STORYMIRROR

Kulamani Sarangi

Classics

3  

Kulamani Sarangi

Classics

ପୁରୁଷୋତ୍ତମ ଦେବ(ଭାଗ-14)

ପୁରୁଷୋତ୍ତମ ଦେବ(ଭାଗ-14)

1 min
6.7K


(ଐତିହାସିକ କାବ୍ୟାଂଶ)

ଉତ୍କଳର ଦୂତ ସଙ୍ଗେ କାଂଚୀ ରାଜା

କଲେ ଯେଉଁ ବାର୍ତ୍ତାଳାପ,

ରାଣୀହଂସପୁରେ ପହଂଚିବାପାଇଁ

ଲାଗିଲା ବେଳ ଅଳପ।

କାଂଚୀ ନଗରୀର ଘରେ ଘରେ

ସେହି ଆଲୋଚନା ଚାଲିଥିଲା,

ବାଟ, ଘାଟ, ଧୋବାତୁଠ ,ବିପଣୀରେ

ମୁଖୁ ମୁଖେ ରଟିଗଲା।

ନାନା ମୁନିଙ୍କର ନାନାମତ,କିଏ କହେ

" ରଜା ଗୋଜା ସିଏ,

ଯାହା ବୁଝିଥିବେ ସେପରି କରିବେ

ତାଙ୍କୁ ବୁଝାଇବ କିଏ?

ମନ ମାନିଥିଲେ ଗାଡିଆ ଭିତରେ

ହୁଅଇ ଗଂଗା ସ୍ନାହାନ,

ମନ ନମାନିଲେ ଗଂଗା ଦେଖାଯାଏ

ନର୍ଦ୍ଦମା ନାଳ ସମାନ।

ଯିଏ ଯେଉଁପରି ପ୍ରଚକ୍ଷୁ ପିନ୍ଧଇ

ତା'ଆଖି ଦେଖେ ସେପରି,

ଉତ୍କଳ ପ୍ରଜାଙ୍କୁ ଯେ ଠାକୁର ରାଜା

ଶାଲ୍ୱଙ୍କୁ * ଚଣ୍ଡାଳ ପରି।"

ପୁଣି କେ ବୋଲଇ "ସମୁଚିତ କାର୍ଯ୍ଯ

କରିଛନ୍ତି ମହାରାଜ,

ଜେମାଙ୍କୁ କିପରି ତା ହସ୍ତେ ସମ୍ପିବେ

କରେ ଯେ ଚଣ୍ଡାଳ କାର୍ଯ୍ଯ? "

ଆଉ କେ ବୋଲଇ " ଝିମିଟି ଖେଳରୁ

ହୋଇବ ମହାଭାରତ,

ଅପମାନ ପାଇ ନିରବେ କିପାଇଁ

ରହିବେ ଉତ୍କଳ ନାଥ ?"$

ଦାସୀ ମୁଖୂ ଶୁଣି ତିରସ୍କାର ବାଣୀ

ପୁରୁଷୋତ୍ତମଙ୍କ ପ୍ରତି,

ରାଜଅନ୍ତଃପୁରେ ଜେମା ସଙ୍ଗେ ରାଣୀ

ମହାଦୁଃଖେ ରହିଥାନ୍ତି ।

ସମୟ ସୁଯୋଗ ଦେଖି ମହାରାଣୀ

ପଚାରିଲେ "ମହାଭାଗ !

କେଉଁ ଅପରାଧେ ଶ୍ରୀପୁରୁଷୋତ୍ତମ

ହେଲେ ତିରସ୍କାର ଯୋଗ୍ୟ ?

କେଉଁ ଅପରାଧେ ଉତ୍କଳ ସମ୍ରାଟ

ନାମିତ ହେଲେ ଚଣ୍ଡାଳେ?

ଜେମାଙ୍କ କୋମଳ ମନ ଜଉଘର

କିପାଁ ଜାଳିଦେଲ ହେଳେ !"

କାଞ୍ଚି ନରବର ରାଗେ ଜରଜର,

ବୋଇଲେ ଶୁଣ ମୋ ଗୀର,

"ରାଜ୍ୟ-ରାଜନୀତି କାର୍ଯ୍ଯେ ହସ୍ତକ୍ଷେପ,

ଅନୁଚିତଟି ତୁମ୍ଭର।

ରାଜ୍ୟ ହିତ ପାଇଁ ସ୍ୱାର୍ଥ ବଳିଦେବା

ଅଟେ କ୍ଷତ୍ରିୟର ଧର୍ମ,

ମୋର ନିଷ୍ପତ୍ତିକୁ ସମର୍ଥନ ଦେବା

ତୁମର ବିହିତ କର୍ମ।

ଅମାତ୍ୟ,ସାମନ୍ତ,ରାଜପୁରୋହିତ

ସମସ୍ତଙ୍କ ଏକ ମତ,

ଘୃଣ୍ୟ କାମ କରୁଛନ୍ତି ଗଜପତି

ରଥେ ଚଣ୍ଡାଳ ଯେମନ୍ତ।

କାଂଚୀର ଗରିମା,ଅସ୍ମିତାର ସୀମା

ବଳୟ ଭିତରେ ରହି,

ଜେମାଙ୍କର ସ୍ୱୟଂବର କାର୍ଯ୍ଯ ଶୀଘ୍ର

ପୂରଣ କରିବି ମୁହିଁ ।

କେତେ କେତେ ରାଜପରିବାର ଆସି

ମାଗିଲେଣି ଜେମା ହାତ,

ଯୋଗ୍ୟ ରାଜା ଘରେ କନ୍ୟା ଦାନକଲେ

ହେବ ଦେଶ ଦଶ ହିତ।

ପିତାଙ୍କ ନିଷ୍ଠୁର ନିଷ୍ପତ୍ତି ଜେମାଙ୍କ

ଶିରେ ବଜ୍ରପାତ କଲା,

ବାସନ୍ତୀ-କୁଞ୍ଜକୁ ନିଦାଘର ତାପ

କାହୁଁ ଆସି ଜାଳିଦେଲା ?

*ଶାଲ୍ୱ---ଶାଲ୍ୱ ନରସିଂହ---କାଞ୍ଚି ରାଜା

$ ଉତ୍କଳ ନାଥ-ଗଜପତି ପୁରୁଷୋପୁରୁଷୋତ୍ତମ ଦେବ।

କ୍ରମଶଃ- -----


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics