ପ୍ରେମିକା
ପ୍ରେମିକା
ପ୍ରେମିକା
ଶୀତ ସକାଳର
ମୁଠାଏ କଅଁଳ ଉଷ୍ଣତା,
କେବେ ଖରା କେବେ ଛାଇ
କେବେ ପୁଣି ବସନ୍ତର
ଭିଜା ଭିଜା ସିକ୍ତ ମାଦକତା ।
ପ୍ରେମିକା
ଆଂଜୁଳାଏ ମଖମଲି
ସ୍ବପ୍ନର ପହିଲି ସ୍ତବକ,
କେବେ ପୁଣି
ବେଦନା ବିଧୁର ମନର
ଅସରନ୍ତି ଲୁହ ବିନ୍ଦୁ
କେବେ ସ୍ମୃତିର କୋମଳ କଦମ୍ବ ।
ପ୍ରେମିକା
ନୀଳ ଆକାଶର ଚନ୍ଦ୍ରମା,
ଚନ୍ଦନ ବନର ବାସ୍ନା
କେବେ ଭିଜା ଶ୍ରାବଣର
ରିମଝିମ୍ ସୁର,
ପୁଣି କେବେ ଗହନ ବନର
ଶାନ୍ତ ସ୍ନିଗ୍ଧ ନୀରବତା
ଆଉ କେବେ ମିଠା ମିଠା
ରଜତ ଧବଳ ଜ୍ୟୋସ୍ନା ।
ପ୍ରେମିକା
କେବେ ବୈଶାଖର ତାଣ୍ଡବ,
ଅମାବାସ୍ୟାର ଘନ ଅନ୍ଧକାର
ପାଉଁଶିଆ ସନ୍ଧ୍ୟାର ସ୍ତୀମିତ ଆଲୋକ ,
କେବେ ପୁଣି ପୂର୍ଣିମାର ପୂର୍ଣ୍ଣଚାନ୍ଦ
ଚିର ଆକାଂକ୍ଷିତ
ଚିର ଈପସିତ
ହୀରା, ମୋତି, ମାଣିକ୍ୟର
ଝଲମଲ ଖୋସାର ଗଜରା ।
ପ୍ରେମିକା
ପ୍ରଣୟ ପସରା
ପ୍ରୀତିର କୁଳୁକୁଳୁ ପାହାଡୀକନ୍ୟା ,
ଚେନାଏ ବିଶ୍ବାସର ମଧୁର ମୂର୍ଚ୍ଛନା
ଢଳ ଢଳ ରଜନୀଗନ୍ଧା
ସୂର୍ଯ୍ୟାସ୍ନାତ ଶିଶିର ବିନ୍ଦୁର
ଛଳ ଛଳ ଆସ୍ତରଣ ତଳେ
ଧ୍ୟାନମଗ୍ନା ପୁଣି ସ୍ବପ୍ନସିଦ୍ଧା
ପ୍ରେମର ଅବାରିତ ଗଙ୍ଗା ।

