ପଥର
ପଥର
ରଖିଲ ତ' ଅସୂର୍ଯ୍ୟପଂଶ୍ୟା କରି
ତମ ରଂଗ ଉଆସର
ସାତ ସିନ୍ଦୁକରେ ,
ସାତ ତାଳ ପାଣି ଆଉ
ସାତ ତାଳ ପଙ୍କର
ନିବୁଜ ଫରୁଆ ଭିତରେ ।
ସାଇତିଲ ଶୋଭନୀୟ ସୁଷମାର ଶୌର୍ଯ୍ୟ
କମନୀୟ କୁମାରୀ କୌମାର୍ଯ୍ୟ,
ତମ ଉଗ୍ର କାମନାର ଚରିତାର୍ଥ ପାଇଁ
କାଳେ କାଳେ କଲ ମୋତେ ଅର୍ଘ୍ଯ ।
ଏବେ ଦେଖ ! ମୋର ଲାଲ ରକ୍ତ
କେମିତି ତରଳି ଯାଉଛି
ଉତ୍ତପ୍ତ ଲାଭା ପରି ରାଜ ରାସ୍ତା ଧାରେ ,
ତମ ସିନ୍ଦୁକରେ ସଯତ୍ନରେ ବଂଧା ଥିବା
ମୋର କମନୀୟ କୁମାରୀ କୌମାର୍ଯ୍ୟ
କେମିତି ଭୂଲୁଣ୍ଠିତ ହେଉଛି
କାମନାର ଲୋଲୁପ ବହ୍ନିରେ ।
ନିରବଚ୍ଛିନ୍ନ ମୋ ରକ୍ତରେ ତର୍ପଣ
ତମ ଆଦିମ ଅଭ୍ୟାସର
ଚିରାଚରିତ ପ୍ରଥା,
ନା' ... ମୋ ପାଇଁ କେଉଁଠି ଅଛି
ସୁରକ୍ଷିତ ସ୍ଥାନ ?
ନା' କେଉଁଠି ମୁଁ ନିଜେ ସୁରକ୍ଷିତା ।
ତମ ବିଶାଳ ପ୍ରାଚୀର ଘେରା
ରଂଗୀନ ଉଆସ,
ନା' ସହର - ଜନପଦ
ନା ' ଛାତ ନଥିବା ବିସ୍ତୃତ ଆକାଶ !!
କେଉଁଠି ବି' ନୁହେଁ ନିରାପଦ
ନେବାପାଇଁ ଶାନ୍ତି ରେ ନିଃଶ୍ବାସ ।
ପରାକ୍ରମୀ ରାବଣର ଥିଲା ବି' ବିବେକ
କରିନାହିଁ କେବେ ଦୁଃସାହସ
ଉଲଗ୍ନ କରିବାକୁ ସତୀ ଅଙ୍ଗବସ୍ତ୍ର
ତଥାପି ମୃତ୍ୟୁ ଦଣ୍ଡେ ହୋଇଛି ଦଣ୍ଡିତ ,
ଦ୍ରୌପଦୀର ବିବସନା ଲାଞ୍ଛନା ନିମନ୍ତେ
କୁରୁକୂଳ ସବଂଶେ ନିପାତ ।
ଏବେ କିନ୍ତୁ ଏଠି ସେଠି
ସବୁଠି କପଟୀ ଇନ୍ଦ୍ର
ମଦମତ୍ତ ନିଷ୍ଠୁର କାମାନ୍ଧ,
ଅହଲ୍ଯା ଧର୍ଷଣ ପରେ
ଫିଙ୍ଗି ଦ୍ୟନ୍ତି ରାଜ ରାସ୍ତା ପରେ
ନାରୀର ରକ୍ତାକ୍ତ କବନ୍ଧ ।
ରାସ୍ତାପରେ ଗଡୁଥିବା
ରକ୍ତାକ୍ତ ନାରୀର ଦେହ
ପଥର ପାଲଟେ
ପଡି ରୁହେ ଯୁଗ ଯୁଗ ପାଇଁ ।।
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା