ପଞ୍ଚମ ଦ୍ୱାର
ପଞ୍ଚମ ଦ୍ୱାର
ଶୂନ୍ୟରୁ ଆସିଲା ଆଶରୀରୀ କିଏ
ନାହିଁ ରୂପରେଖ ତାର,
ରକ୍ତ, ମାଂସଭରା ନଶ୍ଵର ଶରୀରେ
ତିଆରିଲା ନିଜ ଘର |
ଧୀରେଧୀରେ ଗ୍ରାସୀ ହାଡ଼ ମାଂସପେଶୀ
ହୃଦୟକୁ ରୁଦ୍ଧ କରି,
କେତେଯେ ଜୀବନ ଅକାଳେ ନେଲାଣି
ହିସାବ ନାହିଁ ତାହାରି |
ପିତାମାତା କୋଳ ଶୂନ୍ୟ କରିଦେଇ
ଅଟ୍ଟହାସ୍ୟ କରେ କଳି,
ତୁମେ କାହିଁ ପ୍ରଭୁ ମୌନେ ବସିଛ
ମନ୍ଦିର କବାଟ କିଳି |
ଶୁଭୁନାହିଁ ଅବା ବିଧବା କ୍ରନ୍ଦନ
ଅନାଥ ଶିଶୁର କୋହ,
ସବୁ ଦେଖି କାହିଁ ନିରବୀ ଯାଇଛ
କେମିତି ସହୁଛି ଦେହ |
କଳିକାଳ ଅବା ସମାପ୍ତି ଘଟିଲା
ଚାଲିଛି ନର ସଂହାର,
ଅଦୃଶ୍ୟରେ ରହି ମାୟା ରଚୁଅଛ
ଏ କେଉଁ ଲୀଳା ତୁମର |
ଜୀବନ ଲାଗୁଛି ଦୁର୍ବିସହ ଏଠି
ସଂସାରଟା ଲାଗେ ତୁଚ୍ଛ,
ସଙ୍କଟ କାଳରେ ତୁମେହିଁ ଭରଷା
ଆଉ ସବୁ ଲାଗେ ମିଛ |
ଯୋଡ଼ି ବେନିହସ୍ତ ଭକ୍ତ କରେ ଆଶ
ରଖ ଦୀନବନ୍ଧୁ ରଖ,
ପଞ୍ଚମ ଦୁଆର ଖୋଲିଦିଅ ପ୍ରଭୁ
ଭୁତାଣୁ ନପଶୁ ପାଖ |