ପ୍ରଥମ ବୈଶାଖ
ପ୍ରଥମ ବୈଶାଖ
ହେ ରୁଦ୍ର ବୈଶାଖ,
ଦେହେ ଭରି ରୌଦ୍ରତାପ,
ନିଜେ ଜଳି ଜାଳୁଛ ଧରାକୁ
ତୁମ ସ୍ପର୍ଶେ ତ୍ରାହି ତ୍ରାହି
ଡାକେ ପୃଥିବୀର ବକ୍ଷ।
ହେ ନିଦରୁଣ ନିର୍ମମ, ନିର୍ଭୀକ
କେଉଁ ଅନାଦିକାଳରୁ
ଋତୁଚକ୍ର ଆବର୍ତ୍ତନେ
ଆସ ଏ ଧରାକୁ
ଟାଣି ରୌଦ୍ର ଜାଳ
ତୁମ ଆଗମନେ ତ୍ରିଭୁବନ ହୁଏ ଅସମ୍ଭାଳ।
ଦିବା କିବା ରାତ୍ରି ତୁମ କବଳରୁ
କେହି ପାଆନ୍ତିନି ମୁକ୍ତି
ପ୍ରତି ଘରେ କ୍ଷୁଧା, ରୋଗ
ଜଳ କଷ୍ଟ ଶୋଷିତ ଧରିତ୍ରୀ।
ହେ, ନିଦରୁଣ ବୈଶାଖ
ତୁମ କୋପାନଳେ
ଜଳିଯାଏ ସବୁଜ ବନାନୀ
ଶୁଷ୍କ ହୁଏ ନଦୀ ନାଳ
ହାହାକାର ରଚିଯାଏ ଆକାଶ ପାତାଳ।
ହେ ପ୍ରଥମ ବୈଶାଖ!
କି କହିବି ପୃଥିବୀର ଦୁଃଖର ବାରତା
କି ବର୍ଣିବି ହୃଦୟର ବ୍ୟଥିତ କବିତା
ତୁମେ ତ ରୁଦ୍ର ମହାକାଳ
ତୁମେ ତ ଉଦ୍ଦାମ ଉତ୍ତାଳ
ତୁମ ଦୟା ପଣେ ଦିଅ ଧୌତ କରି
ପୃଥିବୀର ଶତ ଅମଙ୍ଗଳ।
ଏ ପୃଥିବୀ ହେଉ ପୁଣି ଆସନ୍ନ ପ୍ରସବା
ଦୟା, କ୍ଷମା, ଶାନ୍ତି, ସୁଖ, ସ୍ୱାସ୍ଥ୍ୟ
ବିରାଜିତ ହେଉ ରାତ୍ର ଦିବା
ସୁଜଳା ସୁଫଳା ହଉ
ଧରିତ୍ରୀ ଶରୀର
ହେ ମହାକାଳ ରୁଦ୍ର... ପ୍ରଥମ ବୈଶାଖ
ଘେନ ଆମ ନମସ୍କାର।