ରକ୍ଷାବନ୍ଧନ
ରକ୍ଷାବନ୍ଧନ
ଶ୍ରାବଣ ମାସ ଶୁକ୍ଳ ପକ୍ଷର
ପୂର୍ଣ୍ଣିମା ତିଥି ଜାଣ
ଭାଇ ଭଉଣୀର ଅନନ୍ତ ପର୍ବ ସେ
ରକ୍ଷାବନ୍ଧନ ତା ନାମ।
କାହିଁ କେତେ କାଳୁ ଚାଲି ତ ଆସିଛି
ଅତୁଟ ସମ୍ପର୍କ ଭାଇ ଭଉଣୀର
ଅମାପ ସ୍ନେହଶ୍ରଦ୍ଧାର ଅଟେ ଏହି ପର୍ବ
ନାହିଁ ତାର ପଟାନ୍ତର ।
ରାଜସଭା ମଧ୍ୟେ ଶିଶୁପାଳ ବୀର
କଲା ଯେବେ ଅପମାନ
ସବୁ ମଥାପାତି ସହିଗଲେ ପ୍ରଭୁ
ସବୁ ଦେଖି ଶୁଣି ହୋଇତ ମଉନ।
ଏକ ଶତ ବାର ଅପମାନ ଶୁଣି
ହେଲେ ପ୍ରଭୁ ଶ୍ରୀକୃଷ୍ଣ ଆହତ
ସୁଦର୍ଶନ ଚକ୍ର ପେଶିଣ ତାହାକୁ
ସଭା ମଧ୍ୟେ କଲେ ନିହତ।
ସୁଦର୍ଶନ ଚକ୍ର ପାଇଁ ଆଙ୍ଗୁଠିରୁ
ତାଙ୍କ ପଡ଼ିଲା ଝରି ରୁଧିର
ଭାଇ ଶ୍ରୀକୃଷ୍ଣଙ୍କ ଦୁଃଖ ସହି ନ ପାରିଲେ
ଦ୍ରୌପଦୀ ହେଲେ ଆତୁର।
ତତକ୍ଷଣାତ ଦ୍ରୌପଦୀ ବାନ୍ଧିଥିଲେ ପଟି
ନିଜ ପିନ୍ଧାବସ୍ତ୍ରକୁ ଯେ ଚିରି
ଭାଇ ହୋଇ ଭଉଣୀର ଋଣ ସୁଝିଥିଲେ
ସଙ୍କଟ କାଳରେ ହରି ।
କୁରୁସଭା ମଧ୍ୟେ ଦୁଃସାଶନ ଯେବେ
କଲା ଦ୍ରୌପଦୀ ବସ୍ତ୍ର ହରଣ
କୋଟି ବସ୍ତ୍ର ଦେଇ କୃଷ୍ଣ ସାହା ହେଲେ
କଲେ ତାର ଲଜ୍ୟା ନିବାରଣ।
ଭକ୍ତିଭାବେ ଯେବେ ମହାଦାନୀ ବଳୀ
ବିଷ୍ଣୁଙ୍କୁ କଲା ଯେ ବଶ
ଭକ୍ତର ଭାବରେ ବନ୍ଧା ହେଲେ ପ୍ରଭୁ
ରହିଗଲେ ତା ନିବାସ।
ପ୍ରଭୁଙ୍କ ବିହୁନେ ମହାଦେବୀ ଯେ କମଳା
ଦିନରାତି ଭାଳି ହେଲେ
ରାକ୍ଷୀଟିଏ ବାନ୍ଧି ରାଜା ବଳୀଙ୍କ ହସ୍ତରେ
ହରିଙ୍କୁ ବୈକୁଣ୍ଠ ନେଲେ।
ଏହି ଦିନ ଶୁଭ ଯେ ମନାସୀ ଭଉଣୀ
ରାକ୍ଷୀଟିଏ ଭାଇ ହାତେ ବାନ୍ଧି ଦିଏ
ପ୍ରତି ବଦଳରେ ନିଜ ସୁରକ୍ଷାର ପ୍ରତିଶ୍ରୁତି
ଭାଇଠାରୁ ସିଏ ପାଇଥାଏ ।
କପାଳେ ଚନ୍ଦନ ଶିରେ ଅରୁଆ ଚାଉଳ ଦେଇ
ଦୀପଟିଏ ଜାଳି କରେ ବନ୍ଦାପନା
ଅନ୍ତରର ସ୍ନେହ ଶ୍ରଦ୍ଧା ଭାଇ ପାଖେ ଢ଼ାଳି
ଭଉଣୀ କରେ ଶୁଭ କାମନା ।
ରକ୍ଷା ବନ୍ଧନରେ ଭଉଣୀ କରେଟି ଅର୍ଦ୍ଦଳି
ଭାଇ କେବେ ଭୁଲିଟି ନ ଯିବୁ
ଜଗନ୍ନାଥଙ୍କ ଭଉଣୀ ସୁଭଦ୍ରାଙ୍କ ପରି
ପାଖେ ପାଖେ ରଖିଥିବୁ।
ଖାଲି ଡୋରି ନୁହେଁ ସ୍ନେହ ମମତାର ସିଏ
ଅଟେ ସମ୍ପର୍କର ସାକ୍ଷୀ
ଭାଇ ଭଉଣୀର ଅତୁଟ ବନ୍ଧନ ରହିଥିବ
ହାତେ ବାନ୍ଧିଥିଲେ ରାକ୍ଷୀ
ଯୁଗେ ଯୁଗେ ଥାଉ ଭାଇ ଭଉଣୀ ସଂପର୍କ
ସ୍ନେହାମୃତ ଧାରା ଅବିରତ ବହୁଥାଉ
ଶାନ୍ତି, ମୈତ୍ରୀ ଡୋରିରେ ସର୍ବେ ବାନ୍ଧି ରହିଥାନ୍ତୁ
ରକ୍ଷାବନ୍ଧନ ଏହି ବାର୍ତ୍ତା ଦେଉ ।