ରସିକିଆ କବି
ରସିକିଆ କବି
ଆଜ୍ଞା,
ସେଦିନ ମୋ ବେଳା ଭଲ ତ ନଥିଲା
ଫୋନ୍ କରୁଥିଲା ବେଳେ,
ଜାଣି ପାରିଲିନି ରିଙ୍ଗ୍ ହେଲା ଯାଇ
କେଉଁ ରଙ୍ଗ୍ ନମ୍ଵରରେ।
ହଠାତ୍ ଅଜଣା ବ୍ୟକ୍ତିର ଭଏସ୍
,ଶୁଣି ଫୋନ୍ କାଟିଦେଲି,
ସେପଟରୁ ପୁଣି ଫୋନ୍ ଆସିଗଲା
ଡରି ଯାଇ ଉଠେଇଲି।
ମିସ୍ କଲ୍ ମାରିଥିବାରୁ ତାଙ୍କଠୁଁ
ଦେଶୀ ସାହିତ୍ୟ ଶୁଣିଲି,
ଭାଗ୍ୟଦୋଷ ଭାବି ଦେହରେ ପକେଇ
ଆଡ୍ଜଷ୍ଟ କରିନେଲି।
ଦୋଷ ମାନି ଯାହା ଠିକଣା ପାଇଲି
ଆର ଗାଆଁ ବିଶିଷ୍ଟ କବି,
ବହୁବାର ସିଏ ସମ୍ମାନିତ ହୋଇ
ପାଇଛନ୍ତି ବି ଉପାଧି।
ହାସ୍ୟକବି ବୋଲି ଉପାଧି ତାଙ୍କର
ମିଳିଛି କରମ ଛଡ଼ା,
ତାଙ୍କ ହାବୁଡ଼ରେ ପଡିଗଲି ଯେଣୁ
ହେବି ନିଶ୍ଚେ ଦରମରା।
କିଛି କାମଦାମ କରନ୍ତିନି ଯେଣୁ
ନାଆଁ ତାଙ୍କ କର୍ମଛଡା,
ଯାହା ସଙ୍ଗେ ସିଏ ଗପକରୁଥିବେ
ତା' ଭାଗ୍ୟ ଖରାପ ପରା।
ଜାଣିଲି ଗପଟି ଆଉ ସରିବନି
ଅତି କମ୍ରେ ଦୁଇ ଘଣ୍ଟା,
ଗଲା ନନ୍ଷ୍ଟପ୍ ଗପି ଗପି ଆଜି
ଗରମ କରିବେ ମଥା।
ସତକୁ ସତ ସେ ପଚାରିଲେ ମୋର
ବୟସ ନାଁ ଠିକଣା,
ହଁ ସାହିତ୍ୟଟା କ'ଣ କହିପାରିବକି
ତୁମକୁ ଅଛି କି ଜଣା?
ନାହିଁ ଆଜ୍ଞା ମୁହିଁ ଜନ୍ମରୁ ମୂରୁଖ
ଭାଷା ଜ୍ଞାନ ଜଣା ନାହିଁ,
ଆପଣଙ୍କ ନାଆଁ ପେପରରେ ଦେଖି
ଭାରି ଖୁସି ହେଲି ମୁହିଁ।
ଆପଣଙ୍କ ଭଳି ରୋମାଣ୍ଟିକ କବି
ଖଣ୍ଡ ମଣ୍ଡଳରେ ନାହିଁ,
ଆପଣଙ୍କ ଲେଖା ମହିଳାମାନଙ୍କୁ
ବେଶୀ ଇମ୍ପ୍ରେସ କରଇ।
ଏତିକି କହିଛି ସାର୍ଙ୍କ ଫଣା
ଆପେ ପୁଣି ନଇଁ ଗଲା,
ଯେଣୁ ତାଙ୍କୁ ମୋର ଲେଡିଜ୍ ଭୟସ୍
ଫୋନ୍ରେ ଶୁଭୁଥିଲା।
ସାର୍ ଆଉ ମୋତେ ଫୁର୍ସତ ଦେଲେନି
ମୋ ପଛରେ ପଡିଗଲେ,
ତାଙ୍କ ସମ୍ବର୍ଦ୍ଧନା ଫଟୋଚିତ୍ର ଗୁଡ଼ା
ଘନଘନ ପଠାଇଲେ।
ରେଗୁଲାର ସେହି ଦିନଠାରୁ ମୋତେ
ଚାଟିଂ ସେ କରୁଥାନ୍ତି,
ମୁଁ ବି ସେମିତି କରମଛଡାଙ୍କ
ପ୍ରେମରେ ପଡି ଯାଇଛି।
ଧୀରେ ଧୀରେ ସିଏ ଆହୁରି ଆଗକୁ
ପାଦେ ପାଦେ ବଢୁଥାନ୍ତି,
ନକହିବା କଥା ହାଉଲେ ହାଉଲେ
ମୋତେ ପୁଣି କହୁଥାନ୍ତି।
ପ୍ରାୟ ସମୟରେ ମୋବାଇଲ ମୋର
ରିଚାର୍ଜ ବି କରୁଥାନ୍ତି,
ବିଭିନ୍ନ ଭଙ୍ଗୀର ଡିଜାଇନ୍ କରି
ନିଜ ଫଟୋ ଛାଡୁଥାନ୍ତି।
ରସିକିଆ କବି ରହିପାରିଲେନି
ରାଣ ନିୟମ ପକାଇ,
ଦେଖାକରିବାକୁ ଯିଦି ସେ ଧରିଲେ
ମୁଁ ବି ଗଲି ଆଗେଇ।
ନିର୍ଦ୍ଧାରିତ ସ୍ଥାନ ନିର୍ଦ୍ଦିଷ୍ଟ ସମୟେ
ଉଭୟେ ହୋଇଲୁ ଭେଟ,
କରମଛଡାଙ୍କ ଆଖି ଦୁଇଟା ଯେ
ଖୋଜେ ଆଉ କାହାକୁ ତ।
ମୁଁ କିନ୍ତୁ ଠିକ୍ ଚିହ୍ନିଛି ତାହାଙ୍କୁ
ସେ ବ୍ୟଙ୍ଗକବି ଅପର୍ତ୍ତି,
କହିବେକି ଆଜ୍ଞା ନିରୋଳା ସ୍ଥାନରେ
ରହି କାହାକୁ ଖୋଜନ୍ତି?
ଝୁଲଣ ମହାନ୍ତି କହିଥିଲେ ପରା
ଏଠିକି ଆସିବା ପାଇଁ,
ଏତେବେଳ ହେଲା ଅପେକ୍ଷା କରିଛି
ତାଙ୍କର ତ ଦେଖା ନାହିଁ।
ମୁଁ ସେହି ଝୁଲଣ ମହାନ୍ତିଟି ଆଜ୍ଞା
ମୋବାଇଲ ଫୋନ ଦ୍ଵାରା,
ଲେଡିଜ୍ ଟୋନ୍ରେ ଆପଣଙ୍କ ସହ
ଚ୍ୟାଟିଂ କରୁଥିଲି ପରା।
ଏ କଥାକୁ ଶୁଣି ରସିକ କବିଙ୍କ
ହୋଅସଟା ଉଡିଗଲା,
ସେହି ପିଲାଟିକୁ ଏ ଯାଏ ଖୋଜୁଛି
ଯିଏ ଏତେ କାଣ୍ଡ କଲା?