STORYMIRROR

Baidyanath Panda

Classics

3  

Baidyanath Panda

Classics

ପିଣ୍ଡ ରୁ ପରାଣ ଯେତିକି ଦୂର

ପିଣ୍ଡ ରୁ ପରାଣ ଯେତିକି ଦୂର

1 min
23


ମୋ ଠାରୁ ତୁମର ଦୂରତା ହେ ପ୍ରଭୁ 

   ଯମା ନୁହେଁ ବେଶୀ ଦୂର 

ଅନ୍ତରରେ ମୋର ରହିଅଛ ଲୁଚି 

   ଲାଗେ ମତେ ବହୁଦୂର 

ଜହ୍ନରୁ ଜୋଛନା ଦୀପରୁ ଆଲୋକ 

    ରହିଥାଏ ଯେତେ ଦୂର 

ମୋ ଠାରୁ ତୁମର ଦୂରତା ହେ ପ୍ରଭୁ 

     ଅଟଇ ସେତିକି ଦୂର 

ତୁମ ମୋ ଭିତରେ ଦୂରତା ସେତିକି 

    ଯମା ନୁହେଁ ବେଶୀ ଦୂର 

ସବୁତ ଦେଇଛ ହୃଦୟରେ ମୋର 

    ସକଳ ଶକ୍ତି ତୁମର 

ଆତ୍ମା ରୂପେ ରହି ହୃଦୟ ଭିତରେ 

     କରିଛ ପ୍ରାଣ ସଞ୍ଚାର 

ତଥାପି କାହିଁକି ନିତି ଖୋଜୁଥାଏ 

   ଦେଖିବାକୁ ସତ୍ତା ତୁମର 

ମୋ ଠାରୁ ତୁମର .................ll  

କରି କରାଉଛ ଅନ୍ତରରେ ରହି 

   ଦେଇ ମତେ କର୍ମ ଡୋରି 

ମାୟାରେ ପୁରାଇ ସବୁ ଭୁଲାଉଛ 

   ଭାଗ୍ୟକୁ ବସେ ମୁଁ ଧରି 

ସତ କୁହ ପ୍ରଭୁ କିଏ ବା ସମର୍ଥ 

    ବୁଝିବ ଖେଳ ତୁମର 

 ମୋ ଠାରୁ ତୁମର............. ll   

ତୁମେ ଯେବେ ଅଛ ଜାଗ୍ରତ ହୋଇଣ 

    ଏ ମୋର ମାଟି ପିଣ୍ଡରେ

କାହିଁକି ହେ ପ୍ରଭୁ ଜାଣି ମୁଁ ପାରୁନି 

    ଲାଗେ ଅଛ ବହୁଦୂରେ 

କିବା ଦିନରାତି ଖୋଜୁଥାଏ ନିତି 

    ଦେଖିବାକୁ ରୂପ ତୁମର 

ମୋ ଠାରୁ ତୁମର............... ll

ପ୍ରତିଟି ପରାଣେ ରହିଅଛ ତୁମେ 

    ତୁମ ବିନା ଗତି ନାହିଁ 

ତମ ଇଚ୍ଛା ବିନା ସୂର୍ଯ୍ୟ ଚନ୍ଦ୍ର କେବେ 

     ଉଦୟ ହୁଅନ୍ତି ନାହିଁ 

ଦୀପରୁ ସଳିତା ଭାବରୁ ଭାବନା 

   ଏ ସବୁ ଯେତିକି ଦୂର 

ତୁମ ଠାରୁ ମୋର ଦୂରତା ସେତିକି 

     ନୁହେଁ ଯମା ବେଶୀ ଦୂର 

ପିଣ୍ଡରୁ ପରାଣ ଯେତିକି ଦୂର......... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics