STORYMIRROR

Kulamani Sarangi

Classics Others

2  

Kulamani Sarangi

Classics Others

ପୁରୁଷୋତ୍ତମ ଦେବ(ଭାଗ - ୪)

ପୁରୁଷୋତ୍ତମ ଦେବ(ଭାଗ - ୪)

1 min
8.4K


(ଐତିହାସିକ କାବ୍ୟାଂଶ)


ଦେଖି ହମ୍ବିରଙ୍କୁ* ରାଗେ ଜର ଜର,

ପୁରୁଷୋତ୍ତମ ବୋଲନ୍ତି

"ଚିତ୍ତ କରି ସ୍ଥିର ସୂର୍ଯ୍ୟବଂଶୀ ବୀର

ଶୁଣ ବାରେ ମୋର ଉକ୍ତି।

ସ୍ୱୟଂ ଜଗନ୍ନାଥ, ଏ ଉତ୍କଳ କ୍ଷେତ୍ର

ମଉଡମଣି ହେ ବୀର,

ତୁମ୍ଭେ ହୁଅ ଅବା ଆମ୍ଭେ ଗଜପତି,

ପ୍ରତିନିଧି ଟି ତାଙ୍କର।

ମୁଁ ଦାସାନୁଦାସ,ପ୍ରଭୁଙ୍କ ଆଦେଶ

ପାଳନୀୟ ମୋର ଆର୍ଯ୍ୟ !

ଜଗନ୍ନାଥଙ୍କର ସ୍ୱପ୍ନାଦେଶ ଆମ୍ଭ

ସମସ୍ତଙ୍କ ଶିରୋଧାର୍ଯ୍ୟ।

ତାଙ୍କ ପ୍ରତିନିଧି ହୋଇ ମୁଁ ପାଳିବି

ଏ ଭୁଖଣ୍ଡ ସେହି ହେତୁ,

'ଥାଟରାଜା' ହେବ ଦକ୍ଷିଣରେ ତୁମ୍ଭେ

ବଇରୀ କୁଳର କେତୁ।"

ଆଦେଶ କି ଅନୁରୋଧ କଲେ ଏହା

ହମ୍ବିର ନପାରି ଜାଣି,

ବୋଇଲେ "ତୁ ମୋର ପୁତ୍ର ବୟସର

ପ୍ରଭୁ ବୋଲାଇବୁ ପୁଣି !

ଏ ପ୍ରଳାପ ତୋର ଶୁଣିବାକୁ ମୋର

ତିଳେମାତ୍ର ଧୈର୍ଯ୍ୟ ନାହିଁ,

କୃତିବାସ କ୍ଷେତ୍ର ଶୀଘ୍ର ଛାଡ ଭ୍ରାତ

ଅନ୍ୟ ଗତି ତୋର କାହିଁ?"

ସେନାପତି ପ୍ରତି ଅନାଇଁ ବୋଲନ୍ତି

ହମ୍ବିର ବୀରକେଶରୀ,

"ନଗର ଉପାନ୍ତେ ସୈନ୍ୟ ମୋ ଅଛନ୍ତି

ଯାଅ ତାଙ୍କୁ ସଙ୍ଗେ ଧରି।

ବାରବାଟୀ ଦୁର୍ଗ ସଇନ ବଳକୁ

ଆଦେଶ ଦିଅ ହେ ବୀର,

ଆମ୍ଭ ସଙ୍ଗେ ମିଶି ଦିଅନ୍ତୁ ସେ ଧ୍ୱଂସି

ହେଳେ "କୃତିବାସ ପୁର।"@

ଶୁଣି ଏହି ବାଣୀ ସେନାପତି ପୁଣି

ବୋଇଲେ "ହେ ! ଅବଶୋଷ,

ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମଙ୍କ

ଅଟେ ମୁଁ ଦାସାନୁଦାସ।

ମୋର ଯୁଦ୍ଧନୀତି ଶିଖାଇଛି ମୋତେ

ହେବାପାଇଁ ପ୍ରଭୁଭକ୍ତ,

ବାରବାଟୀ ଦୁର୍ଗ ସଇନେ ଅଛନ୍ତି

ଗଜପତି ଅନୁରକ୍ତ।"

