ରେ ପୁଷ୍ପ ତୁହି
ରେ ପୁଷ୍ପ ତୁହି
କୋମଳତାର ପ୍ରାଙ୍ଗଣରେ ହୃଦୟର ଦୁଃଖ,
ହରିନେଉ କ୍ଷଣିକରେ ଆହା ତୋ ମହକ ।
ମନରେ ସତେଜତା ଭରୁ ଭାବର ବଣିକ,
ପୁଷ୍ପରାଗ କଳ୍ପନା ରେ କବିର ସମ୍ପର୍କ ।
ପ୍ରେମଭରା ରୂପକଳ୍ପ ହୃଦୟେ ସ୍ୱପ୍ନରାଜି,
ଅନନ୍ୟା ଶୁଭ ସମ୍ଭାରେ ପୁଲକ ତୁ ସାଜି ।
ବିଭୁକୃପା ବଳେ ଧନ୍ୟ ଆହାରେ ପୁଷ୍ପରାଜି,
ଚେତନାରେ ଭରା ବାର୍ତ୍ତା ମହକେ ବିରାଜି ।
ଅଭିଯୋଗ, ଅଭିମାନ କେବେ ନାହିଁରେ ତୋର,
ବାର୍ତ୍ତା ହୋଇ ମହକ ତୋ ବାସେ ନିରନ୍ତର ।
ପ୍ରଭୁଙ୍କର ଗଳାହାର ତ,କେବେ ମଣିଷର,
ଦୁଃଖ, ସୁଖ ଭାବ ନାହିଁ ଦିବ୍ୟ ଚେତନାର ।
ମଧୁମୟ ଲଳିତ୍ୟ ଭରା ନିଃଶବ୍ଦ ଗୁଞ୍ଜନ,
ରଙ୍ଗମଖା ଅନ୍ୟପାଇଁ ସମ୍ଭାର ପାର୍ବଣ ।
ପ୍ରେମ, ପ୍ରଣୟର ଧାରେ ଅନୁରାଗ ସାନିଧ୍ୟର,
କବିର କଳ୍ପନା ସାଜି ସ୍ମୃତିର ରୂପକାର ।
ରୂପମୟୀ ବର୍ଣ୍ଣବିଭା ବିବଶତା ସମୀପରେ,
ଫଗୁଭରା ଅଳସୀଲୋ ପବିତ୍ର ଓଁ କାରେ ।
ପୂର୍ଣ୍ଣକଳି ଅଳିନାହିଁ ପ୍ରସ୍ଫୁଟିତ ଧରାରେ,
ନିସର୍ତ୍ତ ବାର୍ତ୍ତା ନବଉଷା ଆଗମନରେ ।