ଗାଁ ନାହିଁ କି ଗାଁ ରେ ମା ନାହିଁ
ଗାଁ ନାହିଁ କି ଗାଁ ରେ ମା ନାହିଁ
(ଗାଁ ନାହିଁ କି ଗାଁ ରେ ମା ନାହିଁ)
କାରଣ
ଏବେ ଆଉ ଗାଁ ନାହିଁ କି ଗାଁ ରେ ମା ନାହିଁ
ମା ନାହିଁ ବୋଲି ତ
ଏବେ ଆଉ ହୁଏନି ସକାଳ
ଆସେନା ସଞ୍ଜ
ବିତେନା ଦ୍ବିପ୍ରହର
ପାହେନା ରାତି
ମା ନାହିଁ ବୋଲି ତ
ଆଉ ହୁଏ ନାହିଁ ଦିନ କଟେ ନାହିଁ ରାତି
ଖାଲି ବଦଳୁଥାଏ ତାରିଖ ଆଉ କାଲେଣ୍ଡର।
ମା ନାହିଁ ବୋଲି ତ
ଆଉ ଖରକା ହୁଏନି ଦାଣ୍ଡ
ପଡେନା ଗୋବର ପାଣି
ତୋଳା ହୁଏନା ପୂଜା ପାଇଁ ଫୁଲ
ଜଳେନା ଚଉରା ମୂଳରେ ଦୀପ
ଛାତ ଉପରେ ଆଉ ଫୁଟେନା ଫୁଲ
ଫଳେନା ବାଡ଼ିରେ ଭଣ୍ଡା ,କଦଳୀ, ସଜନା
କାରଣ ଏବେ ଗାଁ ନାହିଁ କି ଗାଁ ରେ ମା ନାହିଁ।
ଏବେ ଆଉ ହୁଏନି ଖୁଦୁରୁକୁଣୀ ଓଷା
ପଡେନା ମାଣବସା ଗୁରୁବାର ଝୋଟି
ଖିଆ ହୁଏନା ଦଶହରା ନୂଆ ଚୂଡା
କି ଦୋଳ ରେ ଆମ୍ବ ମହୁଲ
ଶୁଭେନା କାଞ୍ଜି ଅଅଁଳା ଓଷାରେ ହୁଳହୁଳି
କି ସଞ୍ଜ ହେଲେ ପୂଜା ଘରୁ ଶଙ୍ଖ ଆଉ ଘଣ୍ଟି
ଏବେ ଫିକା ଦଶହରା
ଉଜୁଡା ଦୀପାବଳୀ ରଙ୍ଗହୀନ ହୋଲି
କାରଣ ଏବେ ଗାଁ ନାହିଁ କି ଗାଁ ରେ ମା ନାହିଁ।
ଏବେ ଆଉ ସାଇତା ହୁଏନା ମାଟି ଦୀପ, ଜଡ଼ା ତେଲ
ଆଟୁ ରେ କଅଁଳ ଆମ୍ବୁଲ ଗୋଟା ଆଚାର କି ବଡ଼ି
ଶିକା ରେ ଲୁଣି ଶୁଖୁଆ ଆଉ ଦେଶୀଘିଅ
ରଖା ହୁଏନା ମକା, ଶିମ୍ବ ମଞ୍ଜି ଭଜା
ଅମାର ରେ ପୁରୁଣା ମହୁ ଆଉ ଗୁଡ଼।
ଏବେ ଆଉ ଆସେନା
ରୋଷେଇ ଘରୁ କାଞ୍ଜି, ଆମ୍ବିଳା,ଶାଗ ଖରଡା
କି ଆମ୍ବୁଲ ବେସର ଦିଆ
ଶେଉଳ ମାଛ ଝୋଳ ର ମହ ମହ ବାସ୍ନା
ପୂଜା ପରବ ରେ ଉଖୁଡା ପିଠା ର ମହକ
ସପନ ହୋଇଛି ନଡ଼ିଆ ଚିତୋଉ
ଗୁଡ ଆରିସା ଆଉ ଶୁଖୁଆ ପତର ପୋଡ଼ା
କାରଣ
ଏବେ ଆଉ ଗାଁ ନାହିଁ କି ଗାଁ ରେ ମା ନାହିଁ
ଏବେ ଆଉ ସଞ୍ଜ ହେଲେ ଆଉ କିଏ କୁହେନି କାହାଣୀ
ମୁଣ୍ଡ ରେ ବୁଲାଏନା ହାତ
ଗୋଡ଼ ରେ ମାରି ଦିଏନା ତେଲ
ଜର ହେଲେ ଯାଚେନା ନଡ଼ିଆ ,କରେନା ମାନସିକ
ଲୁଚାଇ ରଖେନା ତା ଭାଗ ର ମିଠା କି ତିଅଣ
ଅଫିସ ରୁ ଆସିଲେ ପଚାରେନା ଖାଇଛୁ କି ନାହିଁ।
ମା ତ ଆଜି ଦୂର ଆକାଶର ତାରା
ସାରା ରାତି ଜହ୍ନ ସଙ୍ଗେ ଦେଖୁଥାଏ ଚିକ ମିକ କରି ଆଖି
ସ୍ମୃତି ସବୁ ତାର ଇତସ୍ତତଃ ଭାବେ
ବୁଣା ମୋର ଘର ଅଗଣାରେ
ଏବେ ବି ଶୁଭିଯାଏ କାନ ରେ ତା'ର ମଧୁର ଡ଼ାକ
ନାକ ରେ ବାଜି ଯାଏ ତା ପଣତ ର ବାସ୍ନା
ଠାକୁର ଘରେ ଦିଶି ଯାଏ ଛାଇ ତାର
ଅନୁଭବ ହୁଏ ତାର ହାତ ପରଶ
ଆଉ ଲାଗେ
ମା ଅଛି
ଏଇଠି କୋଉଠି
ଖୁବ୍ ପାଖରେ।