"ଷଡଯନ୍ତ୍ର ଷଡଯନ୍ତ୍ର " ବୋଲି ଉଚ୍ଚେ

ଚିତ୍କାର କରି ହମ୍ବିର,

ଦଳବଳ ଘେନି 'କୋଣ୍ଡାବିଡୁ'# ଦିଗେ

ପ୍ରସ୍ଥାନ କଲେ ସତ୍ତ୍ୱର।

ହମ୍ବିର କୁମାର ପ୍ରସ୍ଥାନ କରନ୍ତେ

ପୁରୁଷୋତ୍ତମ କେଶରୀ,

ନିଳାଦ୍ରୀରେ ଚାହିଁ ବୋଇଲେ "ଗୋସାଇଁ

ସମସ୍ତ ଲୀଳା ତୁମ୍ଭରି।

କରି କରାଉଛ ତୁମ୍ଭେ ମହାବାହୁ

ତୁମ୍ଭେ କର୍ତ୍ତା ତୁମ୍ଭେ କାର୍ଯ୍ୟ,

ତୁମ୍ଭର ପତିତ ପାବନ ଛାୟାରେ

ଆଶ୍ରା ଦିଅ ଦେବରାଜ।"

ସେନାପତି ମୁଖ ଅନାଇଁ ବୋଇଲେ

ଦୃଢ କର ରାଜ୍ୟ ସୀମା,

ଭ୍ରାତୃ କନ୍ଦଳରେ ପ୍ରଭାବିତ ନୋହୁ

ଉତ୍କଳ ଶୌର୍ଯ୍ୟ ଗାରିମା।

ଲକ୍ଷ୍ୟ ରଖିଥିବ,ଯେଉଁଠାରେ ହେବ

ପ୍ରତିବେଶୀ ଆକ୍ରମଣ,

ଅଥବା ବିଦ୍ରୋହ ଆନ୍ତରୀଣ,

କର ଦୃଢ ହସ୍ତରେ ଦମନ।

ବାରବାଟୀ ସୈନ୍ୟବଳକୁ ଶୃଙ୍ଖଳା-

ଅର୍ଥେ କର ନିୟୋଜିତ,

ସୀମାନ୍ତ ଦୁର୍ଗରେ ଅଛନ୍ତି ଯେ ସୈନ୍ୟ

ଜଗି ରହନ୍ତୁ ସୀମାନ୍ତ।

ପ୍ରଭୁ-ସ୍ୱପ୍ନାଦେଶ ପ୍ରଜାଙ୍କୁ ଶୁଣାଅ

କପିଳେନ୍ଦ୍ରଙ୍କର ନାମେ,

ମୁହିଁ ଜଗନ୍ନାଥ ପ୍ରଥମ ସେବକ

କୁହ ବୁଲି ଗ୍ରାମେ ଗ୍ରାମେ।"


*ହମ୍ବିର---କପିଳେନ୍ଦ୍ର ଦେବଙ୍କ ଜ୍ୟେଷ୍ଠ ପୁତ୍ର ତଥା ପୁରୁଷୋତ୍ତମ ଦେବଙ୍କ ଅଗ୍ରଜ।

@ କୃତିବାସ ପୁର---ତତ୍କାଳୀନ ଭୁବନେଶ୍ବର ସ୍ଥିତ ଉତ୍କଳର ରାଜଧାନୀ।

#କୋଣ୍ଡାବିଡୁ---ହମ୍ବିର କୁମାରଙ୍କ ଅଧିକାରରେ , ଦାକ୍ଷିଣାତ୍ୟରେ ଥିବା ଦୁର୍ଗ

କ୍ରମଶଃ----


Rate this content
Log in

Similar oriya poem from Classics