ପ୍ରେମ ନୁହେଁ ପ୍ରହେଳିକା
ପ୍ରେମ ନୁହେଁ ପ୍ରହେଳିକା
ତୁମ ନୀରବତା ଦିଏ କେତେ ବ୍ୟଥା ,
ଅକଥନୀୟ ତା' ଜ୍ୱାଳା
ଅଗ୍ନି ଉଦ୍ଗିରଣେ ଦହି ଦେଇଯାଏ
ମୋ' କୋଣାର୍କ ଭଗ୍ନଶିଳା ।
ମୋ' କୋଣାର୍କ ନୁହେଁ ଶିଳା କଙ୍କରର
ନିର୍ଜୀବ ସୂର୍ଯ୍ୟ ମନ୍ଦିର
ରକ୍ତ,ମାଂସ ,ଲୁହଲହୁରେ ତିଆରି ,
ଘର୍ମାକ୍ତ କରେ ଶରୀର ।
କାନ୍ଦୁଛି କୋଣାର୍କ ସେ ଉଦ୍ଗିରଣରେ
ଲୁହ ତା'ର ଦିଶୁନାହିଁ
ନୀରବତାଭରା ନିର୍ବାକ୍ ଚାହାଣି
କେତେ କଥା ଯାଏ କହି ।
ଅସ୍ତିତ୍ୱ ମୋହର ବିକ୍ଷିପ୍ତ ,ବିଲୁପ୍ତ
ଅଚିରେ ହୁଏ ସଂକ୍ଷେପ
ବ୍ୟକ୍ତିତ୍ୱର ବୃଥା ବିଦ୍ରୁପରେ ମିଳେ
ଅର୍ଦ୍ଧବିସ୍ତୃତ ଆକ୍ଷେପ
ନୀରବତା ପାଇଁ ଦୋଷ ଦେଉନାହିଁ ,
ସମୟ ହିଁ ସ୍ୱାର୍ଥପର
ପରିସ୍ଥିତି ପୃଷ୍ଠ ଅଯଥା ଅତିଷ୍ଠ ,
ସାଥୀ ବୋଧେ ବିଦ୍ରୁପର ।
ତୁମ ପାଦେ ଯେବେ କଣ୍ଟାଟିଏ ଲାଗେ ,
ମୋ' ବକ୍ଷକୁ ଦିଏ ଚିରି
ତୁମ ନୟନର ଅଣଦେଖା ଅଶ୍ରୁ
ମୋ' ଆଖିରୁ ଯାଏ ଝରି ।
ଝରି ଯାଉଥିବା ଅମାନିଆ ଲୁହ
ବହଳେ ବିଦଗ୍ଧ କରେ
ତୁମରି ପାଖକୁ ଟାଣି ନେଇଯାଏ
କେବେ ମୋର ଅଗୋଚରେ ।
ତୁମେ ସିନା ରୁହ ନିରବେ ମଉନେ ,
ମୁଁ ପାରୁନି ଜମା ରହି
ମୁଁ ମାତ୍ର ତପସ୍ୟା , ତୁମେ ତପସ୍ୱିନୀ ,
ରହିବି କି ଭିନ୍ନ ହୋଇ ।
ଭିନ୍ନକ୍ଷମ ନୁହେଁ ଶରୀର ଦୃଷ୍ଟିରୁ
ମାନସିକତା ମନ୍ଥର
ତୁମ ନୀରବତା ଆଙ୍କି ଦେଇଯାଏ
ଅବର୍ତ୍ତୁଳ ବତିଘର ।
ତୁମ ବତିଘର ସୂକ୍ଷ୍ମ ,ସାଙ୍କେତିକ ,
ମୋ' ବତିଘର ବର୍ତ୍ତୁଳ
ତୁମ ନୀରବତା ଭାଙ୍ଗିଯିବ ଯେବେ ,
ସୀମା ହେବ ସମତୁଳ ।
କୁହ ପ୍ରିୟା , ତୁମେ ରହୁଛ କାହିଁକି
ନିଃଶବ୍ଦେ ନିରବତାରେ
ବରଂ ବାଣ୍ଟିଦିଅ ସେ ଗୁପ୍ତ ଯନ୍ତ୍ରଣା
ପିଇବି ଅନାୟାସରେ ।
ପ୍ରେମ ନୁହେଁ ପ୍ରଜ୍ଞାହୀନ ପ୍ରହେଳିକା ,
ସଂଜ୍ଞା ତା' ସଂଯମଶୀଳ
ବିଜ୍ଞାନ ବି କୁହେ ପ୍ରେମ ତ ଅମର ,
ସୂକ୍ଷ୍ମ ,ପ୍ରତିକ୍ରିୟାଶୀଳ ।