ପିତୃପକ୍ଷ ଶ୍ରାଦ୍ଧ
ପିତୃପକ୍ଷ ଶ୍ରାଦ୍ଧ
ଶ୍ରଦ୍ଧା ଆଉ ଶ୍ରାଦ୍ଧ ପରିପୂରକ ଆଖ୍ୟାନ
ପିତୃପକ୍ଷ ନିହାତି ନିହିତ
ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠୁ
ପିତୃ ଶ୍ରାଦ୍ଧ ହୁଅଇ ପାଳିତ
ପିତୃଗଣ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ
ତର୍ପଣ ଓ ଶ୍ରାଦ୍ଧ ପିଣ୍ଡଦାନ
ପିତୃପକ୍ଷ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ
ପିତୃ ଶ୍ରାଦ୍ଧ ର ଜୟକାର
ପୁଣି ଅପେକ୍ଷା କରିବାକୁ ହୁଏ ଆଗାମୀ
ବରଷ ରେ ଆଶ୍ୱିନ ମାସର
ପିତୃ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ଆଶା
ସମାଜରେ ଅଛି ପ୍ରଚଳନ
ବିଶ୍ୱାସ ଅବିଶ୍ବାସ ଅନ୍ଧ-ବିଶ୍ବାସର କଥା
ନେପଥ୍ୟରେ କୋଳାହଳେ ଲିପ୍ତ
ପରମ୍ପରା ଦ୍ୱାହି ଦେଇ ଶ୍ରଦ୍ଧା ସହ ଶ୍ରାଦ୍ଧ
ହୋଇଛି,ହେଉଛି ପରିବ୍ୟାପ୍ତ।
ଆସନ୍ତୁ ଶ୍ରାଦ୍ଧ ଦିବସ ଔପଚାରିକତା
ପିତୃପକ୍ଷ କରିବା ପାଳନ
ସାମାଜିକ ପ୍ରାଣୀ ରୂପେ ଦେଖାଣିଆ କାମ
ଅବଶ୍ୟ ତୁଲାଇବା ବହନ
ଜୀବିତ ଥିବାବେଳେ ଯେଉଁ ପିତୃଗଣଙ୍କୁ
କେବେହେଲେ ସମ୍ମାନ ମିଳିନି
ପୁତ୍ର ପୌତ୍ରି ରହିଛନ୍ତି ବୋଲି କେବେ ହେଲେ
ସେମାନଙ୍କୁ ଅନୁଭବ ହୋଇନି
ଏପରିକି ଆମେ କିପରି ଆଳାପ କରୁ
ତାହା ବି ସେମାନଙ୍କୁ ଅଜ୍ଞାତ
ନିଜ ପଦ ମର୍ଯ୍ୟାଦାର ହାନି ହେବ ଜାଣି
ପରିଚୟ ଯେପରି ଅନାଥ
ଯେଉଁ ମାନଙ୍କ ବିୟୋଗରେ ଲୁହ ଝରିନି
ଶବ ଭାର ନ ଥିଲା କାନ୍ଧରେ
ଅନ୍ତିମ ସଂସ୍କାର ବିଧିବିଧାନ ହୋଇନି
କ୍ରିୟା କର୍ମ କୁଣ୍ଠିତ ମନରେ
ଶ୍ରାଦ୍ଧ ଦିବସରେ ଦୁଃଖ ହେଉଛି ମନରେ
ଅଜବ ଭାବନା ହୃଦୟରେ
ମନେ ହୁଏ ପିତୃଗଣ ଭୋକିଲା ହୋଇ
ଖାଦ୍ୟ ପାଇଁ ବ୍ୟାକୁଳ ମନରେ
ପ୍ରଶ୍ନ ଉଙ୍କି ମାରୁଛି ଶ୍ରାଦ୍ଧ କିମ୍ପା କରିବା
ଔପଚାରିକତା ବାହାନାରେ
ଭୋକିଲା କୁ ଶ୍ରଦ୍ଧା ସହ ଖାଇବାକୁ ଦେଇ
ଖୁସି ହେବା ଶ୍ରାଦ୍ଧ ଦିବସରେ
ମନର ବୋଝ ହାଲୁକା ହେବା ଦୂରେ ଥାଉ
ଭୋକିଲା କୁ ଖାଦ୍ୟ ମିଳିଯିବ
ପେଟପୂରା ଖାଇଲେ ଆତ୍ମା ତୃପ୍ତି ଲଭିବ
ପିତୃଗଣଙ୍କୁ ଶାନ୍ତି ପ୍ରାପ୍ତି ହେବ
ପୁର୍ବଜଙ୍କ ଶାନ୍ତି ତୃପ୍ତି ପାଇଁ ଭୋକିଲାଙ୍କୁ
ଖାଦ୍ୟ ଖାଇବାକୁ ଦିଆଯାଉ
ୟା ଠାରୁ ଶ୍ରଦ୍ଧା ପୂର୍ବକ ପିତୃ ଶ୍ରାଦ୍ଧ ପର୍ବ
ଅଧିକ ନୁହେଁ, ମନେ ରହି ଥାଉ।
