ରେବତୀରୁ ରୋବୋଟ୍
ରେବତୀରୁ ରୋବୋଟ୍
ଆଲୋ,ହେ !! ଝୋଟି ପକା କାମ ଛାଡ !
ସକାଳୁ ସକାଳୁ ଅଙ୍କ କଷ
କ୍ଲାସରେ କେମିତି ଟପ୍ ହେବୁ ଚିନ୍ତା କର
ଝୋଟି ନ ପଡ଼ିଲେ ବି ଚଳିବ
ସେ ପୁରୁଣା କାଳିଆ ଜେଜେ ମା, ମୁଁ ନୁହଁ!!
ରନ୍ଧା ବଢା ଶିଖ, ପିଠା ତିଆରି ଶିଖ
ପାଠ ପଢ଼ାରୁ କଣ ମିଳିବ!! ସେ କଥା ନାହିଁ !!
ମୁଁ ଏ ଯୁଗର ଜେଜେ,
ତୋ ବାପାଙ୍କ ଅକାଳ ବିୟୋଗ ପରେ
ତୋର ସବୁ ଦାୟିତ୍ଵ ମୋ ଉପରେ!!
ଆଜିକାଲି ଲେଡିସ୍ ଫାଷ୍ଟ୍
ସବୁ କାମରେ ଆଗୁଆ ହେବାକୁ ହେବ
ଲାଜ ସରମ ଦୁଇଟି ପୁରୁଣା ପଦ
ସେ ଜମାନା ଆଉ ନାହିଁ,
ସବୁ କାମ କରିବାକୁ ହେବ
ଘର କାମ ସହିତ ପାଠ ପଢ଼ା
କେତେ ସମୟ ଲାଗୁଛି ରୋଷେଇ କାମ!!
ଫଟାଫଟ ସବୁ କାମ ହେବ
ନ ହେଲେ ପଛରେ ରହିଯିବୁ!!!
ଆଜିକାଲି ଅଲ୍ ରାଉଣ୍ଡର ହେବାକୁ ହେବ
ପ୍ରକୃତିର ନିୟମ,କେହି ବଦଳେଇ ପାରିବେନି !!
ଏ ପୁଅ ପିଲା ଗୁଡାକ ହୁକୁହୁକୁ ହେବେ !
ସେମାନେ କମେଣ୍ଟ କରିବେ,କରନ୍ତୁ
ଆମର ସିରିୟସ ହେବାର ନାହିଁ
ଆମକୁ ଆମର ଲକ୍ଷ ସ୍ଥଳରେ ପହଞ୍ଚିବାକୁ ହେବ !!
ତୁ ଆମର ସେଇ ରେବତୀ ନୁହଁ!
ତୋତେ ରୋବୋଟ୍ ପରି ହେବାକୁ ହେବ
ଘର ଭିତରେ ବସି ରହିଲେ ହେବନି
ଖେଳ,ନାଚ,ସଙ୍ଗୀତ ସହିତ ପାଠ ପଢ଼ା
ସମୟର ଠିକ୍ ସଦୁପଯୋଗ
ଅଯଥା ସମୟ ନଷ୍ଟ କରିବାର ନାହିଁ
ସମୟ ଥାଉ ଥାଉ ସବୁ ଶିଖିବାକୁ ହେବ !!
ନାରୀ ଅବଳା ଦୁର୍ବଳା ,ସିଏ ପୁରୁଣା କଥା
ସେତେବେଳର ସମାଜ ଥିଲା ପୁରୁଷ ପ୍ରଧାନ
ସେତେବେଳର କବିର ଏ ଦୁର୍ବଳ ଭାଷା
ପ୍ରତି କ୍ଷେତ୍ରରେ ଏବେ ମହିଳା
ଏବେ ଯୁଦ୍ଧ କ୍ଷେତ୍ରରେ ବି ସାମିଲ୍
ଆମେ କାହିଁକି ଘରେ ରହି କେବଳ ଘର କାମ !
ଘର କାମ ସହିତ ବାହାରେ କାମ କରିବାକୁ ହେବ!
ଆମକୁ ପ୍ରସ୍ତୁତ ହେବାକୁ ହେବ !
କାଳ ଅକାଳ କିଛି ନାହିଁ
ଜନ୍ମ ଅଛି,ମୃତ୍ୟୁ ବି ଅଛି
ବାପା ନାହାନ୍ତି ବୋଲି ଭାଙ୍ଗି ପଡ଼ିଲେ ହେବନି !
ପିଲା ସୁନାମ ଅର୍ଜନ କଲେ, ବାପାଙ୍କ ଗୌରବ
ବାପା ନ ଥାଇ ମଣିଷ ହେଲେ ,ସବୁଠି ଗୌରବ
ସେ ପାରୀରେ ଥାଇ ବି ବାପା ଗର୍ବିତ ହେବେ!
ଆଜିଠୁ ସକାଳୁ ଉଠି ଝୋଟି ପକା କାମ ବନ୍ଦ
ଅଯଥା ସମୟ ନଷ୍ଟ!!
ସେଇ ସମୟ ଅନ୍ୟ କାମରେ ବିନିଯୋଗ ହେଉ
ଯେଉଁ କାମରେ ଆମର ଭବିଷ୍ୟତ ଅଛି
ତା କୁ ମନ ପ୍ରାଣ ଦେଇ କରିବାକୁ ହେବ
ଏବେ ତୋର ସ୍କୁଲ୍ ଯିବା ସମୟ
ପାଠ ପଢାରେ ମନ ଦିଅ
ରେବତୀ ନାମ ରହୁ,କିନ୍ତୁ କାମ ରୋବୋଟ୍ ପରି!!
