ପ୍ରେମ ଓ ଛଳନା
ପ୍ରେମ ଓ ଛଳନା
ଭଲ ପାଇବାର ଅର୍ଥ ନୁହେଁ କେବେ
ସ୍ୱାର୍ଥପର ଆକର୍ଷଣ,
ନୁହେଁ କେବେ ତାହା ଦେହର ପରଶ
ପାଇବାକୁ ଆମନ୍ତ୍ରଣ |
ଯେଉଁଠାରେ ସ୍ୱାର୍ଥ ଭଲପାଇବାରେ
ତାହାହିଁ ହୁଏ ଛଳନା,
ଦୀର୍ଘସ୍ଥାୟୀ କେବେ ହୁଏନାହିଁ ପ୍ରେମ
ଆସେ ବିଛେଦ ଯନ୍ତ୍ରଣା |
ଅର୍ଥ ପାଇଁ କିଏ ଛଳନାରେ ପ୍ରେମ
ଅଭିନୟେ ଢାଳିଦିଏ,
ସ୍ୱାର୍ଥର ହାସଲ ହୋଇଗଲାପରେ
ପ୍ରେମ ତାର ସରିଯାଏ |
ପ୍ରଥମ ପ୍ରେମର ସ୍ୱୀକୃତି ଦେଇ ସେ
ଆଶାର ଆଲୋକ ଜାଳେ,
ଜୀବନର ସାଥି କରିବ ବୋଲି ଯେ
ମିଥ୍ୟା ପ୍ରତିଶ୍ରୁତି ଢାଳେ |
ରୂପର ମାଧୁରୀ ମୁଖରେ ତାହାର
ଅତୀବ ବର୍ଣ୍ଣ
ନା କରେ,
ମନ କିନ୍ତୁ ତାର ଛଳନାରେ ଭରା
କଳୁଷିତ କାର୍ଯ୍ୟ କରେ |
ସଂସ୍କୃତି ନଥାଏ ଏପରି ପ୍ରେମରେ
ଥାଏ ଭୋଗର ଲାଳସା,
ବିଷଠାରୁ ହୁଏ ମହା ଭୟଙ୍କର
ହୀନ ଏକ ଅଭିଳାଷା |
ବିଶ୍ୱାସରେ ବିଷ ପରି ହୋଇଥାଏ
ଆବିଳତାମୟ ପ୍ରେମ,
କେବେ ବି କାହାର ଜୀବନରେ ତାହା
ବଢିନାହିଁ ଦ୍ରୁମ ସମ |
ଅଦିନିଆ ମେଘ ବର୍ଷିଗଲା ପରି
ଦେହକୁ ଭିଜାଇ ଦିଏ,
ବର୍ଷା ପରେ ପୁଣି ଖରା ଆସିଥାଏ
ଅସହ୍ୟ ଗରମ ହୁଏ |
ପ୍ରେମରେ ଛଳନା ମହାପାପ ଏକ
କ୍ଷମଣୀୟ କେବେ ନୁହେଁ,
ଛଳନାରୁ ସୃଷ୍ଟ ଆତ୍ମଗ୍ଲାନି ପାଇଁ
ଆତ୍ମହତ୍ୟା ଘଟିଥାଏ |