STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପରିବାର

ପରିବାର

3 mins
265


ଫୁଲ ଫଳ ଭରା ବଗିଚା ପରାୟ
ଘର ପୁଣି ପରିବାର 
ପ୍ରତ୍ୟେକ ବର୍ଗର ମଣିଷଙ୍କ ମେଳି
ଅପୂର୍ବ ଭାବ ସମ୍ଭାର
ଭିନ୍ନ ଚିନ୍ତାଧାରା,ଭିନ୍ନ ଭିନ୍ନ ରୁଚି
ବାଦ ବିବାଦ ଧାରାରେ 
ନଉକା ପରାୟ ଭାସେ ପରିବାର 
ସଭ୍ୟ ସମାଜ ସ୍ରୋତରେ

ବୈକୁଣ୍ଠ ସମାନ ଅଟେ ସେଇ ଘର
ପରିବାର ସହିତରେ
ମିଠା ସେଇ ଉକ୍ତି ତିକ୍ତତା ପ୍ରାୟତଃ 
ଅନୁମେୟ ସହଜରେ    
ଚାରି କାନ୍ଥ ଘେରା ଏକ ଛାତ ତଳେ
ମିଳିମିଶି ବସବାସ
ସମ୍ପର୍କର ସେତୁ ପ୍ରାୟତଃ ସୁଦୃଢ଼
ଦୁଃଖେ କାନ୍ଦ ସୁଖେ ହସ
ଏକାଠି ରହିବା,ଖାଇବା,ଶୋଇବା
ଭାବ ଦିଆନିଆ ଧାରା 
ଅଭାବ ସମସ୍ୟା ମାନ ଅଭିମାନ
ସାଥେ ସମ୍ପର୍କ ନିଆରା
ରାଗ ରୂଷା କଥା କଟା କଟି ପୁଣି
ମିଶିତ୍ର ଭାବନା ଧାର 
କ୍ଷଣିକ ଭାବନା ପର କ୍ଷଣେ ଲୀନ 
ଯହିଁ ସୁଖୀ ପରିବାର
ଦୁଃଖେ ଦୁଃଖୀ ପୁଣି ସୁଖେ ସୁଖୀ ହେବା
ପାରିବାରିକ ସମ୍ପର୍କ 
ରକ୍ତର ସମ୍ପର୍କ ଅତୁଟ ବନ୍ଧନ
ସ୍ନେହ ପ୍ରେମର ସାର୍ଥକ
ପରଷ୍ପର ପ୍ରତି ଅନୁକମ୍ପା ଧାରା 
ପରିବାରର ଲକ୍ଷଣ 
ଆପଦେ ବିପଦେ ପୂର୍ଣ୍ଣ ସହଯୋଗ
ଦୁଃଖ କଷ୍ଟ ପ୍ରାୟ କ୍ଷୁର୍ଣ୍ଣ

ନିଜ ପିତାମାତା, ଜୀବନ୍ତ ଦେବତା 
ମନ୍ଦିର ପରାୟ ଘରେ
ସ୍ନେହ ମମତାର ଜୀବନ୍ତ ମୂରତି 
ଅନୁଭବ ସହଜରେ
ବୈକୁଣ୍ଠ ଭୁବନେ ଦେବ ଦେବୀଙ୍କର 
ଆଧିପତ୍ୟ ଯେଉଁ ପରି
ପରିବାର ମଧ୍ୟେ ପିତାମାତା ମୁଖ୍ୟ
ଦେବ ଦେବୀ ସର୍ବୋପରି
ସଂସାର ସାଗରେ ପରିବାର ଡ଼ଙ୍ଗା 
ସୁରୁଖୁରୁରେ ଚଳାଇ 
ଆତ୍ମ ତୃପ୍ତି ଭାବ ଫୁଟି ଉଠେ ମୁଖେ
ଲକ୍ଷ୍ୟ ସ୍ଥଳେ ପହଞ୍ଚାଇ
ପ୍ରତି ପରିସ୍ଥିତି ସହ ସମ୍ମୁଖୀନ
ପୁଣି ଧୈର୍ଯ୍ୟର ସହିତ
କଥା ଛଳେ ଅବା ଉପଦେଶ ଧାରେ
ହିତ କଥା ପ୍ରାୟ ବ୍ୟକ୍ତ
ଘରେ ବୟୋଜ୍ୟେଷ୍ଠ ସଭିଙ୍କ ନମସ୍ୟ
ସ୍ନେହ ପ୍ରେମ ସୂତ୍ରଧାର 
ଅତୁଟ ବନ୍ଧନର ବାନ୍ଧିବାର ସୂତ୍ର
ସର୍ବୋପରି ଜ୍ଞାତସାର 
ପ୍ରତ୍ୟେକ କାର୍ଯ୍ୟରେ ଉପଦେଶ ସହ
ସତର୍କ ସୂଚନା ଧାରେ
ପ୍ରବାଦ ପରାୟ ବ୍ୟକ୍ତ ଅନୁଭୁତି
ପ୍ରତ୍ୟକ୍ଷ ବା ପରୋକ୍ଷରେ 
ପ୍ରତି ସଦସ୍ୟଙ୍କ ପାଖେ ଛାଇ ପରି
ଭୁଲ୍ ଦେଖି ମୁଖେ ଗାଳି 
ଜୀବନ ସହିତ ସଂଘର୍ଷ କଥା ବି
କହନ୍ତି ଭଳିକି ଭଳି

