ପିଲା ଥିଲି ଖୁବ୍ ଭଲ ଥିଲି
ପିଲା ଥିଲି ଖୁବ୍ ଭଲ ଥିଲି
ପିଲା ଥିଲି .... ବେଶ୍ ଭଲ ଥିଲି
ନା ଥିଲା ଶିଖିବାକୁ ଜୀବନ ଜିଁଇଁ ବାର କଳା
ନା ଖୋଜିବାକୁ ପଡୁଥିଲା ହସିବା କାନ୍ଦିବା ର କାରଣ
ନା କରିବାକୁ ପଡୁଥିଲା ପାପ ପୁଣ୍ୟ ର ହିସାବ
ନା ଦେବାକୁ ପଡୁଥିଲା ତେଲ ଲୁଣ ସଂସାର ର ହିସାବ,
ବଜାର ରେ ଆଳୁ କିଲୋ କେତେ
କୋଡିଏ ଟଙ୍କା ରେ କେତେ ଟା ସଜନା ଛୁଇଁ,
ଶାଗ କେତେ ବିଡା।
ବୁଝିବାର ନ ଥିଲା କେତେ ଦିନ ଯାଏ ଚାଉଳ ବସ୍ତା କି ଅଟା ପ୍ୟାକେଟ ଟା।
ଭାବିବାକୁ ପଡୁ ନ ଥିଲା
କେମିତି ଆସିବ
ପୁଅ ର ସ୍କୁଲ ବ୍ୟାଗ୍
ସ୍ତ୍ରୀ ର ମେରୁନ ଲିପଷ୍ଟିକ
ବାପା ଙ୍କ ବି ପି ମେଡ଼ିସିନ
ଅବା ବୋଉ ର ଗୁଡ଼ାଖୁ।
ପିଲା ଥିଲି... ଖୁବ୍ ଭଲ ଥିଲି
ଆଟୁ ଚାଳ ଘର ଆଉ କାଦୁଆ ଅଗଣା
ଗାଁ ସ୍କୁଲ ମାଟି ବାରଣ୍ଡା ର ପାଠ ପଢା
ନଈ ପହଁରା, ମାଛ ଧରା ଗୁଡ଼ ଆଖୁ ଶାଳ
ତୋଟା ର ଆମ୍ବ ତୋଳା ଡାଳ ମାଙ୍କୁଡ଼ି ଖେଳ
ହିଡ ମୁଣ୍ଡେ ବାପା ସଙ୍ଗେ ପଖାଳ ର ପାଗ
ନାନୀ ସଙ୍ଗେ କଇଁ ତୋଳା, ରଜ ଦୋଳି କେତେ ରୁସା, ରାଗ
ଜେଜେ ସଙ୍ଗେ ଯାତ ମେଲଣ ବୁଲା
ନାଲି ଜରି ଚଷମା ଆଉ ଚିନି ର ମିଠା ଖଜା
ଜେଜେ ମାଆ ସଙ୍ଗେ ଜହ୍ନ ରାତିରେ
ଅସରନ୍ତି ଗପ ଆଉ କେତେ କଥା ମଜା।
ସତ ରେ ପିଲା ଥିଲି..... ଖୁବ୍ ଭଲ ଥିଲି
ବାପା ଙ୍କ ଆକଟ ବୋଉ ର ଆଦର ଆଉ ମାଷ୍ଟ୍ର ଙ୍କ ବେତ ପହାର
ମାଟି ଚାଳ ଘରେ ନ ଥିଲା ଝଡ ବତାସ କୁ ଡର
ବେଶ୍ ନିଦ ହେଉ ଥିଲା ହାତ ସୀଆଁ କନ୍ଥା ଆଉ ଖଜୁରୀ ପଟି ରେ
ବିନା ଫାଷ୍ଟ ଫୁଡ୍ ରେ ପେଟ ଭରି ଯାଉଥିଲା ପଖାଳ ଶୁଖୁଆ ଆଉ ଆମ୍ବୁଲ ପାଗ ରେ
ଆଃ
ଜୀବନ ଟା ଥିଲା କେତେ ସୁନ୍ଦର ସବୁଜ ଆଉ ଭରପୁର
କେତେ ଭଲ ଥିଲା ସେ ସମୟ ଟା
ହର ରଙ୍ଗୀ ପ୍ରଜାପତି ଭଳି
ରଙ୍ଗୀନ.. ଚଞ୍ଚଳ ଆଉ ଇତଃସ୍ତତଃ।
କାହିଁ କୁଆଡେ କେଡେ ବେଗି ଚାଲିଗଲା ସେ ଦିନ ଗୁଡା
ମୁଣ୍ଡ ଉପରୁ ଉଠି ଗଲା ବାପାଙ୍କ ଛତା, ବୋଉ ର ପଣତ,
ଜେଜେ ଙ୍କ କାନ୍ଧ ଆଉ ଜେଜେ ମା ର କୋଳ
ସାଙ୍ଗ ସାଥି ମେଳ,ଗହ୍ମା , ରଜ, ଦୋଳ
ବାହା ବ୍ରତ ଯାନି ଯାତ୍ରା ପୂଜା ର ଗହଳ।
ଏବେ ତ ଚାରି ଆଡ ଖାଲି ଧୂ ଧୂ ମରୁବାଲି
ଜୀବନ ଟା ଖାଲି ଏକ ଅଭିଯୋଗ ଫର୍ଦ୍ଦ
ନିସ୍ତରଙ୍ଗ,ନୀରବ,ନିଥର
ଦାୟିତ୍ଵ କର୍ତ୍ତବ୍ୟ ବୋଧ ଆଉ ପାପ ପୁଣ୍ୟର ଚକ୍ରବ୍ୟୁହ ରେ ଫସି ଯାଇଥିବା ଅଭିମନ୍ୟୁ ସମ ଅସହାୟ,କାତର
ଅତୀତଟା ସବୁ କାଳି ଲେଖା ଭିଜା ରଫ ଖାତା ଭଳି ଅସ୍ପଷ୍ଟ ଅକ୍ଷର।
ଆଉ ପିଲାଦିନ
ଭଙ୍ଗା ଆଇନାରେ ପ୍ରତିଫଳିତ
ଶତ ସ୍ପଷ୍ଟ ପ୍ରତିବିମ୍ବ ଭଳି
ସର୍ବଦା ସୁନ୍ଦର ମଧୁର।