ପୂଣ୍ୟ ପଞ୍ଚୁକ
ପୂଣ୍ୟ ପଞ୍ଚୁକ
ପବିତ୍ର କାର୍ତ୍ତିକେ ପୁଣ୍ୟ ପଞ୍ଚୁକ
ପାଳିଲେ ବ୍ରତ ଘୁଞ୍ଚଇ ପାତକ।
ନିଷ୍ଠାର ସାଥେ ସଭିଏଁ ପାଳନ୍ତି
ନିରାମିଷ ଖାଦ୍ୟ ହବିଷ୍ୟ ଖାନ୍ତି।
ଶୁଦ୍ଧ ମନେ ପ୍ରାଣେ ବିଶ୍ଵାସ କରି
ଶୁଭ ମନାସନ୍ତି ବିଭୁଙ୍କୁ ସ୍ମରି।
ବିଶେଷ ଭାବରେ ପାଳନ୍ତି ନାରୀ
ପରିବାରର ଶୁଭ ଚିନ୍ତା କରି।
ପ୍ରଭାତରୁ ଉଠି କରନ୍ତି ସ୍ନାନ
ଦେବାଦେବୀ ପାଦେ ରଖନ୍ତି ଧ୍ୟାନ।
ଚଉରା ନିକଟେ ଆଙ୍କି ମୁରୁଜ
ସୁନ୍ଦର ଝୋଟିର କରନ୍ତି ସଜ।
ବାଉଁଶ ଅଗରେ ଆକାଶ ଦୀପ
ଜାଳି ଦୂର କରି ଥାଆନ୍ତି ପାପ।
କାର୍ତ୍ତିକ ଶୁକ୍ଳ ଶେଷ ପାଞ୍ଚଦିନ
ପୁଣ୍ୟ ପଞ୍ଚକ କରନ୍ତି ପାଳନ।
ଏକାଦଶୀଠାରୁ ପୂର୍ଣ୍ଣିମା ଯାଏଁ
ପାଳନ୍ତି ପଞ୍ଚକ ବ୍ରତ ସଭିଏଁ।
ପୂଣ୍ୟ ପଞ୍ଚୁକ ଭିନ୍ନ ଭିନ୍ନ ନାମେ
ଅଛି ଶାସ୍ତ୍ରୀୟ ବିଧିର ନିୟମେ।
ସେ ବକ ପଞ୍ଚୁକ ବିଷ୍ଣୁ ପଞ୍ଚୁକ
ଭୀଷ୍ମ ପଞ୍ଚୁକ ନାମରେ ଯେତେକ।
ଏ ପାଞ୍ଚ ଦିନ ବଗ ପାଳେ ବ୍ରତ
ଖାଏନି ଆଇଁଷ ରହେ ଧ୍ୟାନରତ।
କାର୍ତ୍ତିକ ଅଟଇ ଧରମ ମାସ
ସ୍ୱଚ୍ଛ ନିର୍ମଳ ରହେ ପରିବେଶ।
ଫୁଲ ଫଳରେ ହସଇ ପ୍ରକୃତି
ବିଲ ବଣ ଦିଶେ ସୁନ୍ଦର ଅତି।
ଓଡ଼ିଆ ଜାତିର ଗର୍ବ ଗୌରବ
ବିଶ୍ଵେ ପ୍ରଚାରେ ତାର ଭ୍ରାତୃଭାବ।
ଜଗତର ନାଥ ଶ୍ରୀଜଗନ୍ନାଥ
ଶ୍ରୀକ୍ଷେତ୍ରରେ ରହି ଦେଖାନ୍ତି ପଥ।
ପଞ୍ଚୁକରେ ହୋଇ ପାଞ୍ଚଟି ବେଶ
ଏ ସଂସାରକୁ ଦିଅନ୍ତି ଆଶିଷ।
ସ୍ମରଣ କରି ପୂର୍ବ ପରମ୍ପରା
ବୋଇତ ବନ୍ଦାଣ ହୁଅଇ ପରା।
ବାଣିଜ୍ୟେ ସାଧବ ବିଦେଶ ଯାଇ
ଫେରୁଥିଲେ ଧନ ଦୌଲତ ନେଇ।
ସେଇ ସ୍ମୃତିରେ ପାନ ଗୁଆ ଥୋଇ
ପୁନେଇଁରେ ଦେଉ ନୌକା ଭସାଇ।
ଆ କା ମା ବୈ ର ଗୀତ ଗାଇ ଗାଇ
ପୁଞ୍ଚୁକ ପାଳନ୍ତି ଆନନ୍ଦ ହୋଇ।
ମହାନ ସଂସ୍କୃତିକୁ ଦେଇ ମାନ
ସୁଖ ଶାନ୍ତିରେ ବିତାଉ ଜୀବନ।