STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ପରିବର୍ତ୍ତନ

ପରିବର୍ତ୍ତନ

1 min
22

        


ସୃଷ୍ଟିର ନୀତି ନିୟମ ସୂକ୍ଷ୍ମରେ ଥିଲେ ବି ଚିରସ୍ଥାୟୀ 

ସଦା ଅକ୍ଷୟ ଅଜର ଅମର ଅବ୍ୟୟ ଚିରନ୍ତନ

ସ୍ଥୂଳ ଜଗତର ଯେତେ ଦୃଶ୍ୟମାନ ଭୂଗୋଳକୁ ନେଇ

ପ୍ରକୃତି ସଦା କିଛି ନା କିଛିକୁ କରୁଥାଏ ପରିବର୍ତ୍ତନ 

ଗଛଟିଏ କେଉଁଠି ପଲ୍ଲବିତ ହେଉଥିବା ବେଳେ

କେଉଁଠି ତାର ପତ୍ର ସବୁ ପାଚି ଭୂଇଁରେ ଖସି ପଡ଼େ 

ମଞ୍ଜିଟି କେବେ ଅଙ୍କୁରି ଉଠି ଚାରା ହେବା ସମୟରେ

ଆଉ କେଉଁଠି ସୃଷ୍ଟିର ବ୍ୟତିକ୍ରମରେ ଗଜା ମରୁଡି ହୁଏ

ବିଧି ବିଧାନର ବୋଧ ଅବୋଧ ଗଣିତ ମଣିଷ କଷେ

ସୁସ୍ଥ ସବଳ ମନକୁ ତା'ର ସେ ସ୍ଥିର କରି ରଖୁ ରଖୁ

ପରିବେଶ ପରିସ୍ଥିତିରେ ପଡ଼ି ଅଯଥା ଉତ୍ତେଜିତ ହୁଏ

ଇଚ୍ଛା ନକରି ବି ଅଜାଣତରେ ତା' ପରିବର୍ତ୍ତନ ଆସେ

ସମୟ ସ୍ରୋତର କ୍ରମରେ ପରିବର୍ତ୍ତନ ଧାବମାନ

ପାଣିପାଗ ଠାରୁ ଋତୁଚକ୍ରର ହୋଇଚାଲେ ପରିବର୍ତ୍ତନ

ଜନ୍ମରୁ ମୃତ୍ୟୁ ଯାଏଁ ମାନବର ଶରୀର ତଥା ତା' ମନ

କ୍ଷଣ କ୍ଷଣକୁ ବିଭିନ୍ନ ସ୍ଥିତିରେ ହେଉଥାଏ ପରିବର୍ତ୍ତନ

ମୁହଁର କଥା ଆଖିର ଦୃଶ୍ୟ କାନର ଶବ୍ଦ ଜିହ୍ଵାର ସ୍ଵାଦ

ଏମିତି କି ପ୍ରତିଟି ଇନ୍ଦ୍ରିୟର ଅନୁଭବ ଅନ୍ତଃଶକ୍ତି

ନାନା ପ୍ରଭାବରେ ପ୍ରଭାବିତ ହୋଇ ପରିବର୍ତ୍ତନ ହୁଏ

ବ୍ୟକ୍ତଗତ ଭାବରେ କାହାର ଚାହିଁବା ନ ଚାହିଁବା

ରୁଚି ଗୁଣ ଜ୍ଞାନ ଅଭିଜ୍ଞତାକୁ ନେଇ ହୋଇପାରେ ଭିନ୍ନ

ମାତ୍ର ପ୍ରକୃତିର ପରିବର୍ତ୍ତନକୁ କେହି ପାରେନା ରୋକି

ପୃଥିବୀର ଆହ୍ନିକ ଗତି ପରିକ୍ରମଣ ଗତି ପରି

ଭୂମଣ୍ଡଳରେ ନିରନ୍ତର ଚାଲିଛି ଚାଲଥିବ ପରିବର୍ତ୍ତନ 

ସବୁ କିଛିକୁ ସାମ୍ନା କରି ସଂଘର୍ଷ କରୁଥାଏ ଜୀବନ

କେବେ ହାରେ କେବେ ଜିତେ କେବେ ପାଇ ହରାଏ 

ହିସାବ ନିକାଶର ଭାରଦଣ୍ଡ ସନ୍ତୁଳିତ ହେଉଥାଏ

ଏମିତି ଜୀବନ ନାହିଁ ଯା'ର କିଛି ବି ସଫଳତା ନାହିଁ

କି ବିଫଳତାରେ ସେ ବିତାଇଛି ତାର ସବୁ ସମୟ

ହସ ଲୁହ ସୁଖ ଦୁଃଖ ସବୁକୁ ନେଇ ଚାଲେ ସଂସାର

ପରିବର୍ତ୍ତନ ଧାରା ପରିବର୍ତ୍ତିତ ହେଉଥାଏ ଆପାଣା ଛାଏଁ

ବ୍ୟକ୍ତିର ବ୍ୟକ୍ତିତ୍ଵ ଚରିତ୍ର ନେଇ ହୁଏ ସିନା ତର୍କ ବିତର୍କ 

ଯା' ଧ୍ରୁବ ସତ୍ୟ ଶାଶ୍ଵତ ତା' ଜଗତର ମଙ୍ଗଳ ପାଇଁ 

ହେଉଛି ହେଉଥିବ ସର୍ବ କାଳରେ ତାର ପରିବର୍ତ୍ତନ।।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract