STORYMIRROR

Kulamani Sarangi

Classics

3  

Kulamani Sarangi

Classics

ପୁରୁଷୋତ୍ତମ ଦେବ(25)

ପୁରୁଷୋତ୍ତମ ଦେବ(25)

1 min
2.9K


ପୁରୁଷୋତ୍ତମ ଦେବ(25)

(ଐତିହାସିକ କାବ୍ୟାଂଶ)


ମାଣିକର ବାଟ ଓଗାଳିବା ଦେଖି

ଗର୍ଜିଉଠି ସେନାପତି,

ବୋଇଲେ " ରେ ମୂଢ ଗୋପଳୁଣୀ ତୋର

ବିକୃତ ହେଲା କି ମତି ?


ଦଳି ହୋଇଯିବୁ ହାତୀ ପାଦତଳେ

ବାଟ ଛାଡି ପଳା ପଳା,

ଉତ୍କଳ ସଇନ ବାହିନୀ ନୁହେଁ ,ଏ

ମହାବେଗା ଚିତ୍ରୋତ୍ପଳା ।


ଅକାଳରେ ଆତ୍ମହତ୍ୟା କରିବାକୁ

କାହିଁକି ବଳିଲା ମନ?

ଅଥବା ଆସିଛୁ ଗଜପତି ପାଶେ

କିଛି ନେଇ ନିବେଦନ ?


ନିବେଦନ ଯେବେ ଅଛି କିଛି,ଏହା

ନୁହେଁ ଉଚିତ ସମୟ,

ଯୁଦ୍ଧରୁ ଫେରିଲେ ମଣିମା କରିବେ

ତୋର ଅଭିଯୋଗ ନ୍ୟାୟ।"


ପ୍ରଭୁଙ୍କ ମୁଦ୍ରିକା ମାଣିକ ମନରେ

ସାହସ ଦେଇଛି ଭରି,

ରାଜାଙ୍କର ହସ୍ତୀ ଆଗରେ ସେ ବସି-

ଗଲା ଦୀପ୍ତ ସିଂହୀ ପରି।


ପିଙ୍କାର କରିଲା ହସ୍ତୀ, ନଚଳିଲା

ପାଦଟେକି ହେଲା ଠିଆ।

'ଏ କି ଆଚମ୍ବିତ' ବୋଲି ହସ୍ତୀ ପୃଷ୍ଠୁ

ଓହ୍ଲାଇଲେ ନରନାହା।


ପ୍ରଣିପାତକରି ମାଣିକ ବୋଇଲା,

"ଘେନାହେଉ ନରରାଣ,

ଆଗେ ଗଲେ ଦୁଇ ପାଇକ ତୁମ୍ଭର

ଅଶ୍ୱ କରି ଆରୋହଣ।


କଳା,ଗୋରା ଦୁଇଭାଇ;କଳା ଚଢି-

ଥିଲା ଧଳାଘୋଡାପରେ,

ଗୋରା ପିଲାଟି ତା ବଡଭାଇ;ଚଢି

ଥିଲା ସେ କଳା ଅଶ୍ୱରେ।


ଶୋଷ ଲାଗିବାରୁ ସେହି ଦୁଇଭାଇ

ପସରେ ଦହି ଖାଇଲେ,

କଉଡି ନଥିଲା,ସୁନାମୁଦି ଦେଇ,

ଘୋଡା ଚଢି ଚାଲିଗଲେ।


କହିଲେ 'ଆମର ରାଜା ଆସୁଛନ୍ତି

ପଛେ ଘେନି ସୈନ୍ୟ ଶ୍ରେଣୀ,

ଦେଖାଇ ମୁଦ୍ରିକା ପାଉଣା ତୁ ନେବୁ

ଉପଯୁକ୍ତ ଲୋ ଜନନୀ।"


ଆଶ୍ଚର୍ଯ୍ଯ ହୋଇଲେ ଶୁଣି ନରବର,

ଚାହିଁ ସେନାପତି ମୁହଁ,

ବୋଇଲେ " କାହାର ସାହସ ଏପରି

ଆଚରେ ଏମନ୍ତ ଦ୍ରୋହ ?


ଦହି,ଦୁଧ ଖାଇ,କଉଡି ନଦେଇ,

ଦେଇଛି ନିର୍ଦ୍ଦେଶ ପୁଣି,

ଦହିର ପାଉଣା ଭରଣା କରିବେ,

ଉତ୍କଳର ନରମଣି !


ଦେଖା ଦେଖା ମୁଦି,ଲୁହା କି ପିତଳ,

କହ ନାମ ତାହାଙ୍କର,

ଜାଣିପାରିଲେ ମୁଁ, ନିମିଶେ ଗଡିବ

ଧରଣୀରେ ତାଙ୍କ ଶୀର।"


ମାଣିକ କହିଲା ସାନଭାଇ ନାମ

'ହରିଆ' ବଡ 'ବଳିଆ' ,

ବଡଟିର ରଙ୍ଗ ଗୋରା,ସାନଟିର

ରଙ୍ଗ ଚିକ୍କଣ କାଳିଆ।


ବଡ ରଙ୍କ ହେଇ,ଦୁଧ ଦହି ଖାଇ

ପୋଛିଲେ ମୁହଁ କାନିରେ,

ମାଆ ମାଆ ବୋଲି କେତେ ସେ ଡାକିଲେ

ସେନେହରେ ସରାଗରେ।


ଲୋଡାନାହିଁ ପଛେ ପାଉଣା , ପିଲାଙ୍କୁ

ଦଣ୍ଡ ନଦେବେ ମଣିମା,

ଅପରାଧ କିଛି କରିନାହିଁନ୍ତି , ମୋ-

ଗୁହାରି ବାରେ ଶୁଣିମା।


ମାଣିକ ହାତରେ ରତ୍ନମୁଦି ଦେଖି

ସ୍ତବ୍ଧ ହେଲେ ନରସାଇଁ,

"ଏ'ତ ଜଗନ୍ନାଥ ଶ୍ରୀହସ୍ତ ମୁଦ୍ରିକା

ପାଇଲୁ ଏହା ତୁ କାହିଁ ?


ସତେ ମୋର ପ୍ରଭୁ ଆଗେ ଆଗେ,ଯୁଦ୍ଧ-

ପାଇଁ ଯାତ୍ରା କରୁଛନ୍ତି !"

ବିଚାରି ଏମନ୍ତ ଆନନ୍ଦ ଅଶ୍ରୁରେ

ବକ୍ଷଦେଶ ଗଲା ତିନ୍ତି।


କ୍ରମଶଃ---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics