଯେ ଯାଏଁ ରହିବା ଏ ସୁନ୍ଦର ରଥେ
ଆତ୍ମା ସାରଥୀ କୁ ଧରି ।
ହରିଙ୍କୁ ଜପିଣ ହର ପ୍ରିୟ ହୋଇ
ଦିନ ସରି ଯାଉ ଥିରି ।। ।।୧୪।।
ମନଗଢା ନୁହଁ ଏ ଯେଉଁ କବିତା
ଉଦ୍ଧୃତ ବହୁ ପୁରାଣୁ ।
ନ କର ଭାବନା ଅହଂକାରୀ ମୁହିଁ
ତୁଚ୍ଛ ପ୍ରାଣୀଟିଏ ଜାଣୁ ।। ।।୧୫।।
***********
By-Prakash
