ପ୍ରତୀକ୍ଷା
ପ୍ରତୀକ୍ଷା
ଲାଗେ ମୋତେ
ରାତ୍ରୀର ନିର୍ଜନ ପ୍ରହରେ
କେହି ଜଣେ ଡାକଦିଅନ୍ତି ମୋତେ
ମୋ ଝର୍କା ସେ ପାଖରୁ !
ଚିହ୍ନା ଚିହ୍ନା ଲାଗେ
ସ୍ୱର ଟିକ, ତାଙ୍କର
ଚିହ୍ନା ଲାଗେ ତାଙ୍କ ଝାପ୍ସା ମୁହଁ !
ଆମ ଜାତିଗତ ବିବିଧତା ଯୋଗୁଁ
ହିନ୍ଦୁ ମୁସଲିମ୍ ଦଙ୍ଗାରେ
ଯିଏ ମୋତେ ଛାଡି ଚାଲି ଯାଇଥିଲେ
କଳୁଷିତ ରାଜନୀତିର ଚାପରେ,
ତୁମେ ସେଇ ପ୍ରିୟତମ ନୁହଁ ତ ?
ଯାହାକୁ ମୁଁ ମାନି ସାରିଛି
ମୋ ମନରେ ମୋ ସ୍ୱାମୀ,
ମୋ ଖୁଦା, ପରମେଶ୍ୱର !
ନ ହେଲେ ଅଜଣା ଡାକରେ
ମୋ ସ୍ବେଦଶିକ୍ତ ଶରୀରରେ
ମଳୟର ସ୍ପର୍ଶ ମୁଁ ଅନୁଭବ କରୁନଥାନ୍ତି
କି ତମ ପ୍ରତୀକ୍ଷାର ଅନ୍ତ ପାଇଁ
ମୁଁ ଏମିତି ନିର୍ଜନ ପ୍ରହରେ
ତମକୁ ସ୍ବପ୍ନ ଦେଖୁନଥାନ୍ତି !!