ପରିବାର ଢାଞ୍ଚା ପରିବର୍ତ୍ତନ ର 
ଚିତ୍ର ପ୍ରାୟ ସର୍ବେ ଜ୍ଞାତ
ପାଶ୍ଚାତ୍ୟ ସଭ୍ୟତା ଧାରେ ଅନୁଗାମୀ
ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ
ଶିକ୍ଷିତ ବର୍ଗଙ୍କ କଥା ବି ନିଆରା
ଡେଣା ଲଗା ପକ୍ଷୀ ସମ
ଜନ୍ମ ମାଟି ଭୁଲି ନିରୋଳା ରେ ବାସ
ସତେ ଅବା ମତି ଭ୍ରମ
ପିଲାଙ୍କର ଶିକ୍ଷା ସ୍ୱାସ୍ଥ୍ୟ ବାହାନାରେ
ଭୋଳ ସହର ମାୟାରେ
ପୁରୁଣା ଘରେ ହିଁ ବୃଦ୍ଧ ପିତା ମାତା 
ଅବା ବୃଦ୍ଧା ଆଶ୍ରମରେ
ପିଲାଙ୍କର ସ୍କୁଲ ଛୁଟି ଥାଏ ଯେବେ
ହେଲେ ହୁଏ ଘର ମୁହାଁ 
ବୁଲି ଯିବା ସମ କ୍ଷଣିକ ରହଣୀ 
ଦେଖିବା ଲୋକ ଛାନିଆ 
ଚଳନ୍ତି ଦେବତା ପିତାମାତାଙ୍କର 
ଛତ୍ର ଛାୟା ତଳେ ରହି
ପରିବାର ପ୍ରତି ସଦସ୍ୟଙ୍କ ଚିନ୍ତା
ଅବଶ୍ୟ ଯାଏ ଦୁରେଇ 
ଦେବତା ନ ଥିବା ମନ୍ଦିର ପରାୟ
ଆକର୍ଷଣ ଶୁନ୍ୟ ଘର
ପିତାମାତା ଅନ୍ତେ ଘର ବି ଶ୍ରୀହୀନ 
ଦେଖାଯାଏ ମତାନ୍ତର
ଏକାନ୍ନବର୍ତ୍ତି ସେ ପରିବାର ସଂଜ୍ଞା
ସମୟ ସୁଅରେ ଲୀନ 
ପରିବାର ଅଛି ସତ, ନାହିଁ କିନ୍ତୁ
ଭାବ ଆଦାନ ପ୍ରଦାନ
ଶୁଭୁନାହିଁ ପାରିବାରିକ ଗହଳି
ନୀରବ ବାତାବରଣ
ନିରବତା ବୋଧେ ଅଧୁନା ପସନ୍ଦ
ଜଣାଶୁଣା ବି କାରଣ
ଘରେ ସତେ କେହି ଅଛନ୍ତି ନା ନାହିଁ!!
ସହଜେ ହୁଏନି ଜାଣି
ସ୍ମାର୍ଟ-ଫୋନ୍ ହିଁ କାରଣ ର କାରଣ!!
ପ୍ରାୟ ଚର୍ଚ୍ଚିତ ଚଳଣି 
ସଂସ୍କାର ର ସଂଜ୍ଞା ପ୍ରାୟତଃ ବିଲୀନ 
ନୀତି ଆଦର୍ଶ ସେପରି
କ୍ରମଶଃ ସଂସ୍କାର ଅଭାବ ସବୁଠି 
ସ୍ୱେଚ୍ଛାଚାର ସର୍ବୋପରି

ତୁଳସୀ ଚଉରା ମୂଳେ ସଞ୍ଜ ଦୀପ 
ହେଉନି ଦୃଷ୍ଟିଗୋଚର 
ପୁରାଣ ପଠନ ଶାସ୍ତ୍ର ଅଧ୍ୟୟନ
ହେଉନାହିଁ ନିରନ୍ତର
ଘର ମଧ୍ୟେ ସ୍ଥାନ ନାହିଁ ତିଳେ ମାତ୍ର
ଧର୍ମ ଗ୍ରନ୍ଥ ପୁରାଣର
ଏକାଠି ଖାଇବା ଟେବୁଲ୍ ରହିଛି
ନାହିଁ ଭାବ ଏକାକାର
ବାପାଙ୍କର ବାପାମାଆ ସ୍ଵଭାବତଃ 
ଜେଜେ ଧାରେ ସମ୍ବୋଧନ
ଚଳନ୍ତି ପିଲାଙ୍କ ଗୁଗୁଲ୍ କୁ ପ୍ରଶ୍ନ
ଜେଜେ କିଏ ଆଉ କ'ଣ!
ପରିବାର ସଂଜ୍ଞା ଯାଇଛି ବଦଳି 
ସହରୀ ସଭ୍ୟତା ଧାରେ
ବିଗତ ଦିନର ଯୌଥ ପରିବାର 
ପ୍ରାୟ ବିଲୁପ୍ତି ପଥରେ
ଯହିଁ ସଦା ସତ୍ୟ ଧର୍ମ ଦୟା କ୍ଷମା 
ବାସ କରେ ନିରନ୍ତର
ତାହା ହିଁ ବୈକୁଣ୍ଠ ସହିତ ସମାନ
ଘର ଅବା ପରିବାର



Rate this content
Log in

Similar oriya poem from Abstract