ପ୍ରେମ ପୁଲକ
ପ୍ରେମ ପୁଲକ
ପୁଲକେ ପୁଲକେ ମୋର ମନ ଡାକେ
ଆସ ପ୍ରିୟ ସିନ୍ଧୁ ତୀରେ
ସୈକତିନୀ ରାଜ୍ୟେ ମହଲ ଗଢିଛି
ନିଶୀ ବିଜନ ବେଳାରେ ।
ଅଧରେ ମଧୁର ପ୍ରୀତିର ସଂମ୍ଭାର
ମନ ଝୁରେ ତୁମ ସ୍ନେହ
ନୟନେ ଲେପିତ ଆଶାର କଜ୍ଜଳ
ହୃଦୟେ ଜଗାଏ ମୋହ ।
ଘନ କବରୀରେ ଗୋପନ ରଖିବି
ଜଗତର ଅନ୍ତରାଳେ
ନୟନ ଇଶାରେ ଚପଳା ନାଚିବ
ଶୃଙ୍ଗାର ସ୍ବରର ତାଳେ ।
ପ୍ରାଣ ବୀଚିମାଳା ଗୁନ୍ଥିଛି ହେ ମାଳା
ପ୍ରୀତି ସଉଗନ୍ଧ ଭରି
ଅଭିସାରିକା ମୁଁ କାହା ପାଇଁ ଆଜି
ଜୋଛନା ସୁପାତି ପାରି ।
କଟି ର କିଙ୍କିଣି ଦେହ ମନ ଜିଣି
ଭାବ ପଲଙ୍କେ ବସାଇ
ପ୍ରୀତେ ମିତଭାଷି କ୍ଷଣେ ଚୁମ୍ବି ତୋଷି
ରଖିବ ସାଥେ ରସାଇ ।
ପାଦର ନୁପୁର ଗାୟନେ ମୁଖର
ସତେ ଶ୍ରାବଣର ଧାରା
ତୁମ ପଥ ଚାହିଁ କୁସୁମ ବିଛାଇ
ଚାତକ ଏ ଆଖି ତାରା ।